ଟି-୨୦ ବିଶ୍ୱକପ୍ ପାଇଁ ଭାରତୀୟ ଦଳ ଘୋଷଣା । ୧୫ଜଣିଆ ଟିମର ନେତୃତ୍ୱ ନେବେ ରୋହିତ ଶର୍ମା । ଉପଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ।

ଜୁନ୍ ୨ରୁ ବିଶ୍ୱକପ ମହାସମର

140

କନକ ବ୍ୟୁରୋ: ଟି-୨୦ ବିଶ୍ୱକପ୍ ପାଇଁ ଘୋଷଣା ହୋଇଛି ଟିମ୍ ଇଣ୍ଡିଆ । ୧୫ ଜଣିଆ ଭାରତୀୟ ଦଳର ନେତୃତ୍ୱ ନେବେ ରୋହିତ ଶର୍ମା । ଚଳିତ ଆଇପିଏଲ ସିଜନରେ ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ୱ ନେଉଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପ-ଅଧିନାୟକ ଦାୟିତ୍ୱ ଦିଆଯାଇଛି ।

ବଡ କଥା ହେଉଛି ପାଖାପାଖି ଦେଢ଼ ବର୍ଷ ପରେ ଟିମକୁ କମବ୍ୟାକ୍ କରିଛନ୍ତି ୱିକେଟ କିପର ଋଷଭ ପନ୍ତ । ୨୦୨୨ ଡିସେମ୍ବରରେ ଦୁର୍ଘଟଣାର ଶିକାର ହୋଇଥିବା ପନ୍ତ ଚଳିତ ଆଇପିଏଲ୍ ସହ କମ୍ପିଟିଟିଭ୍ କ୍ରିକେଟ୍କୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଆଇପିଏଲରେ ମଧ୍ୟ ନିଜେ ମଧ୍ୟ ବ୍ୟାଟରେ ଖୁବ୍ ଦମ୍ ଦେଖାଉଛନ୍ତି । ସେହିପରି ଟିମରେ ଦ୍ୱିତୀୟ ୱିକେଟ କିପର ଭାବେ ସଞ୍ଜୁ ସାମସନଙ୍କୁ ସାମିଲ କରାଯାଇଛି । ରୋହିତଙ୍କ ସହ ଯଶସ୍ୱୀ ଜୟସ୍ୱାଲ ଓପନ୍ କରିବେ । ଇନଫର୍ମ ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶିବମ ଦୁବେ, ଅକ୍ଷର ପଟେଲ, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂ, ଯଶପ୍ରୀତ ବୁମରା ଓ ମହମ୍ମଦ ସିରାଜ ୧୫ ଜଣିଆ ଟିମରେ ସ୍ଥାନ ପାଇଛନ୍ତି । ସେହିପରି ୪ ଜଣ ଖେଳାଳିଙ୍କୁ ଷ୍ଟାଣ୍ଡବାଏ ଭାବେ ରଖାଯାଇଛି । ଶୁବମନ ଗିଲ, ରିଙ୍କୁ ସିଂ, ଖଲିଲ ଅହମ୍ମଦ ଓ ଅଭେଶ ଖାନଙ୍କୁ ଅତିରିକ୍ତ ଖେଳାଳି ଭାବେ ସ୍ଥାନ ମିଳିଛି ।

ଆସନ୍ତା ଜୁନ୍ ୨ ତାରିଖରୁ ୱେଷ୍ଟଇଣ୍ଡିଜ ଓ ଆମେରିକାରେ ଆରମ୍ଭ ହେବ ଟି-୨୦ ବିଶ୍ୱକପ୍ । ଭାରତ ତା’ର ପ୍ରଥମ ମ୍ୟାଚରେ ଆୟର୍ଲ୍ୟାଣ୍ଡକୁ ଭେଟିବାକୁ ଥିବା ବେଳେ ଜୁନ୍ ୯ ତାରିଖରେ ପାକିସ୍ତାନକୁ ଭେଟିବ ।