କୁନି ବୟସରେ କମାଲ କଲେ ଆୟୁଷ ।ଯାହା ପଚାରିଲେ ପାଟିରୁ ବାହାରୁଛି ଚଟାପଟ୍ ଉତ୍ତର । 

190

କନକ ବ୍ୟୁରୋ: କୁନି ବୟସରେ କମାଲ । ପାଟି ଭଲ କି ଖୋଲିନି । ଖନେଇ ଖନେଇ କଥା କହୁଛନ୍ତି ହେଲେ ମୁହେଁ ମୁହେଁ ଦେଶ ଦୁନିଆଁର କଥା । ସାଧାରଣ ଜ୍ଞାନ ଠାରୁ ଆରମ୍ଭ କରି ସଂସ୍କୃତ ଜ୍ଞାନ ସବୁଥିରେ ଆଗୁସାର ବାଲେଶ୍ୱର ସଦର ବ୍ଲକ ଚଣ୍ଡିପୁରର କୁନି ପୁଅ ଆୟୁଷ ଜେନା ।

ବୟସ ମାତ୍ର ୨ ବର୍ଷ । ଏଯାଏଁ ହାତରେ ଖାଇନାହାଁନ୍ତି କି ଠିକରେ କଥା କହି ପାରୁନାହାଁନ୍ତି । ହେଲେ ସାଧାରଣ ଜ୍ଞାନ ପଚାରିଲେ ପାଟିରୁ ବାହାରୁଛି ଚଟାପଟ ଉତ୍ତର । ତାଙ୍କର ଏହି ପ୍ରତିଭା ତାଙ୍କୁ ଦେଇଛି ପରିଚୟ । ସ୍କୁଲରେ ପାଦ ପଡିବା ଆଗରୁ ଆୟୁଷ ରଚିଛନ୍ତି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ । ଫୁଲ , ଫଳ, ପଣିକିଆ ଜାତୀୟ ସଙ୍ଗୀତ, ସଂସ୍କୃତ ଶ୍ଳୋକ ସବୁ କହି ପକାଉଛନ୍ତି ଆୟୁଷ । ପୁଅର ଏପରି ଧୀଶକ୍ତିକୁ ପରଖି ତାକୁ ବାଟ କଢାଇନେଉଛନ୍ତି ବାପା, ମା’ ।

ବାପା ଜଣେ ବେସରକାରୀ ସଂସ୍ଥାରେ କାମ କରୁଥିବାବେଳେ ମା’ ଜଣେ ଗୃହିଣୀ ଗାଁରେ ରହୁଥିବା ଏହି ଦମ୍ପତ୍ତି କିନ୍ତୁ ପୁଅର ପ୍ରତିଭାକୁ ଚିହ୍ନି ତାର ପରିପ୍ରକାଶ ପାଇଁ ଚେଷ୍ଟା ଚଳାଇଛନ୍ତି ।ପୁଅ ଆଗକୁ ଆହୁରି ସଫଳତା ପାଉଁ ସେଥିପାଇଁ ଚେଷ୍ଟା କରୁଛନ୍ତି ।