କଟକ ବଡ ଡାକ୍ତରଖାନାରେ ଶିଶୁ ଅଦଳବଦଳ ଘଟଣାରେ ନୂଆ ମୋଡ ! ଡିଏନଏ ଟେଷ୍ଟ ପାଇଁ ଅନୁମତି ଦେଲେ କୋର୍ଟ

52

କନକ ବ୍ୟୁରୋ : ନୂଆମୋଡ ନେଲା କଟକ ବଡ ମେଡିକାଲରେ ଶିଶୁ ଅଦଳବଦଳ ଘଟଣା । ଶିଶୁ ବଦଳ ଅଭିଯୋଗ କରିଥିବା ଦଂପତି ଓ ଶିଶୁର ହେବ ଡିଏନଏ ଟେଷ୍ଟ । ଏସସିବିରେ ଶିଶୁ କନ୍ୟା ବଦଳ ଅଭିଯୋଗରେ ଆଜି ଡିଏନ୍‌ଏ ପରୀକ୍ଷା ପାଇଁ କଟକ ସଦର ଏସଡିଜେଏମ୍‌ଙ୍କ କୋର୍ଟ ମଙ୍ଗଳାବାଗ ପୁଲିସକୁ ଅନୁମତି ପ୍ରଦାନ କରିଛି । ଅନୁମତି ମିଳିଲା ପରେ ଆଜି ପୁଲିସ ଏସସିବିରେ ସମ୍ପୃକ୍ତ ଶିଶୁର ନମୁନା ସଂଗ୍ରହ କରିଛି । ଆଉ ଏହି ନମୂନାକୁ  ଭୁବନେଶ୍ୱର ରସୁଲଗଡ଼ସ୍ଥିତ ରାଜ୍ୟ ଫରେନସିକ ଲ୍ୟାବକୁ ପରୀକ୍ଷା ପାଇଁ ପଠାଯିବ । ରିପୋର୍ଟ ଆସିବା ପରେ ପ୍ରକୃତରେ ଶିଶୁକନ୍ୟାର ଅବିଭାବକଙ୍କ ପରିଚୟ ସ୍ପଷ୍ଟ ହୋଇପାରିବ ବୋଲି ସୂଚନା ମିଳିଛି ।

ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁରରେ ରହୁଥିବା କଟକ ବକ୍ସିବଜାର ନାୟକ ସାହିର ପ୍ରହଲ୍ଲାଦ ମହାପାତ୍ରଙ୍କ ସ୍ତ୍ରୀ ମଧୁସ୍ମିତାଙ୍କୁ ଗତ ୨୬ ତାରିଖରେ ସନ୍ତାନ ପ୍ରସବ ପାଇଁ ବଡ଼ ମେଡିକାଲର ଗାଇନିଂ ଓ୍ଵାଡରେ ଭର୍ତ୍ତି କରାଯାଇଥିଲା । ଅପରାହ୍ନରେ ସିଜରିଂ କରାଯିବା ପରେ ମହିଳା ପ୍ରସବ କରିଥିଲେ । ପରେ ମଧୁସ୍ମିତା ଚିକିତ୍ସିତ ହେଉଥିବା ବେଡ ନମ୍ବର ୫୦୬ ନିକଟକୁ ପରିବାର ଲୋକେ ଯିବାକୁ ଚେଷ୍ଟା କରିଥିଲେ ମଧ୍ୟ ମେଡିକାଲ କର୍ମଚାରୀ ବାରଣ କରିଥିଲେ । ତାଙ୍କର ପୁତ୍ର ସନ୍ତାନ ଜନ୍ମ ହୋଇଥିବା ବେଳେ ମେଡିକାଲ୍‌ କର୍ମଚାରୀ ଅନ୍ୟ ଜଣକର ଶିଶୁ କନ୍ୟାକୁ ବେଡ୍‌ ନିକଟରେ ଛାଡ଼ି ଦେଇଥିବା ଅଭିଯୋଗ ହୋଇଥିଲା । ଏଭଳି ଅଭିଯୋଗ ଆସିବା ପରେ ବିବାଦୀୟ ସ୍ଥିତି ଉପୁଜିଥିଲା । ୩୦ ତାରିଖରେ ମଙ୍ଗଳାବାଗ ପୁଲିସ ଏକ ମାମଲା(କେସ୍‌ ନଂ୨୫) ଦଫା ୩୬୩ରେ ରୁଜୁ କରି ସନ୍ତାନ ପ୍ରସବ ହୋଇଥିବା ସ୍ତ୍ରୀ ଓ ପ୍ରସୂତି ବିଭାଗର ସିସି କ୍ୟାମେରା ଯାଞ୍ଚ କରିଥିଲା । ତା’ ସହିତ ଉଭୟ ଶିଶୁର ମା’ ଓ ବାପାଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରାଯାଇଥିଲା ।

ଗତକାଲି ମଙ୍ଗଳାବାଗ ଥାନା ପୁଲିସ ପକ୍ଷରୁ କଟକ ସଦର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଡିଏନ୍‌ଏ ପରୀକ୍ଷା ପାଇଁ ଆବେଦନ କରାଯାଇଥିଲା । ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ବିଶ୍ୱଜିତ ବରାଳ ମାମଲା ପରିଚାଳନା କରିଥିଲେ। ଆଜି ପୁଲିସକୁ ଡିଏନ୍‌ଏ ପରୀକ୍ଷା ପାଇଁ ଅନୁମତି ମିଳିବା ପରେ ଶିଶୁ କନ୍ୟା ସମେତ ବାପା ଓ ମା’ଙ୍କ ଡିଏନ୍‌ଏ ପରୀକ୍ଷା ପାଇଁ ବଡ଼ ମେଡିକାଲ୍‌ରେ ନମୂନା ସଂଗ୍ରହ କରାଯାଇଥିଲା । ପ୍ରାୟ ଏକ ସପ୍ତାହ ମଧ୍ୟରେ ପରୀକ୍ଷା ରିପୋର୍ଟ ଫରେନ୍‌ସିକ ଲ୍ୟାବରୁ ଆସିବା ପରେ ଘଟଣା ସ୍ପଷ୍ଟ ହୋଇପାରିବ ବୋଲି ଥାନା ଅଧିକାରୀ ଅରୁଣ ସ୍ୱାଇଁ କହିଛନ୍ତି । ଏବେ ଶିଶୁ କନ୍ୟାଙ୍କୁ ସିଡବ୍ଲୁସିର ନିର୍ଦ୍ଦେଶ ଅନୁଯାୟୀ, ମଧୁସ୍ମିତାଙ୍କ ହେପାଜତରେ ଛଡ଼ା ଯାଇଥିବା ବେଳେ ରିପୋର୍ଟ ଆସିଲେ ପରବର୍ତ୍ତି ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ସିଡବ୍ଲୁସି ସଦସ୍ୟ ପ୍ରଦୀପ ପଟ୍ଟନାୟକ କହିଛନ୍ତି ।