ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ପଦକୁ ନେଇ ପୁଣି ତେଜିଲା ବିବାଦ । ଆତ୍ମଘୋଷିତ ଶଙ୍କରାଚାର୍ଯ୍ୟ ଅଧ୍ୟକ୍ଷାନନ୍ଦଙ୍କୁ ଜୋରଦାର ବିରୋଧ ।

253

କନକ ବ୍ୟୁରୋ: ନିଜକୁ ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ବୋଲି ଦାବି କରୁଥିବା ଅଧ୍ୟକ୍ଷାନନ୍ଦ ଦେବତୀର୍ଥଙ୍କୁ ନେଇ ଆଜି ହାଇଡ୍ରାମା ଦେଖିବାକୁ ମିଳିଛି । ଓଡିଶା ଆସିଥିବା ଅଧ୍ୟକ୍ଷାନନ୍ଦଙ୍କୁ ପୁରୀ ଓ ଭୁବନେଶ୍ୱରରେ ବିରୋଧ କରାଯାଇଛି । ସକାଳେ ପୁରୀ ରେଳଷ୍ଟେସନରେ ବିରୋଧ ଓ ପରେ ଲିଙ୍ଗରାଜ ମନ୍ଦିର ଦର୍ଶନ କରିବାକୁ ଆସିଥିବା ବେଳେ ବିରୋଧର ସମ୍ମୁଖୀନ ହୋଇଛନ୍ତି ଅଧ୍ୟକ୍ଷାନନ୍ଦ । ତେବେ ଦୀର୍ଘ ବର୍ଷ ପରେ ଅଧ୍ୟକ୍ଷାନନ୍ଦ ଦେବତୀର୍ଥ ପୁଣି ପୁରୀ ଆସିବା ପୁରୁଣା ବିବାଦକୁ ଆଉ ଥରେ ଉଖାରିଛି ।

ପୁରୀ ଓ ଭୁବନେଶ୍ୱରରେ ଅଧ୍ୟକ୍ଷାନନ୍ଦ ଦେବତୀର୍ଥଙ୍କୁ ବିରୋଧ । ସକାଳେ ପୁରୀ ରେଳଷ୍ଟେସନରେ ତାଙ୍କୁ ପ୍ରବଳ ବିରୋଧ କରାଯାଇଥିଲା । ଏହାପରେ ଲିଙ୍ଗରାଜ ମନ୍ଦିର ଦର୍ଶନ କରିବାକୁ ଆସିଥିବା ବେଳେ ବିରୋଧ ପ୍ରଦର୍ଶନ କରାଯାଇଛି । ଅଧ୍ୟକ୍ଷାନନ୍ଦ ଦେବତୀର୍ଥଙ୍କ ଦାବି, ସେ ହିଁ ପୁରୀ ଗୋବର୍ଦ୍ଧନ ପୀଠର ପ୍ରକୃତ ଶଙ୍କରାଚାର୍ଯ୍ୟ । ନିଜକୁ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ଦର୍ଶାଇ ତାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ରେଳବାଇ ପୁଲିସକୁ ଚିଠି ଲେଖିଥିଲେ ଅଧକ୍ଷାନନ୍ଦ ଦେବତୀର୍ଥ ।

ପୁରୀରେ ପହଁଚିବା ପରେ, ରେଳ ଷ୍ଟେସନରେ ତାଙ୍କୁ ବିରୋଧ କରିଥିଲେ ଆଦିତ୍ୟବାହିନୀର ସଦସ୍ୟ । ତାଙ୍କୁ ନକଲି ଶଙ୍କରାଚାର୍ଯ୍ୟ କହି ବିରୋଧ କରାଯାଇଥିଲା । ଉତ୍ତେଜନା ବଢ଼ୁଥିବାବେଳେ ଜିଆରପି ଓ ପୁରୀ ପୁଲିସ ମିଳିତ ସୁରକ୍ଷା ଦେଇ ତାଙ୍କୁ ସହର ବାହାରେ ଥିବା ବେଲେଶ୍ୱର ଆଶ୍ରମକୁ ପଠାଇ ଦେଇଥିଲେ । ଆଦିତ୍ୟବାହିନୀ ପକ୍ଷରୁ ଜିଆରପି ଓ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରାଯାଇଛି । ପୁରୀ ପରେ ଭୁବନେଶ୍ୱର ଲିଙ୍ଗରାଜରେ ବି ତାଙ୍କୁ ବିରୋଧ କରାଯାଇଛି । ଲିଙ୍ଗରାଜ ମନ୍ଦିରରେ ସେ ପହଞ୍ଚିବା ପରେ ନିଜକୁ ଶଙ୍କରାଚାର୍ଯ୍ୟ ବୋଲି ପରିଚୟ ଦେଇଥିଲେ ।

ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ନିଶ୍ଚଳନନ୍ଦ ସରସ୍ୱତୀ । ହେଲେ ଏହି ପୀଠର ଶଙ୍କରାଚାର୍ଯ୍ୟ ବୋଲି ଦାବି କରି ଆସୁଛନ୍ତି ଅଧ୍ୟକ୍ଷାନନ୍ଦ ଦେବତୀର୍ଥ । ୨୫ ବର୍ଷ ତଳୁ ଏହି ବିବାଦ ଲାଗି ରହିଛି । ୧୯୯୬ରୁ ୨୦୦୦ ମସିହା ମଧ୍ୟରେ ଏହି ବିବାଦ ଉଗ୍ରରୂପ ନେଇଥିଲା । ମାମଲା ହାଇକୋର୍ଟକୁ ଯାଇଥିଲା । ପୁରୀରେ ଧାର୍ମିକ ଉତ୍ତେଜନାକୁ ଦୃଷ୍ଟିରେ ରଖି ୧୪୪ ଧାରା ଜାରି କରାଯାଇ ତାଙ୍କୁ ତଡ଼ିପାର କରାଯାଇଥିଲା । ଦୀର୍ଘ ବର୍ଷ ପରେ ଅଧ୍ୟକ୍ଷାନନ୍ଦ ଦେବତୀର୍ଥ ପୁଣି ପୁରୀ ଆସିବା ପୁରୁଣା ବିବାଦକୁ ଆଉ ଥରେ ଉଖାରିଛି । ତେବେ ଧର୍ମପ୍ରଚାର ପାଇଁ ସେ ପୁରୀ ଆସିଥିବା କହିଛନ୍ତି ଅଧ୍ୟକ୍ଷାନନ୍ଦ । ତେବେ କାହିଁକି ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ବୋଲି ସେ ଦାବି କରି ଆସୁଛନ୍ତି, ଏ ନେଇ କିଛି ସିଧାସଳଖ ଉତ୍ତର ରଖିନାହାନ୍ତି ଅଧ୍ୟକ୍ଷାନନ୍ଦ ।