କମିନ୍ସଙ୍କ ବିସ୍ଫୋରକ ଇନିଂସ ଦେଖି ତାଜୁବ ହେଲେ ଆୟର । କହିଲେ, ନେଟସରେ ବାରମ୍ବାର ବୋଲ୍ଡ ହେଉଥିଲେ କମିନ୍ସ ।

133

କନକ ବ୍ୟୁରୋ : ଆଇପିଏଲରେ ପ୍ୟାଟ କମିନ୍ସ ଧୂଆଁଧାର ବ୍ୟାଟିଂ କରିବା ସହ କୋଲକାତାକୁ ଚାମ୍ପିୟନ ମୁମ୍ବାଇ ବିପକ୍ଷରେ ବଡ ବିଜୟ ଭେଟି ଦେଇଛନ୍ତି । ମାତ୍ର ୧୪ ବଲରୁ ଅର୍ଦ୍ଧଶତକ ହାସଲ କରି କମିନ୍ସ ନୂଆ ରେକର୍ଡ ହାସଲ କରିଛନ୍ତି । ଆଇପିଏଲରେ ଦ୍ରୁତ ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ ନିଜ ନାଁରେ କରିଛନ୍ତି କମିନ୍ସ । ବିଶାଳ ଛକା ସାଙ୍ଗକୁ ଦମଦାର ବୋଲିଂ କରି ଚଳିତ ସିଜିନରେ ପ୍ରଥମ ମ୍ୟାଚ୍ ଖେଳୁଥିବା କମିନ୍ସ କୋଲକାତା ବିଜୟର ସାରଥୀ ସାଜିଥିଲେ । ଆଉ ଏହି ଇନିଂସ ପରେ କମିନ୍ସଙ୍କୁ ଛୁଟୁଛି ପ୍ରଂଶସାର ସୁଅ ।

ଆଉ କମିନ୍ସଙ୍କ ଏହି ବିସ୍ଫୋରକ ଇନିଂସ ପରେ ଅଧିନାୟକ ଶ୍ରେୟସ ଆୟର କହିଛନ୍ତି, କମିନ୍ସଙ୍କର ଏହା ଅବିଶ୍ୱସନୀୟ ଇନିଂସ । ମୁଁ ବିଶ୍ୱାସ କରି ପାରୁନାହିଁ ଯେ, କମିନ୍ସ ଏଭଳି ବିସ୍ଫୋରକ ବ୍ୟାଟିଂ କରିବେ । କାରଣ ମ୍ୟାଚ୍ ପୂର୍ବଦିନ ନେଟ୍ ପ୍ରାକ୍ଟିସ ସମୟରେ ବାରମ୍ବାର ବୋଲ୍ଡ ହେଉଥିଲେ କମିନ୍ସ । ସେତେବେଳେ ମୁଁ କମିନ୍ସଙ୍କ ପାଖ ନେଟସରେ ବ୍ୟାଟିଂ କରୁଥିଲି । ଏହାଛଡା ଗତକାଲି ଯେତେବେଳେ ଟାଇମ ଆଉଟ ହୋଇଥିଲା ସେତେବେଳେ ଉଭୟ କମିନ୍ସ ଓ ଭେଙ୍କଟେଶ ଆୟରଙ୍କୁ ବଡ ସଟ ଖେଳିବାକୁ ପୋତ୍ସାହିତ କରିଥିଲି । ଏପରିକି ଟପ୍ ଅର୍ଡର ବ୍ୟାଟରଙ୍କ ଭଳି ଦାୟିତ୍ୱ ନେଇ ଖେଳିବାକୁ କହିଥିଲି ।

କେବଳ ଅଧିନାୟକ ଶ୍ରେୟସ ଆୟର ନୁହଁନ୍ତି ବରଂ ଟିମର ମାଲିକ ଶାହାରୁଖ ଖାନ୍ କହିଛନ୍ତି, କମିନ୍ସଙ୍କ ଇନିଂସ ଦେଖିବା ପରେ ମୋତେ ରସେଲଙ୍କ ଭଳି ନାଚିବାକୁ ଇଚ୍ଛା ହେଉଛି ଏବଂ କମିନ୍ସଙ୍କୁ କୋଳାଗ୍ରତ କରିବାକୁ ଇଚ୍ଛା ହେଉଛି । ଚଳିତଥର କମିନ୍ସଙ୍କୁ ମହାନିଲାମୀ ପୂର୍ବରୁ ରିଲିଜ କରିଥିଲା କେକେଆର । କିନ୍ତୁ ପରେ ମହାନିଲାମୀରେ ପୁଣିଥରେ ୭.୨୫ କୋଟି ଟଙ୍କାରେ ଦଳରେ ସାମିଲ କରିଥିଲା । କମିନ୍ସଙ୍କ ବିଧ୍ୱଂସୀ ଇନିଂସ ବଳରେ କୋଲକାତା କେବଳ ବିଜୟୀ ହୋଇନାହିଁ ବରଂ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ।