କାହିଁକି ସଞ୍ଜୁ, ଉମରାନଙ୍କୁ ମିଳିଲାନି ସୁଯୋଗ? ସୋସିଆଲ୍ ମିଡିଆରେ ପ୍ରଶ୍ନ କଲେ କ୍ରିକେଟପ୍ରେମୀ

193

କନକ ବ୍ୟୁରୋ: ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ଶେଷ ହେଇସାରିଛି । ଟିମ୍ ଇଣ୍ଡିଆ ଏ ସିରିଜକୁ ୧-୦ରେ ଜିତିସାରିଥିବାବେଳେ, କ୍ୟାପଟେନ୍ ଭାବେ ପୁଣିଥରେ ଜଲୱା ଦେଖେଇଛନ୍ତି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ତେବେ ଏ ସିରିଜରେ ଗୋଟିଏ କଥାକୁ ନେଇ ବିବାଦ ଆରମ୍ଭ ହୋଇଛି । ତିନୋଟି ଯାକ ମ୍ୟାଚରେ ସଞ୍ଜୁ ସାମସନ୍ ଆଉ ଉମରାନ୍ ମଲ୍ଲିକଙ୍କୁ ସୁଯୋଗ ନମିଳିବା ପରେ ଫ୍ୟାନ୍ସମାନେ ସୋସିଆଲ୍ ମିଡିଆରେ ଏହାକୁ ନେଇ ପ୍ରଶ୍ନ ଉଠାଇବା ସହ ଟିମ୍ ଇଣ୍ଡିଆ ଉପରେ ବର୍ଷିଛନ୍ତି ।

ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ୩ଟି ଟ୍ୱେଣ୍ଟି ଟ୍ୱେଣ୍ଟି ମ୍ୟାଚ୍ ଖେଳିଥିଲା । ହେଲେ ବର୍ଷା କାରଣରୁ ପ୍ରଥମ ଓ ଶେଷ ମ୍ୟାଚ୍ ଧୋଇଯାଇଥିବାବେଳେ, ଦ୍ୱିତୀୟ ଟି-୨୦ରେ ଭାରତ ବିଜୟ ହାସଲ କରିଥିଲା । ହେଲେ ଭାରତ ଖେଳିଥିବା ତିନୋଟି ଯାକ ମ୍ୟାଚରେ ୱିକେଟ କିପର ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସାମସନ୍ ଆଉ ଜାମ୍ମୁକାଶ୍ମୀରର ଦ୍ରୁତ ବୋଲର ଉମରାନ ମଲ୍ଲିକଙ୍କୁ କିନ୍ତୁ ସୁଯୋଗ ମିଳିନଥିଲା । ଲଗାତାର ଭଲ ପ୍ରଦର୍ଶନ ପରେ ବି ଏହି ଦୁଇ ଖେଳାଳିଙ୍କୁ ମ୍ୟାଚ୍ ଖେଳିବାକୁ ସୁଯୋଗ ନମିଳିବା ଅନେକ ପ୍ରଶ୍ନ ସୃଷ୍ଟି କରିଛି ।

ନ୍ୟୁଜିଲାଣ୍ଡ ବିପକ୍ଷରେ ଇଶାନ କିଷାନ, ରିଷଭ ପନ୍ତ, ଶ୍ରେୟାସ ଆୟରଙ୍କୁ ସୁଯୋଗ ମିଳିଥିଲା । ହେଲେ ଏ ତିନି ଜଣ ଯାକ ପ୍ଲେୟାର, ମ୍ୟାଚରେ ଫେଲ୍ ମାରିଥିଲେ । ସେହିପରି ବୋଲିଂରେ ଭୁବନେଶ୍ୱର କୁମାର ଆଉ ହର୍ଷଲ ପଟେଲଙ୍କୁ ଦଳ ସୁଯୋଗ ଦେଇଥିଲା, କିନ୍ତୁ ସବୁଥର ପରି ଏଥର ବି ଉମରାନ୍ ମଲ୍ଲିକ ବେଞ୍ଚରେ ବସିରହିଥିଲେ । ଯାହା ତାଙ୍କ ଫ୍ୟାନ୍ସଙ୍କୁ ନିରାଶ କରିଛି ।

ବିଶ୍ୱକପ୍ ପରାଜୟ ପରେ ଏବେ ଟିମରେ କିଛି ଅଦଳବଦଳ ପ୍ଲାନ୍ କରୁଛି ବିସିସିଆଇ । ବିଶେଷକରି ବଡ ବଡ ପ୍ଲେୟାରମାନେ ବିଶ୍ୱକପରେ ଫେଲ୍ ମାରିବା ପରେ, କିଛି ନୂଆ ମୁହଁଙ୍କୁ ଦଳରେ ସୁଯୋଗ ମିଳିବା ନେଇ ପ୍ଲାନ୍ ହେଉଛି । ହେଲେ ଏସବୁ ସତ୍ୱେ ସଞ୍ଜୁ ସାମସନ୍ ଆଉ ଉମରାନ୍ ମଲ୍ଲିକଙ୍କ ଭଳି ଖେଳାଳିଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷରେ ମ୍ୟାଚ୍ ଖେଳିବାର ସୁଯୋଗ ମିଳିନି ।

ବିସିସିଆଇ ଏବେ ନିଜର ସିନିୟର ସିଲେକ୍ସନ କମିଟିକୁ ବରଖାସ୍ତ କରିଦେଇଛି । ମିଡିଆ ରିପୋର୍ଟ ମୁତାବକ, ଖୁବଶୀଘ୍ର ବିସିସିଆଇ ସିନିୟର ସିଲେକ୍ସନ୍ କମିଟି ଘୋଷଣା କରିବା ସହିତ ଟି-୨୦ ଅଧିନାୟକ ପଦ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦେଇପାରେ । ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟରୁ ଜଣାପଡିଛି ଯେ, ରୋହିତ ମଧ୍ୟ ହାର୍ଦିକଙ୍କ କ୍ୟାପଟେନ୍ସିକୁ ଗ୍ରୀନ୍ ସିଗନାଲ ଦେଇସାରିଛନ୍ତି । ବିସିସିଆଇ ଅଧିକାରୀମାନେ ଏନେଇ ରୋହିତଙ୍କ ସହ ଆଲୋଚନା କରିସାରିଥିବାବେଳେ, ସେ ମଧ୍ୟ ଟି-୨୦ ଅଧିନାୟକ ପଦ ଛାଡିବାକୁ ରାଜି ଅଛନ୍ତି । ରୋହିତ ଅଧିନାୟକ ଭାବେ ଏବେ ଟେଷ୍ଟ ଆଉ ୱାନଡେରେ ଦଳର ମଙ୍ଗ ଧରିବେ । ଆଉ ଆଗାମୀ ବିଶ୍ୱକପ୍ ପାଇଁ ଫୋକସ୍ କରିବେ ।