ଜିମ୍ବାୱେ ବିପକ୍ଷ ସିରିଜ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା । ବାଦ୍ ପଡିଲେ ଷ୍ଟାର ସ୍ପିନର, ଆଇପିଏଲରେ ଦମଦାର ପ୍ରଦର୍ଶନ କରିଥିବା ଶହବାଜଙ୍କୁ ଡାକରା ।

188

କନକ ବ୍ୟୁରୋ : ଜିମ୍ବାୱେ ଗସ୍ତ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ ଝଟକା । ଦଳର ଷ୍ଟାର ବୋଲର ଗସ୍ତ ପୂର୍ବରୁ ଆହତ ହୋଇ ପୂରା ସିରିଜରୁ ବାଦ୍ ପଡିଛନ୍ତି । ଧୱନଙ୍କ ବଦଳରେ କେ.ଏଲ ରାହୁଲଙ୍କୁ ଦଳର ନେତୃତ୍ୱ ଭାର ଦିଆଯାଇଛି । ସେହିଭଳି ୱାସିଂଟନ ସୁନ୍ଦରଙ୍କ ବିକଳ୍ପ ଭାବେ ନୂଆ ବୋଲରଙ୍କୁ ଦଳରେ ସାମିଲ କରାଯାଇଛି । ୱାସିଂଟନଙ୍କ ବଦଳରେ ଦଳରେ ଶହବାଜ ଅହମ୍ମଦଙ୍କୁ ସାମିଲ କରାଯାଇଛି । କୋଲକାତାର ଏହି ଷ୍ଟାର ବୋଲର ଗତ ଆଇପିଏଲରେ ବାଙ୍ଗାଲୋର ଟିମ୍ ପାଇଁ ଦମଦାର ପ୍ରଦର୍ଶନ କରିଥିଲେ । ସେହିଭଳି ରଣଜୀ ମ୍ୟାଚରେ ମଧ୍ୟ ଭଲ ପ୍ରଦର୍ଶନ କରି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଶହବାଜ ଅହମ୍ମଦ । ଫଳରେ ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜ ପାଇଁ ଟିମ୍ ଇଣ୍ଡିଆରୁ ଡାକରା ଆସିଛି ।

ବିସିସିଆଇ ଦ୍ୱାରା ଜାରି କରାଯାଇଥିବା ପ୍ରେସ ରିଲିଜରେ ଶହବାଜଙ୍କୁ ଟିମ୍ ଇଣ୍ଡିଆରେ ସ୍ଥାନ ମିଳିଥିବା ନେଇ ସ୍ପଷ୍ଟ କରାଯାଇଛି । ଇଂଲଣ୍ଡରେ କାଉଣ୍ଟିଂ ଖେଳୁଥିବା ବେଳେ ୱାସିଂଟନ ସୁନ୍ଦରଙ୍କ କାନ୍ଧରେ ଆଘାତ ଲାଗିଥିଲା । ଫଳରେ ଆହତ କାରଣରୁ ତାଙ୍କୁ ଜିମ୍ବାୱେ ବିପକ୍ଷ ସିରିଜରୁ ବାଦ୍ ଦିଆଯାଇଛି ।

ଅନ୍ୟପଟେ ଘରୋଇ କ୍ରିକେଟରେ ଦମଦାର ପ୍ରଦର୍ଶନ କରିଥିବା ଶହବାଜ ଅହମ୍ମଦଙ୍କୁ ପୁଣିଥରେ ସୁଯୋଗ ମିଳିଛି । ଖାସକରି ରଣଜୀ ମ୍ୟାଚରେ ଦମଦାର ଇନିଂସ ହିଁ ଶହବାଜଙ୍କ ପାଇଁ ସୁଯୋଗ ସୃଷ୍ଟି କରିଥିଲା । ଆଇପିଏଲରେ ମଧ୍ୟ ଶହବାଜଙ୍କ ପ୍ରଦର୍ଶନ ଉତ୍ସାହଜନକ ରହିଥିଲା । ଫଳରେ ତାଙ୍କୁ ଟିମ୍ ଇଣ୍ଡିଆରୁ ଡାକରା ଆସିଛି । ଆସନ୍ତା ୧୮ ଅଗଷ୍ଟରେ ଜିମ୍ବାୱେ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ୍ ଖେଳିବ ଭାରତ । ଜିମ୍ବାୱେ ବିପକ୍ଷରେ ୩ଟି ଦିନିକିଆ ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ ।