ଦିଦିଙ୍କୁ ଘାରିଲା କରୋନା ଚିନ୍ତା । ସୋମବାର ଠାରୁ ପଶ୍ଚିମବଙ୍ଗରେ ସମସ୍ତ ସ୍କୁଲ କଲେଜ ବନ୍ଦ, ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ କାର୍ଯ୍ୟାଳୟ

272

କନକ ବ୍ୟୁରୋ : ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର କଟକଣା କଡାକଡି କରିଛନ୍ତି । ସୋମବାର ଠାରୁ ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । କେବଳ ସେତିକି ନୁହେଁ ସରକାରୀ ଓ ଘରୋଇ କାର୍ଯ୍ୟାଳୟ ଗୁଡିକୁ ୫୦ ପ୍ରତିଶତ କର୍ମଚାରୀରେ କାମ କରିବାକୁ ଗାଇଡ ଲାଇନ ଦିଆଯାଇଛି ।

ସୂଚନା ମୁତାବକ ଶନିବାର ଦିନ ପଶ୍ଚିମବଙ୍ଗରେ ୪୫୧୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାପରେ ରାଜ୍ୟରେ ଆକ୍ଟିଭ ମାମଲା ୧୩,୩୦୦ କୁ ବୃଦ୍ଧି ପାଇଛି । ମହାରାଷ୍ଟ୍ର ଓ କେରଳରେ ପରେ କରୋନା ସଂକ୍ରମଣ ମାମଲାରେ ପଶ୍ଚିମବଙ୍ଗ ତୃତୀୟ ସ୍ଥାନରେ ରହିଛି । ରାଜ୍ୟ ସରକାର ଜାରି କରିଥିବା ନୂଆ ଗାଇଡ ଲାଇନ ମୁତାବକ ରାଜ୍ୟରେ ଆସନ୍ତାକାଲି ଠାରୁ ସିନେମା ହଲ, ଜିମ୍, ସ୍ୱିମିଂ ପୋଲ, ବ୍ୟୁଟି ପାର୍ଲର ସବୁ ସମ୍ପୂର୍ଣ୍ଣ ବନ୍ଦ ରହିବ । ସରକାରୀ ଓ ଘରୋଇ କାର୍ଯ୍ୟାଳୟଗୁଡିକ ୫୦ ପ୍ରତିଶତ କର୍ମଚାରୀରେ ଚାଲିବ । ଏହାସହ ଓମିକ୍ରନ ସଂକ୍ରମଣରେ ସବୁଠୁ ଆଗରେ ଥିବା ବ୍ରିଟେନରୁ ପଶ୍ଚିମବଙ୍ଗ ଆସୁଥିବା ସମସ୍ତ ଅର୍ନ୍ତଜାତୀୟ ବିମାନକୁ ବନ୍ଦ କରାଯାଇଛି ।

କହିରଖୁ କି, ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶର ଭିନ୍ନ ଭିନ୍ନ ରାଜ୍ୟ ସରକାରମାନେ କଟକଣା କଡାକଡି କରୁଛନ୍ତି । ଏହି କ୍ରମରେ ପଶ୍ଚିମବଙ୍ଗ ସରକାର ରାତି ୧୦ ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ ରାତ୍ରୀକାଳୀନ କର୍ଫ୍ୟୁ ଜାରି କରିଛନ୍ତି । ପଶ୍ଚିମବଙ୍ଗ ସରକାରରେ ମୁଖ୍ୟ ଶାସନ ସଚିବ ଥିବା ଏଚକେ ତ୍ରିବେଦୀ କହିଛନ୍ତି କି ପ୍ରଶାସନିକ କାର୍ଯ୍ୟକ୍ରମଗୁଡିକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଚାଲୁ ରହିବ । କୋଲକତା ମେଟ୍ରୋ ସେବା ବି ୫୦ ପ୍ରତିଶତ କ୍ଷମତାର ସହ ଚାଲିବ । ଏହାସହ ଲୋକଲା ଟ୍ରେନଗୁଡିକ ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ଚାଲିପାରିବ ।