ସ୍ପଷ୍ଟୀକରଣ ସତ୍ୱେ ତୁଟୁନି ବିବାଦ : ପୁଣି ଥରେ ରତ୍ନ ଭଣ୍ଡାର ଖୋଲିବାକୁ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ଦାବି

45

କନକ ବୁରୋ: ଶ୍ରୀମନ୍ଦିର ପ୍ରଶାସନର ସ୍ପଷ୍ଟୀକରଣ ସତ୍ୱେ ରତ୍ନଭଣ୍ଡାର ଚାବି ହଜିବା ବିବାଦ ବଢିବାରେ ଲାଗିଛି । ରତ୍ନ ଭଣ୍ଡାର ପୁଣି ଥରେ ଖୋଲାଯିବାକୁ ଦାବି କରିଛନ୍ତି ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର । ସେ କହିଛନ୍ତି, ଶ୍ରୀଜୀଉଙ୍କ ଅଳଙ୍କାରର ପୁନଃହିସାବ ହେଲେ ଲୋକଙ୍କ ମନରୁ ସନ୍ଦେହ ଦୂର ହେବ । ସ୍ୱତନ୍ତ୍ର କମିଟି ଗଠନ କରାଯାଇ ସୁରକ୍ଷା ବ୍ୟବସ୍ଥା ଭିତରେ ରତ୍ନଭଣ୍ଡାର ଖୋଲାଯାଇ ସମ୍ପତି ପୁଣି ଆକଳନ କରାଯାଉ । ୧୯୮୫ ମସିହାରେ ଶେଷ ଥର ଲାଗି ଅଳଙ୍କାରର ଆକଳନ କରାଯାଇ ଚାବି ପକାଯାଇଥିଲା । ତେଣୁ ୮୫ ମସିହାରୁ ତଦନ୍ତ ହେବା ଦରକାର ।

bijaya mohapatra

ବିଜୟ କହିଛନ୍ତି, ନ୍ୟାୟିକ ତଦନ୍ତ ଘୋଷଣା ହୋଇଛି କିନ୍ତୁ ଟର୍ମସ ଅଫ ରେଫରନ୍ସ ଆସିନି । ତେଣୁ ଏହାର ତଦନ୍ତ କରାଯାଇ ରିପୋର୍ଟକୁ ସାର୍ବଜନୀନ କରାଯାଉ । ତଦନ୍ତ କମିଶନଙ୍କୁ ସହାୟତା କରିବାକୁସ୍ୱତନ୍ତ୍ର କମିଟି ଗଠନ କରାଯାଉ । ୮୫ ମସିହା ପରଠାରୁ ଯେଉଁମାନେ ଦାୟିତ୍ୱରେ ଥିଲେ ସେମାନେ ଏ ବିଷୟରେ ସଚେତନା ହେବା ଦରକାର ଥିଲା ବୋଲି କହିଛନ୍ତି ବିଜୟ ମହାପାତ୍ର ।

ରତ୍ନଭଣ୍ଡାରର ଚାବି ହଜିଯିବା ପ୍ରସଙ୍ଗରେ ସ୍ପଷ୍ଟିକରଣ ରଖିଥିଲା ଶ୍ରୀମନ୍ଦିର ପ୍ରଶାସନ । ମହାପ୍ରଭୁଙ୍କ ସମସ୍ତ ଅଳଙ୍କାର ରତ୍ନଭଣ୍ଡାରରେ ସୁରକ୍ଷିତ ଅଛି ବୋଲି ସ୍ପଷ୍ଟିକରଣ ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ତେବେ ୩ଟି ଯାକ ଚାବିରୁ ଗୋଟିଏ ହଜିଯିବା କଥା ସତ ବୋଲି ଶ୍ରୀମନ୍ଦିର ପ୍ରଶାସନ ସ୍ୱୀକାର କରିଛି ।ଏହା ସହ ମୁଖ୍ୟମନ୍ତ୍ରୀଙ୍କ ନ୍ୟାୟିକ ତଦନ୍ତ ବ୍ୟବସ୍ଥାରେ ପୂର୍ଣ ସହଯୋଗ କରାଯିବ ବୋଲି ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ପ୍ରଶାସନ ପକ୍ଷରୁ କୁହାଯାଇଛି ରତ୍ନଭଣ୍ଡାର ୨ ଭାଗରେ ବିଭକ୍ତ । ବାହାର ରତ୍ନଭଣ୍ଡାର ଓ ଭିତର ରତ୍ନଭଣ୍ଡାର । ବାହାର ଭଣ୍ଡାରଘର ଖୋଲାନଗଲେ ରତ୍ନଭଣ୍ଡାର ଖୋଲିବା ଅସମ୍ଭବ । ଶେଷଥର ପାଇଁ ଭିତର ରତ୍ନଭଣ୍ଡାର ୧୯୮୫ ମସିହାରେ ଖୋଲାଯାଇଥିଲା ଓ କାର୍ଯ୍ୟ ଶେଷ ପରେ ସେଠାରେ ସେଠାରେ ପଡିଥିବା ୩ଟି ତାଲା ମଧ୍ୟରୁ ଗୋଟିଏ ତାଲାରେ ଜଉମୁଦ ଦିଆଯାଇଥିଲା ।, ଯାହା ବର୍ତମାନ ଯାଏଁ ଅକ୍ଷୂର୍ଣ୍ଣ ଅବସ୍ଥାରେ ଅଛି । ଏହା ପ୍ରମାଣ କରିଛି ଭିତର ରତ୍ନଭଣ୍ଡାରରେ କୌଣସି ଅବ୍ୟବସ୍ଥା ହୋଇନାହିଁ ।

ତେବେ ଭିତର ରତ୍ନଭଣ୍ଡାରକୁ ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ କଳ୍ପନାଜଳ୍ପନା ଓ ତଥ୍ୟ ଜନମାସରେ ଉଦବେଗ ଓ ବିଭ୍ରାନ୍ତି ସୃଷ୍ଟି କରୁଛି । ଶ୍ରୀଜୀଉଙ୍କ ଅଳଙ୍କାରଗୁଡିକ ସୁଦୃଢ ସୁରକ୍ଷା ବ୍ୟବସ୍ଥାରେ ରହିଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ଏ ବାବଦରେ ଜନସାଧାରଣ ବିଭ୍ରାନ୍ତ ନ ହେବାକୁ ପ୍ରଶାସନ ଅନୁରୋଧ କରୁଛି । ଗତକାଲି ଚାବି ହଜିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନ୍ୟାୟିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ୩ ମାସ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଏହାର ତଦନ୍ତ କରିବେ ।