ମୁଁ କାହିଁକି ହେଲି ବାଉଁଶରାଣୀ? ଛତିଶଗଡରୁ ଆସି ଓଡିଶାରେ ଖେଳ ଦେଖାଉଛି ୮ ବର୍ଷର ଅନୁସୂୟା

352

କନକ ବ୍ୟୁରୋ: ପେଟର ଭୋକ ମଣିଷକୁ ଯେ କୈାଣସି ସ୍ତରକୁ ନେଇଯାଏ । ସବୁ କିଛି କରିବାକୁ ବାଟ ଦେଖାଏ । ଆଜି ଏହିଭଳି ଏକ ଘଟଣା ଦେଖିବା ସୁନ୍ଦରଗଡରୁ । କିଭଳି ପେଟର ଭୋକ ଆଗରେ ହାର ମାନିଛି ବୟସ । ବଚିଂବା ପାଇଁ କିଭଳି ରାଜ୍ୟରୁ ରାଜ୍ୟ ଯାଇ ଖେଳ ଦେଖାନ୍ତି ବାଉଁଶ ରାଣୀ । ସୁନ୍ଦରଗଡରୁ ଦେଖନ୍ତୁ ବାଉଁଶରାଣୀଙ୍କ ଜୀବନ ସଂଘର୍ଷର ଏଇ କାହାଣୀ ।

ସୁନ୍ଦରଗଡ ପୁରୁଣା ବସଷ୍ଟାଂଡରେ ଗୀତ ବାଜୁଛି, ବାଉଁଶରାଣୀ ଖେଳ ଦେଖାଇବା ପାଇଁ ପୁରା ଟିମ୍ ପ୍ରସ୍ତୁତ ଅଛନ୍ତି । କାରଣ ଖେଳ ନକଲେ ପେଟ ଅପୋଷା ରହିବ । ଆପଣମାନେ ମଧ୍ୟ ଦିନେ ନା ଦିନେ ଏ ଖେଳ ଦେଖିଥିବେ, ଆଉ ଖେଳ ଦେଖି ସାରିବା ପରେ ଘରୁ ଚାଉଳ ଗଣ୍ଡାଏ କି ଟଙ୍କା କେଇଟା ନିଶ୍ଚୟ ଦେଇଥିବେ । ଆଜି ସୁନ୍ଦରଗଡରେ ସେଇ ବାଉଁଶରାଣୀ ଖେଳ ଦେଖାଉଛି କୁନି ଝିଅ । ୭ରୁ ୮ ବର୍ଷର ଝିଅଟି ବାଉଁଶର ପ୍ରାୟ ୧୦ ଫୁଟ ଉଚରେ ବନ୍ଧା ହୋଇଥିବା ରଶିରେ ବିପଦଜନକ କୌଶଳ ଦେଖାଉଛି । କେତେବେଳେ ଚପଲରେ ଚାଲୁଛି ତ କେତେବେଳେ ଆଣ୍ଠେଇ କି, କେତେବେଳେ ସାଇକେଲ ରିଂରେ ଗଡିଗଡି ଯାଉଛି ତ ପୁଣି କେତେବେଳେ ଖାଇବା ପ୍ଲେଟ ଉପରେ ଠିଆ ହୋଇ ରଶିରେ ଘୁଚିଂ ଘୁଚିଂ ଯାଉଛି । ଏମିତି କରିବା ପଛରେ ତାର ଗୋଟିଏ ଉଦେଶ୍ୟ, ଏଇ କୌଶଳ ଦେଖି, ଲୋକେ ଖୁସି ହେବେ, ତାଙ୍କୁ କିଛି ଟଙ୍କା ଦେବେ, ସେଥିରେ ସେ ଓ ତା’ ବାପାମାଆଙ୍କ ପେଟ ପୁରିବ ।

ସୁନ୍ଦରଗଡରେ ବାଉଁଶରାଣୀ ଖେଳ ଦେଖାଉଥିବା ଏହି ପରିବାର ଛତିଶଗଡରୁ ଆସିଛନ୍ତି । ପେଟର ଭୋକ ଏମାନଙ୍କୁ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଟାଣି ଆଣିଛି । ନିଜ ରାଜ୍ୟରେ ଏହି ଖେଳ ଦେଖାଇ ପେଟ ପୋଷୁଥିଲେ । ଏବେ କରୋନା କଟକଣା କୋହଳ ହେବା ପରେ ଖେଳ ଦେଖାଇବା ପାଇଁ ପଡୋଶୀ ରାଜ୍ୟର ସୁନ୍ଦରଗଡକୁ ଆସି ଏହିଭଳି ଭାବେ ପେଟ ପାଟଣା ଜାରି ରଖିଛନ୍ତି ।

ଦେଖିବା ଲୋକ ବି ଆଶ୍ଚର୍ଯ୍ୟ ହୋଇ ବାଉଁଶରାଣୀର ଖେଳକୁ ଉପଭୋଗ କରୁଥିଲେ । ହେଲେ ଏହି ଖେଳ ପଛରେ ଯେ, ଭୋକ ରହିଛି, ହୁଏତ ଅନେକଙ୍କୁ ଜଣା ନଥିବ ।