୨୦୧୧ ପରେ ପୁଣି ପୁରୀ ଏମାର ମଠରୁ ମିଳିଲା ରୂପା ଇଟା । ରୂପା ଇଟା ମିଳିଥିବା ନେଇ ସୂଚନା ଦେଲେ ରାଧାବଲ୍ଲଭ ମଠର ମହନ୍ତ

381

କନକ ବ୍ୟୁରୋ : ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିର ନିକଟସ୍ଥ ଏମାର ମଠରୁ ପୁଣି ରୂପା ଇଟା ମିଳିଛି । ମଠର ପଛପଟୁ ୪୫ ଖଣ୍ଟ ରୂପା ଇଟା ମିଳିଥିବା ନେଇ ସୂଚନା ଦେଇଛନ୍ତି ରାଧାବଲ୍ଲଭ ମଠର ମହନ୍ତ । ମହନ୍ତଙ୍କ ସୂଚନା ମୁତାବକ ମଠର ପଛପଟୁ ୪୫ ଖଣ୍ଡ ରୂପା ଇଟା ମିଳିଛି । ପ୍ରତି ଇଟା ଖଣ୍ଡର ଓଜନ ୩୨ ରୁ ୩୫ କିଲେ ହେବ ବୋଲି ସେ କହିଛନ୍ତି ।

କାଲି ପୁରୀ ଏମାର ମଠର ନୂଆ ଟ୍ରଷ୍ଟି କାର୍ୟ୍ୟଭାର ଗ୍ରହଣ କରିଥିଲେ । ପୁରୀର ଏହି ଐତିହ୍ୟ ସଂପନ୍ନ ମଠର ପରିଚାଳନା ଦାୟିତ୍ୱ ଟ୍ରଷ୍ଟ ହାତକୁ ଯିବା ପରେ ମଧ୍ୟ ମଠର ମହନ୍ତ ମହାରାଜ ଏଥିରେ ସହ ଯୋଗ କରୁନଥିଲେ । ଏହି ପ୍ରସଙ୍ଗକୁ ନେଇ ମଠର ନୂଆ ଟ୍ରଷ୍ଟ ବୋର୍ଡ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ । ଏହା ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏମାର ମଠର ଟ୍ରଷ୍ଟର ନୂଆ ସଦସ୍ୟମାନେ ଏମାର ମଠରେ ପ୍ରବେଶ କରିଥିଲେ  ।

ଏମାର ମଠର ନୂଆ ଟ୍ରଷ୍ଟ ବୋର୍ଡ ଅନୁସାରେ ଝଞ୍ଜାପିଟା ମଠର ମହନ୍ତ ବାବା ସଚ୍ଚିଦାନନ୍ଦ ମହାରାଜଙ୍କୁ ମଠର ଦାୟିତ୍ୱ ଦିଆଯାଇଛି । ଏହି ସମୟରେ ମଠରୁ କିଛି ଅଳଙ୍କାର ଠାବ ହୋଇଥିଲା । ମଠ ଭିତରେ ପୂଜା ପାଉଥିବା ରାମାନୂଜଙ୍କ ମୂର୍ତି ଓ ମୂର୍ତିରେ ଲାଗୁଥିବା ଅଳଙ୍କାର ଓ ଝୁଲଣ ବେଶରେ ଲାଗୁଥିବା ସମସ୍ତ ଅଳଙ୍କାରର ତାଲିକା ପ୍ରସ୍ତୁତ କରାଯିବ ବୋଲି କହିଥିଲା ପ୍ରଶାସନ ।

ସୂଚନା ଥାଉକି ୨୦୧୧ ମସିହାରେ ଏମାର ମଠର ମରାମତି କାମ ଚାଲିଥିବା ବେଳେ ମଠ ଭିତରୁ ୫୧୧ ଖଣ୍ଡ ରୂପା ଇଟା ମିଳିଥିଲା । ଏହାକୁ ନେଇ ସେତେବେଳେ ହଟଚମଟ ସୃଷ୍ଟି ହୋଇଥିଲା । ୧୦ ବର୍ଷ ପରେ ପୁଣି ମଠ ଭିତରୁ ରୂପା ଇଟା ମିଳିବା ପରେ ଏହାକୁ ନେଇ ପ୍ରଶାସନ ସଜାଗ ହୋଇଛି । ଏନେଇ ଅଧିକ ଖୋଳତାଡ ହେବାର ଆବଶ୍ୟକତା ରହିଛି ।