କଶ୍ମୀରରେ ବରିଷ୍ଠ ସାମ୍ବାଦିକଙ୍କୁ ହତ୍ୟା ଘଟଣା : ସିସିଟିଭି ଫୁଟେଜରୁ ସନ୍ଦିଗ୍ଧଙ୍କ ଫଟୋ ଜାରି କଲା ଜମ୍ମୁକଶ୍ମୀର ପୋଲିସ
କନକ ବ୍ୟୁରୋ : କାଶ୍ମୀରରେ ବରିଷ୍ଠ ସାମ୍ବାଦିକଙ୍କୁ ହତ୍ୟା ଘଟଣାରେ ସନ୍ଦିଗ୍ଧର ଫଟୋ ଜାରି କରିଛି ଜମ୍ମୁକଶ୍ମୀର ପୁଲିସ । ଘଟଣାସ୍ଥଳର ସିସିଟିଭି ଫୁଟେଜ ଆଧାରରେ ୩ସନ୍ଦିଗ୍ଧର ଫଟୋ ଜାରି କରାଯାଇଛି । ୩ଜଣ ସନ୍ଦିଗ୍ଧ ଆତଙ୍କବାଦୀ ବାଇକରେ ଆସି ବରିଷ୍ଠ ପତ୍ରକାର ସୁଜାତ୍ ବୁଖାରୀଙ୍କୁ ଗୁଳିକରି ଫେରାର ହୋଇଯାଇଛନ୍ତି । ଗତକାଲି ‘ରାଇଜିଂ କାଶ୍ମୀର’ର ଏଡିଟର୍ ତଥା ବରିଷ୍ଠ ପତ୍ରକାର ସୁଜାତ୍ ବୁଖାରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଆତଙ୍କବାଦୀ । ଶ୍ରୀନଗରରେ ‘ରାଇଜିଂ କାଶ୍ମୀର’ର କାର୍ଯ୍ୟାଳୟ ସମ୍ମୁଖରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ୫୦ ବର୍ଷୀୟ ବୁଖାରୀ ତାଙ୍କ ଅଫିସରୁ ବାହାରି ଇଫତାର ପାର୍ଟିରେ ଯୋଗ ଦେବାକୁ ଯାଉଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ ହୋଇଥିଲା । ତାଙ୍କର ଜଣେ ସୁରକ୍ଷା ଅଧିକାରୀଙ୍କୁ ମଧ୍ୟ ହତ୍ୟା କରାଯାଇଛି । ଏହି ଗୁଳିକାଣ୍ଡରେ ଆଉ ଜଣେ ପୋଲିସ କର୍ମଚାରୀ ଓ ଜଣେ ସାଧାରଣ ନାଗରିକ ଗୁରୁତର ହୋଇଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ପୁଲିସ ଅନୁସାରେ ତିନି ଜଣ ଆତଙ୍କବାଦୀ ସିସିଟିଭି କ୍ୟାମେରାରେ କଏଦ୍ ହୋଇଛନ୍ତି । ସିସିଟିଭି ଫୁଟେଜରୁ ଜଣାପଡ଼ୁଛି ତିନି ଜଣ ଲୋକ ଏକ ମୋଟର୍ସାଇକେଲ୍ ଚଢ଼ି ଯାଉଛନ୍ତି। ଆକ୍ରମଣକାରୀମାନେ ସେମାନଙ୍କ ମୁହଁ ଢାଙ୍କି ଦେଇଛନ୍ତି। ବିଳମ୍ବିତ ରାତ୍ରୀରେ ଚିତ୍ର ରିଲିଜ୍ କରି ଆକ୍ରମଣକାରୀଙ୍କୁ ଚିହ୍ନଟ କରିବାରେ ପୁଲିସ ଜନସାଧାରଣଙ୍କ ସହାୟତା ଚାହିଁଛି । ଏକ ବିବୃତିରେ ପୁଲିସ କହିଛି, ଆଜି ଶ୍ରୀନଗର ଠାରେ ଆତଙ୍କବାଦୀ ଆକ୍ରମଣର ତଦନ୍ତ ଉଦ୍ଦେଶ୍ୟରେ ସମ୍ପୃକ୍ତ ସନ୍ଦିଗ୍ଧମାନଙ୍କୁ ଚିହ୍ନଟ କରିବା ପାଇଁ ପୁଲିସ ସର୍ବସାଧାରଣଙ୍କ ସହାୟତା ପାଇଁ ଅନୁରୋଧ କରୁଛି। ସନ୍ଦିଗ୍ଧମାନଙ୍କ ସମ୍ପନ୍ଧରେ ସୂଚନା ଦେବା ଲୋକଙ୍କ ନାମ ଗୋପନ ରଖାଯିବ ବୋଲି ଏଥିରେ ଉଲ୍ଲେଖ ରହିଛି।