କମାଲ କଲେ ନବମ ଶେଣ୍ରୀର ଛାତ୍ର । ତିଆରି କଲେ ବିନା ଚେନର ସାଇକେଲ ।

169

କନକ ବ୍ୟୁରୋ : କମାଲ କଲେ ନବମ ଶ୍ରେଣୀର ଛାତ୍ର । ତିଆରି କଲେ ଚେନ୍ ବିହୀନ ସାଇକେଲ । ସ୍କୁଲ ଯାଉଥିବା ବେଳେ ବାରମ୍ବାର ଚେନ୍ ଛିଡିଯିବାରୁ ମାଡ ଖାଉଥିଲେ ଛାତ୍ର । ତେଣୁ ଶିକ୍ଷକଙ୍କ ସହାୟତାରେ ବିନା ଚେନରେ ସାଇକେଲ ତିଆରି କଲେ ଛାତ୍ର ।

ବିନା ଚେନରେ ଗଡିଲା ସାଇକେଲ । କମାଲ କଲେ ନବମ ଶ୍ରେଣୀ ଛାତ୍ର । ଆଉ ସାଇକେଲ ଚଳାଇବା ବେଳେ ଚେନ ଛିଡିବା ଅବା ଖସିବାର ଆଶଙ୍କା ରହିବ ନାହିଁ । କାର ଭଳି ବିନା ଚେନରେ ଚାଲିବ ସାଇକେଲ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥା ଟି ସତ । ଏଭଳି କାର୍ଯ୍ୟ କରି ଦେଖାଇଛନ୍ତି ଅନୁଗୁଳ ତାଳଚେରର ନବମ ଶ୍ରେଣୀ ଛାତ୍ର ଅଭିଜିତ ସାହୁ । ଆଉ ଏଥିରେ ତାଙ୍କୁ ସହଯୋଗ କରିଛନ୍ତି ସ୍କୁଲର ବିଜ୍ଞାନ ଶିକ୍ଷକ । ସାଇକେଲରୁ ଚେନ କାଢି ସେଥିରେ ସାଫ୍ଟ ଯୋଡିଦେଇଛନ୍ତି ଅଭିଜିତ । ସାଇକେଲର ପେଡେଲ ମାରିଲେ ସାଫ୍ଟ ମାଧ୍ୟମରେ ବୁଲୁଛି ସାଇକେଲ ଚକ । ତେବେ ଏଥିପାଇଁ ଜାତୀୟ ସ୍ତରରେ ପୁରସ୍କାର ପାଇବାକୁ ମନୋନିତ ହୋଇଛନ୍ତି ଅଭିଜିତ୍ ।

ଦିନେ ସ୍କୁଲ ଯାଉଥିବା ସମୟରେ ଅଭିଜିତଙ୍କ ସାଇକେଲର ଚେନ ଛିଡି ଯାଇଥିଲା । ଫଳରେ ସ୍କୁଲରେ ପହଞ୍ଚିବା ବିଳମ୍ବ ହୋଇଥିଲା । ଯେଉଁଥିପାଇଁ ଶିକ୍ଷକଙ୍କ ଠାରୁୁ ତାଙ୍କୁ ଗାଳିମାଡ ଖାଇବାକୁ ପଡିଥିଲା । ପରେ ତାଙ୍କ ମନକୁ ଆସିଥିଲା ବିନା ଚେନରେ ସାଇକେଲ କଥା । ଆଉ ସ୍କୁଲର ବିଜ୍ଞାନ ଶିକ୍ଷକଙ୍କ ସହଯୋଗରେ ଏଭଳି ସାଇକେଲ ନିର୍ମାଣ କରିଥିଲେ ଅଭିଜିତ୍ । ଏବେ ଅଜିଭିତ୍ ଏଭଳି ଆଉ କିଛି ସାଇକେଲ ନିର୍ମାଣ କରିବାକୁ ଇଚ୍ଛା ରଖିଥିଲେ ମଧ୍ୟ ବାଧକ ସାଜିଛି ଅର୍ଥ । ସେପଟେ ଅଭିଜିତଙ୍କ ଏଭଳି କାର୍ଯ୍ୟ ପାଇଁ ବେଶ ଖୁସି ହୋଇପଡିଛନ୍ତି ପରିବାର ଲୋକ । ଯଦି ସରକାରଙ୍କ ତରଫରୁ ଏଭଳି ଉଦ୍ୟୋଗୀ ଛାତ୍ରଛାତ୍ରୀମାନଙ୍କୁ କିଛି ସହଯୋଗ ମିଳନ୍ତା ତେବେ ସେମାନେ କିଛି ନୂଆ କରିବାକୁ ମନ ବଳାନ୍ତେ ।