ଆସିଲା ସ୍ମାର୍ଟ ମିଟର: ରିଚାର୍ଜ କଲେ ଘରେ ଜଳିବ ଲାଇଟ, ରିଜାର୍ଜ ନକଲେ ଘର ହେବ ଅନ୍ଧାର।

3,782

କନକ ବ୍ୟୁରୋ: ଡିଜିଟାଲ ଯୁଗରେ ସବୁକିଛି ଡିଜିଟାଲ ହେଉଥିବା ବେଳେ ଏବେ ଆସିଯାଇଛି ସ୍ମାର୍ଟ ମିଟର । କୋରାପୁଟ ଜିଲ୍ଲାର ଜୟପୁର ଅଞ୍ଚଳରେ ଏହି ସେବା ଆରମ୍ଭ କରାଯାଇଛି । ଏହି ସ୍ମାର୍ଟମିଟର ଠିକ ଆପଣଙ୍କ ମୋବାଇଲର ସିମକାର୍ଡ ଭଳି । ଯେମିତି ମୋବାଇଲରେ ଆମେ ରିଚାର୍ଜ କରି ସୁବିଧା ନେଇଥାଉ ଠିକ ସେମିତି ଏହି ମିଟରରେ ବି ଆପଣ ରିଚାର୍ଜ କରି ବିଦ୍ୟୁତସେବା ନେଇପାରିବେ । କେବଳ ଏତିକି ନୁହେଁ ଏହି ମିଟରରେ ଉଭୟ ପ୍ରିପେଡ ଏବଂ ପୋଷ୍ଟପେଡ୍ ସେବା ମଧ୍ୟ ଉପଲବ୍ଧ ରହିଛି । ଅର୍ଥାତ ଆପଣ ଚାହିଁଲେ ରିଚାର୍ଜ କରି ବିଦ୍ୟୁତ୍ ଜାଳିପାରିବ ଅବା ପରେ ଯେତେ ପରିମାଣର ବିଦ୍ୟୁତ ଜାଳିଥିବେ ସେ ଅନୁସାରେ ଟଙ୍କା ପୈଠ କରିପାରିବେ । ପ୍ରଥମ ପର୍ଯ୍ୟାୟରେ କିଛି ଘରେ ଏହି ମିଟର ଲଗାଯାଇଛି ।

ଟାଟା ପକ୍ଷରୁ ସବୁସ୍ଥାନରେ ଏହି ମିଟର ଲଗାଇବା ପାଇଁ ପଦକ୍ଷେପ ନିଆଯାଇଛି । ଏହି ମିଟରରେ ଥିବା ଚିପ୍ ମାଧ୍ୟମରେ ମୋବାଇଲ ସାହାଯ୍ୟରେ ଆପଣ ଜାଣିପାରିବେ ଆପଣ କେତେ ପରିମାଣର ଏବଂ କେତେ ମୂଲ୍ୟର ବିଦ୍ୟୁତ ବ୍ୟବହାର କରିଛନ୍ତି । ବର୍ତ୍ତମାନ ପାଇଁ ପ୍ରଥମ ଥର ପାଇଁ ଉଭୟ ପୋଷ୍ଟପେଡ୍ ଏବଂ ପ୍ରିପେଡ୍ ସେବା ପ୍ରଦାନ କରାଯାଉଛି । ତେବେ ପରବର୍ତ୍ତୀ ସମୟରେ ଗ୍ରାହକଙ୍କ ପସନ୍ଦ ଅନୁସାରେ ପ୍ରିପେଡ କିମ୍ବା ପୋଷ୍ଟ ପେଡରେ ଏହାକୁ ପରିବର୍ତ୍ତନ କରାଯିବ । ତେବେ ଜୟପୁର ଗ୍ରାହକ ମଧ୍ୟ ଏହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି । ପୂର୍ବରୁ ବିଦ୍ୟୁତ ବିଲ କ୍ଷେତ୍ରରେ ଅନେକ ଅସୁବିଧା ହେଉଥିବା ବେଳେ ବର୍ତ୍ତମାନ ସେଭଳି ହେବ ନାହିଁ ବୋଲି ଆଶା ରଖିଛନ୍ତି ଉପଭୋକ୍ତା ।