ଘର ପୋଡ଼ିଦେଲା ଘଡ଼ଘଡ଼ି । ଭୁବନେଶ୍ୱର ଉପକଣ୍ଠ ଅନ୍ଧାରୁଆରେ ବଜ୍ରପାତ । ଜଳିଗଲା ୬ ବାଇକ ଓ ଆସବାବପତ୍ର

387

କନକ ବ୍ୟୁରୋ: କିଛି ଦିନର ଅସହ୍ୟ ତାତି ପରେ କାଳବୈଶାଖୀ ଆଶ୍ୱସ୍ତି ଆଣିଦେଇଛି । ହେଲେ କାଳବୈଶାଖୀ ବର୍ଷା ଯୋଗୁଁ ହେଉଥିବା ବଜ୍ରପାତ ଯୋଗୁଁ ଧନଜୀବନ ହାନି ହେଉଛି । ଗତକାଲି ବିଳମ୍ବିତ ରାତିରେ ରାଜଧାନୀ ଉପକଣ୍ଠ ଅନ୍ଧାରୁଆରେ ଏକ ଘର ଉପରେ ଘଡଘଡି ପଡିଥିଲା । ବଜ୍ରପାତ ପରେ ଘର ଆଗରେ ଥିବା ୬ଟି ବାଇକ ଓ ଘର ଭିତରେ ଝିଅ ବାହାଘର ପାଇଁ ରଖିଥିବା ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି । ସେପଟେ ରାୟଗଡାରେ ବଜ୍ରାଘାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଛି ।

  • ଘର ଉପରେ ପଡିଲା ଘଡଘଡି
  • ଜଳିଗଲା ୬ ବାଇକ, ଆସବାବପତ୍ର

ରାତି ପାଖପାଖି ସାଢେ ୧୨ଟା ସମୟ, ସ୍ଥାନ ରାଜଧାନୀ ଉପକଣ୍ଠ ଅନ୍ଧାରୁଆ । କାଳବୈଶାଖୀ ଝଡପବନ ଭିତରେ ହଠାତ୍ ଅନ୍ଧାରୁଆର ପ୍ରଶାନ୍ତ ବଡଜେନାଙ୍କ ଘର ଉପରେ ଘଡଘଡି ପଡିଥିଲା । ନିମିଷକେ ଘର ପାର୍ଟିକୋରେ ଥିବା ବାଇକ, ଜଳି ଉଠିଥିଲା । କେହି କିଛି ବୁଝିବା ଆଗରୁ ଚାହୁଁ ଚାହୁଁ ନିଆଁ ଘର ଭିତରେ ପଶି ଆସବାବପତ୍ରରେ ଲାଗିଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିିଶମବାହିନୀ ନିଆଁକୁ ଆୟତ କରିଛନ୍ତି । ହେଲେ ସେତେବେଳକୁ ସବୁକିଛି ଜଳି ପାଉଁଶ ହୋଇଯାଇଛି । ସବୁ ବାଇକ ଜଳି ଯାଇଛି, ଘର ସାମ୍ନାପଟ କାନ୍ଥ ଫାଟି କଳା ହୋଇଯାଇଛି । ଝିଅ ବାହାଘର ପାଇଁ ଘରେ ରଖିଥିବା ଆସବାବପତ୍ର ପୋଡିଯାଇଥିବାରୁ ପ୍ରଶାନ୍ତଙ୍କ ପରିବାର ସରକାରୀ ସହାୟତା ପାଇଁ ଅନୁରୋଧ କରିଛନ୍ତି ।

  • ବଜ୍ରପାତରୁ କେମିତି ସୁରକ୍ଷିତ ରହିବ ଘର?
  • ଉପାୟ ବତାଇଲେ ପଦାର୍ଥ ବିଜ୍ଞାନ ପ୍ରଫେସର

ବଜ୍ରପାତ ହେଲେ ହାଇ ଭୋଲଟେଜ କରେଣ୍ଟ ଘରର କାନ୍ଥ ମଧ୍ୟ ଭାଙ୍ଗି ଦେଇପାରେ । ହେଲେ ଏବେ ବଜ୍ରପାତରୁ ଘରକୁ ସୁରକ୍ଷିତ ରଖିବା ପାଇଁ ବଜାରରେ ଲାଇଟେନିଂ ପ୍ରୋଟେକ୍ସନ ସିଷ୍ଟମ ମିଳୁଛି । ଏହାକୁ ବ୍ୟବହାର କଲେ ଘର ଉପରେ ବଜ୍ରପାତ ହେଲେ ମଧ୍ୟ କୌଣସି କ୍ଷତି ହେବ ନାହିଁ । ଘଡଘଡିର ହାଇଭୋଲଟେଜ କରେଣ୍ଟ ଘର ଉପରେ ପଡିବା ପୂର୍ବରୁ ଲାଇଟେନିଂ ପ୍ରୋଟେକ୍ସନ ସିଷ୍ଟମ ତାକୁ ଟାଣିନେଇ ଆର୍ଥିଂ ଜରିଆରେ ମାଟି ଭିତରେ ଛାଡିବ । ବଜାରରେ ଏହି ଉପକରଣ ସହଜରେ ମିଳୁଥିବାରୁ ଘରକୁ ବଜ୍ରପାତରୁ ସୁରକ୍ଷିତ ରଖାଯାଇପାରିବ ବୋଲି କହିଛନ୍ତି ପଦାର୍ଥ ବିଜ୍ଞାନ ପ୍ରଫେସର ରବୀନ୍ଦ୍ର ନାଥ ମିଶ୍ର ।

ସେପଟେ ବଜ୍ରପାତରେ ରାୟଗଡା ଜିଲ୍ଲା ଅମ୍ବାଦଳା ନିକଟ ଥୁଆପାଡି ଗାଁରେ ବଜ୍ରାଘାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି କୁମ୍ଭ ପ୍ରଧାନୀ । ସେ ଶୌଚ ପାଇଁ ବାହାରକୁ ବାହାରିଥିଲା ବେଳେ ବଜ୍ରଘାତରେ ତାଙ୍କ ଜୀବନ ଯାଇଛି ।