ସରିଲା ହର ପାର୍ବତୀଙ୍କ ବାହାଘର। ବୈଦିକ ରୀତିନୀତିରେ ଶିବ-ପାର୍ବତୀଙ୍କ ବିବାହ ସମ୍ପନ୍ନ। ଆଜି ଯୁଗଳମୂର୍ତ୍ତିଙ୍କ ନଗର ପରିକ୍ରମା

204

କନକ ବ୍ୟୁରୋ: ସରିଲା ହର-ପାର୍ବତୀଙ୍କ ବାହାଘର । ସମ୍ବଲପୁରରେ ଧୁମଧାମରେ ବୈଦିକ ରୀତିନୀତି ଅନୁସାରେ ବର କନ୍ୟାଙ୍କ ବିବାହ ଅନୁଷ୍ଠିତ ହୋଇଛିି । ଆଜି ମାଆ ପାର୍ବତୀଙ୍କ ସହ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ ହର ହର ମହାଦେବ । ଏହି ଅବସରରେ ଯୁଗଳ ମୂର୍ତ୍ତିଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ । ନଗର ପରିକ୍ରମା କରିବା ସହ ହର-ଗୌରଙ୍କ ଯୁଗଳ ମୂର୍ତ୍ତି ଭକ୍ତଙ୍କୁ ଆଶିର୍ବାଦ ଦେଇ ମନ୍ଦିରକୁ ଫେରିବେ ।

 

ଜଗତଜନନୀ ମାଆ ପାର୍ବତୀଙ୍କୁ ବିବାହ କରିବା ପାଇଁ ଗତ ରାତିରେ ଦେବ ଦେବ ମହାଦେବ ବରଯାତ୍ରୀଙ୍କ ସହ ଶୋଭାଯାତ୍ରାରେ ଆସିଥିଲେ । ବରବେଶୀ ମହାଦେବଙ୍କୁ ଦେଖିବା ପାଇଁ ସହରର ରାସ୍ତାଘାଟରେ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଥିଲା । ନନ୍ଦପଡାର ବରାଡ ବାଲୁଙ୍କେଶ୍ୱର, ଝାଡୁଆପଡାର ଶ୍ରୀ ଶ୍ରୀ ବାବା ଲୋକନାଥ, ମୁଦିପଡା ମନ୍ଦିରରୁ ଜାଗେଶ୍ୱର ବାବା, ଠାକୁରପଡା ଗୁପ୍ତେଶ୍ୱର ବାବା, ବଡ ବଜାରର ଶୀତଳେଶ୍ୱର , ବାଲିବନ୍ଧାର ସୋମନାଥବାବାଙ୍କ ବରଯାତ୍ରା ଧୁମଧାମରେ କନ୍ୟା ଘରକୁ ବାହିରିଥିଲା ।

ବରଯାତ୍ରା ବେଳେ ବାଜା, ରୋଷଣୀ ସହ ନାଚ ଗୀତରେ ମୁଖରିତ ହୋଇଥିଲା ସମ୍ବଲପୁର ସହର । ବର ଶୋଭାଯାତ୍ରାରେ କୁଚିଣ୍ଡାର ଗୌରବାଡି, ହୀରାକୁଦର ଘଂଟ, ଗାଇସୀମାର ଶଙ୍ଖ, ବିଭିନ୍ନ ସ୍ଥାନର ଦୁଲଦୁଲି, ସଂପ୍ରଦା, କୋଲକତାର ଆଧୁନିକ ନୃତ୍ୟ ସମେତ ପ୍ରାୟ ୬ଶହ କଳାକାର ନିଜ କଳା ପ୍ରଦର୍ଶନ କରିଥିଲେ ।