ସାମ୍ନାକୁ ଆସିଲା ସତୀଶ କୌଶିକଙ୍କ ଶେଷକଥା । ଅନ୍ତିମ ମୁହୂର୍ତ୍ତରେ ମ୍ୟାନେଜରଙ୍କୁ କହିଥିଲେ, ମୁଁ ମରିବାକୁ ଚାହୁଁନି, ଝିଅ ପାଇଁ ବଞ୍ଚିବାକୁ ଚାହେଁ ।

136

କନକ ବ୍ୟୁରୋ: ହସଖୁସି ମିଜାଜରେ ରହୁଥିବା ମଣିଷଟିଏ ଯେତେବେଳେ ଚାଲିଯାଏ, ସେତେବେଳେ ସେଇ ମଣିଷକୁ ସମସ୍ତେ ଝୁରନ୍ତି । ଠିକ୍ ସେଭଳି ଜଣେ ମଣିଷ ଥିଲେ, ବଲିଉଡର କଳାକାର ତଥା ନିର୍ଦ୍ଦେଶକ ସତୀଶ କୌଶିକ୍ । ସତୀଶଙ୍କ ମୃତ୍ୟୁକୁ ନେଇ ସନ୍ଦେହ ବଢୁଥିବା ବେଳେ ସେ କାଳରାତ୍ରୀର କାହାଣୀ ସାମ୍ନାକୁ ଆସିଛି । ମୃତ୍ୟୁ ସମୟରେ ସତୀଶଙ୍କ ସହ ଥିବା ତାଙ୍କ ମ୍ୟାନେଜର ସେଦିନ କ’ଣ ସବୁ ଘଟିଥିଲା, ଗୋଟି ଗୋଟି କରି ବୟାନ କରିଛନ୍ତି ।

ସତୀଶଙ୍କ ମ୍ୟାନେଜର ସନ୍ତୋଷ ରାୟ ସେଦିନ ତାଙ୍କ ସହ ସେହି ହୋଟେଲରେ ଥିଲେ ଯେଉଁଠି ସତୀଶ ରାୟ ରାତ୍ରୀ ଯାପନ କରିଥିଲେ । ସନ୍ତେଷ ରାୟଙ୍କ ବୟାନ ଅନୁସାରେ, ସେ ଦିନ ସତୀଶ କହିଥିଲେ, ଆଜି ଶୀଘ୍ର ଶୋଇଯିବା । କାରଣ ସକାଳୁ ମୁମ୍ବାଇ ଯିବା ପାଇଁ ବିମାନ ଧରିବାକୁ ହେବ । ଏଭଳି କହି ରୁମରେ ଶୋଇଯାଇଥିଲେ ସତୀଶ । ପାଖ ରୁମକୁ ଚାଲିଯାଇଥିଲେ ତାଙ୍କ ମ୍ୟାନେଜର । କିନ୍ତୁ ରାତି ଠିକ୍ ୧୨ଟା ବେଳେ ଜୋରଜୋରରେ ତାଙ୍କୁ ଡାକିଥିଲେ । ରାତିରେ ସତୀଶଙ୍କ ଡାକ ଶୁଣି ଚମକି ପଡ଼ିଲେ ସନ୍ତୋଷ । ତୁରନ୍ତ, ତାଙ୍କ ରୁମକୁ ଯାଇ ଦେଖିଲା ବେଳେକୁ ସତୀଶ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ସେ ନିଶ୍ୱାସ ନେବାର ସମସ୍ୟା ହେଉଥିଲା ।

ନିଜ ମ୍ୟାନେଜରଙ୍କୁ ସତୀଶ କହିଥିଲେ ମୋତେ ତୁରନ୍ତ ହସ୍ପିଟାଲ ନେଇଚାଲ । ମୁଁ ମରିବାକୁ ଚାହୁୁଁନି । ମୋ ଝିଅ ପାଇଁ ବଞ୍ଚିବାକୁ ଚାହୁଁଛି । ତୁରନ୍ତ ହସ୍ପିଟାଲ ନେଇଯିବାର ବ୍ୟବସ୍ଥା କରିଥିଲେ ମ୍ୟାନେଜର । କିନ୍ତୁ ରାସ୍ତାରେ ଛାତିରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା । କିଛି ସମୟ ପରେ ଏହି ଯନ୍ତ୍ରଣା ବଢ଼ିବାରେ ଲାଗିଥିଲା । ସେଠୁ ମ୍ୟାନେଜରଙ୍କୁ କହିଥିଲେ ଶୀଘ୍ର ଚାଲ । ସନ୍ତୋଷଙ୍କୁ କହିଥିଲେ ମୁଁ ଏଭଳି ସ୍ଥିତିରେ ମରିଯିବିନି ତ? ବହୁତ ଡରିଯାଇଥିଲେ ସତୀଶ । ହସ୍ପିଟାଲକୁ ପହଞ୍ଚିବା ପୂର୍ବରୁ ସମ୍ପୂର୍ଣ୍ଣ ନିସ୍ତେଜ ହୋଇଯାଇଥିଲେ ସତୀଶ କୌଶିକ୍ । ଡାକ୍ତର କହିଥିଲେ ସ୍ଥିତି ଗମ୍ଭୀର ରହିଛି । ପରିବାର ଲୋକଙ୍କୁ ସୂଚନା ଦେଇଦେବା ଭଲ । ତୁରନ୍ତ, ସତୀଶଙ୍କ ଭଉଣୀଙ୍କୁ ଫୋନ କରିଥିଲେ । ତାଙ୍କ ଭଉଣୀ ଦିଲ୍ଲୀରେ ରହୁଥିବାରୁ ତାଙ୍କୁ ଫୋନ୍ କରିଥିଲେ । କିନ୍ତୁ ଶେଷରେ ଆଖି ବୁଜିଦେଇଥିଲେ ସତୀଶ । ସତୀଶଙ୍କ ମ୍ୟାନେଜର ସନ୍ତୋଷ ରାୟ ଏନେଇ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ପୁରା କାହାଣୀ ବର୍ଣ୍ଣନା କରିଛନ୍ତି ।

ଅନ୍ୟପଟେ ବଲିଉଡ଼ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କ ମୃତ୍ୟୁ ଘଟଣାକୁ ନେଇ ବଢ଼ୁଛି ସସପେନ୍ସ । ମୃତ୍ୟୁ ପୂର୍ବରୁ ସତୀଶଙ୍କ ସହ ଫାର୍ମହାଉସରେ ହୋଲି ଖେଳିଥିବା ସତୀଶଙ୍କ ବନ୍ଧୁ ବିକାଶ ମାଲୁଙ୍କ ପୂର୍ବତନ ପତ୍ନୀଙ୍କୁ ବୟାନ ରେକର୍ଡ଼ ପାଇଁ ପୋଲିସ ଡ଼କାଇଛି । ବିକାଶ ମାଲୁଙ୍କ ପୂର୍ବତନ ପତ୍ନୀ କହିଛନ୍ତି, ସତୀଶଙ୍କୁ ହତ୍ୟା କରାଯାଇଛି । ତାହା ପୁଣି ୧୫ କୋଟି ପାଇଁ । ତାଙ୍କ ସ୍ୱାମୀ ବିକାଶ ମାଲୁ ହିଁ ସତୀଶଙ୍କୁ ୧୫ କୋଟି ଟଙ୍କା ପାଇଁ ହତ୍ୟା କରିଛନ୍ତି । ତେବେ ବ୍ୟବସାୟ କ୍ଷେତ୍ରରେ ବିକାଶ ସତୀଶଙ୍କ ଠାରୁ ଟଙ୍କା ନେଇଥିଲେ । ପରେ ଏହାକୁ ଫେରାଇବା ତାଙ୍କ ପକ୍ଷେ ସମ୍ଭବ ନ ହେବାରୁ ବିକାଶ ସତୀଶଙ୍କୁ ହତ୍ୟା କରିଥିବା ସେ ଅଭିଯୋଗ ଆଣିଛନ୍ତି । ଅନ୍ୟପଟେ ବିକାଶ ମାଲୁ ଏହାପରେ ପ୍ରତିକ୍ରିୟା ରଖିଛନ୍ତି । ସତୀଶ ତାଙ୍କର ଜଣେ ପରିବାରର ସଦସ୍ୟ ଭଳିଥିଲେ ବୋଲି ବିକାଶ ମାଲୁ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଯେଉଁ ଫାର୍ମ ହାଉସରେ ସେ ସାଙ୍ଗମାନଙ୍କ ସହ ହୋଲି ପାର୍ଟି ମନାଉଥିଲେ, ସେଠାରୁ ତଦନ୍ତକାରୀ ପୁଲିସ କିଛି ଆପତ୍ତିଜନକ ଔଷଧ ପାଇବା ପରେ ଏନେଇ ତଦନ୍ତ ବଢ଼ାଇଛି । ଅନ୍ୟପଟେ ସତୀଶଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିଛି ପୁଲିସ ।