ଦିନରେ ଏତଲା, ରାତିରେ ମିଳିଲା ଫାଇଲ୍ । ମିଳିଲା ହଜିଥିବା ଶ୍ରୀମନ୍ଦିର ପ୍ରଶାସନର ଫାଇଲ୍ । ଆଇନ ବିଭାଗ ପାଇଥିବା ସୂଚନା ଦେବା ପରେ ତେଜିଲା ରାଜନୀତି ।

158

କନକ ବ୍ୟୁରୋ: ଜଗନ୍ନାଥ ମନ୍ଦିରର ଫାଇଲ ହଜିବା ଓ ଥାନାରେ ଏତଲା ପରେ ପୁଣି ମିଳିବା, ଚର୍ଚ୍ଚାର ବିଷୟ ହୋଇଛି । ଫାଇଲ କେମିତି ହଜିଲା? ଯଦି ହଜିଥିଲା, କେଉଁଠି ଥିଲା ଆଉ ଥାନାରେ ଏତଲା ହେଉ ହେଉ କେମିତି ମିଳିଗଲା ସେ ନେଇ ପ୍ରଶ୍ନ ଉଠାଇଛି ବିଜେପି । ଏଥିସହ ଫାଇଲ ପ୍ରକୃତରେ ହଜିଥିଲା ନା ହଜିଯିବାର ନାଟକ କରାଯାଉଥିଲା ସେ ନେଇ ପ୍ରଶ୍ନ ଉଠାଇଛି ବିଜେପି ।

  • ଥାନାରେ ଏତଲା ହେଲା
  • ମିଳିଗଲା ହଜିଥିବା ଫାଇଲ

ଶ୍ରୀମନ୍ଦିର ପ୍ରଶାସନର ହଜିଯାଇଥିବା ଫାଇଲ ମିଳିଛି । ଏ ନେଇ ସୂଚନା ଦେଇଛନ୍ତି ଆଇନ ବିଭାଗର ପ୍ରମୁଖ ସଚିବ । ଜେଟିଏର ଦୁଇଟି ଫାଇଲ ପାଉନଥିଲା ରାଜ୍ୟ ଆଇନ ବିଭାଗ । ହଜିଯାଇଥିବା ଫାଇଲକୁ ଖୋଜି ବାହାର କରିବାକୁ ବିଭାଗର ସମସ୍ତ ସେକ୍ସନକୁ ନିର୍ଦ୍ଦେଶ ଦିଆଯାଇଥିଲା । ଆଗକୁ ଓଡିଶା ହାଇକୋର୍ଟରେ ଶ୍ରୀମନ୍ଦିର ମାମଲାରେ ଶୁଣାଣି ହେବାକୁ ଅଛି । ତା ପୂର୍ବରୁ ଏଭଳି ଫାଇଲ ହଜିବା ନୂଆ ସମସ୍ୟା ସୃଷ୍ଟି କରିଥିଲା । ତେବେ ଆଇନ ବିଭାଗ ଅବହେଳା ଯୋଗୁଁ ଏଭଳି ହୋଇଥିବା ଅଭିଯୋଗ ହୋଇଥିଲା । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଜୋରଦାର ଦାବି ହୋଇଥିଲା । ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଗତକାଲି କ୍ୟାପିଟାଲ ଥାନାରେ ଏତଲା ଦେଇଥିଲେ । ଆଉ ଏହାପରେ ରାତିରେ ଫାଇଲ ମିଳିଥିବା ନେଇ ସୂଚନା ଦେଇଥିଲେ ଆଇନ ବିଭାଗ ପ୍ରମୁଖ ସଚିବ ।

ଫାଇଲ୍ ମିଳିବା ପରେ ଆଶ୍ୱସ୍ତ ହୋଇଛି ଆଇନ ବିଭାଗ । କିନ୍ତୁ ବିରୋଧୀ ଏହାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି । ଫାଇଲ ପ୍ରକୃତରେ ହଜିଥିଲା ନା ହଜିଯିବାର ନାଟକ କରାଯାଉଥିଲା ତାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । ରାଜ୍ୟ ସରକାର ଫାଇଲକୁ ଗାଏବ କରି ଶ୍ରୀଜଗନ୍ନାଥ ପ୍ରଶାସନର ତଥ୍ୟକୁ ଲୋକଲୋଚନରୁ ଦୂରେଇ ରଖିବା ପାଇଁ ଏଭଳି ଅପପ୍ରଚାର କରିଥିବା ଦଳ ଅଭିଯୋଗ କରିଛି ।

ଏପଟେ ଚର୍ଚ୍ଚା ବଢାଇଛି ଆଇନ ବିଭାଗ ଲେଖିଥିବା ଆଉ ଏକ ଚିଠି । ଶ୍ରୀମନ୍ଦିରରେ ସ୍ଥାୟୀ ପ୍ରଶାସକ ନିଯୁକ୍ତି ନେଇ ଏହି ଚିଠି ଲେଖାଯାଇଛି । ବିଶେଷ କରି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ମଧ୍ୟ ଏହି ଚିଠିରେ କୁହାଯାଇଛି । ତେବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧିନରେ ପୁରୀକୁ ଐତିହ୍ୟ ସହରରେ ପରିଣତ କରିବାକୁ ବଡବଡ ପ୍ରକଳ୍ପ କାମ ସବୁ ଚାଲୁ ରହିଛି । ତେଣୁ କାହିଁକି କୋର୍ଟଙ୍କ ନିର୍ଦ୍ଦେଶ ପରେ ବି ଶ୍ରୀମନ୍ଦିରରେ ସ୍ଥାୟୀ ପ୍ରଶାସକ ନିଯୁକ୍ତି କରାଯାଉ ନାହିଁ ତାକୁ ନେଇ ବଡ ପ୍ରଶ୍ନ ଉଠିଛି ।