ପୃଥ୍ୱୀ ଶ’ଙ୍କ ସହ ମାରପିଟ୍ ଘଟଣା । ଗିରଫ ହେଲେ ୟୁଟ୍ୟୁବର ସପନା ଗିଲ୍ ।

453

କନକ ବ୍ୟୁରୋ : ଗିରଫ ହେଲେ ସପନା ଗିଲ୍ । ଭାରତୀୟ କ୍ରିକେଟର ପୃଥ୍ୱୀ ଶ’ଙ୍କ ସହ ଗଣ୍ଡଗୋଳ ଓ କାର ଭାଙ୍ଗିବା ଘଟଣାରେ ଗିରଫ ହୋଇଛନ୍ତି ୟୁଟ୍ୟୁବର ସପନା ଗିଲ୍ । ସପନାଙ୍କୁ କୋର୍ଟରେ ହାଜର କରାଯିବା ପରେ ଜେଲ ପଠାଯିବ । ଅନ୍ୟପଟେ ଏହି ଘଟଣାରେ ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଖୁବଶୀଘ୍ର ଗିରଫ କରାଯିବ । ପୋଲିସର ସୂଚନା ମୁତାବକ, ଓଶିବାରା ଥାନାରେ କାର ଭଙ୍ଗା ଘଟଣାରେ ୭ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିଲା । ଯେଉଁ ମାମଲାରେ ସପନାଙ୍କୁ ଗିରଫ କରିଛି ପୋଲିସ ।

ଗତ ୧୫ ତାରିଖରେ ମୁମ୍ବାଇର ସହାରା ଷ୍ଟାର ହୋଟେଲରେ ନିଜ ସାଙ୍ଗଙ୍କ ସହ ଡିନର କରିବାକୁ ପହଞ୍ଚିଥିଲେ ପୃଥ୍ୱୀ । ତେବେ ଏହି ସମୟରେ ଜଣେ ତାଙ୍କ ପାଖକୁ ଆସି ସେଲଫି ନେଇଥିଲେ । ପରେ ଆଉ ୨ ଜଣ ମଧ୍ୟ ସେଲଫି ନେଇଥିଲେ ଏବଂ ପୂରା ଗ୍ରୁପ୍ ସହ ସେଲଫି ନେବାକୁ ପୃଥ୍ୱୀଙ୍କୁ କହିଥିଲେ । କିନ୍ତୁ ସାଙ୍ଗଙ୍କ ସହ ଭୋଜି ଖାଇବାକୁ ଆସିଥିବାରୁ ହଇରାଣ ନ କରିବାକୁ କହିଥିଲେ ପୃଥ୍ୱୀ । କିନ୍ତୁ ଏହାକୁ ମାନନଥିଲେ ଏହି ଗ୍ରୁପରେ ଥିବା ବ୍ୟକ୍ତି । ତେଣୁ ହୋଟେଲ ମ୍ୟାନେଜରଙ୍କୁ ଡାକି ଏନେଇ ଅଭିଯୋଗ କରିଥିଲେ ପୃଥ୍ୱୀ । ଯାହାଫଳରେ ଉକ୍ତ ଗ୍ରୁପରେ ଥିବା ସମସ୍ତ ବ୍ୟକ୍ତିଙ୍କୁ ହୋଟେଲରୁ ବାହାରି ଯିବାକୁ କହିଥିଲେ ମ୍ୟାନେଜର । ପରେ ହୋଟେଲରୁ ବାହାରି ସମସ୍ତେ ପୃଥ୍ୱୀଙ୍କୁ ବାହାରେ ଅପେକ୍ଷା କରି ରହିଥିଲେ ।

ଆଉ ପୃଥ୍ୱୀ ଶ’ ବାହାରକୁ ବାହାରିବା କ୍ଷଣି ତାଙ୍କ ସାଙ୍ଗଙ୍କ କାରକୁ ଭାଙ୍ଗି ଦେଇଥିଲେ ଅଭିଯୁକ୍ତ । ଆଉ କାର ଭିତରେ ପୃଥ୍ୱୀ ଶ’ ବସିଥିଲେ । ତେବେ ପୃଥ୍ୱୀଙ୍କୁ ନେଇ ବିବାଦ ଯେପରି ସୃଷ୍ଟି ନହେଉ ସେଥିପାଇଁ ସାଙ୍ଗମାନେ ତାଙ୍କୁ ଅନ୍ୟ କାରରେ ପଠାଇଥିଲେ । କିନ୍ତୁ ଏହି କାରକୁ ଏକ ପେଟ୍ରୋଲ ପମ୍ପ ପାଖରେ ଅଟକାଇଥିଲେ ଅଭିଯୁକ୍ତ ମାନେ । ଆଉ ଏହି ଗ୍ରୁପରେ ଥିବା ମହିଳା ଜଣକ କହିଥିଲେ ଯଦି ଏହି ମାମଲାର ସମାଧାନ ଚାହୁଁଛ ତେବେ ୫୦ ହଜାର ଟଙ୍କା ଦିଅ ନଚେତ ଅଭିଯୋଗ ଲଗାଇଦେବୁ ।

ଅନ୍ୟପଟେ ଗିରଫ ହୋଇଥିବା ସପନା ଗିଲଙ୍କ ଓକିଲ ପୃଥ୍ୱୀ ଶ’ଙ୍କ ନାଁରେ ମାରପିଟ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି, ସପନାଙ୍କୁ ପୃଥ୍ୱୀ ମାରପିଟ୍ କରିଛନ୍ତି । ପୃଥ୍ୱୀଙ୍କ ହାତରେ ମଧ୍ୟ ଷ୍ଟିକ ଥିବା ଭିଡ଼ିଓରେ ଦେଖିବାକୁ ମିଳିଛି ବୋଲି କହିଛନ୍ତି ସପନାଙ୍କ ଓକିଲ ।