ଧୋନିଙ୍କ ସ୍ତ୍ରୀକୁ ଲାଗୁଛି ଡ଼ର, ମାଗିଲେ ଲାଇସେନ୍ସ ବନ୍ଧୁକ !

39

ରାଞ୍ଚିର ରାଜକୁମାର ତଥା ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ପତ୍ନି ବନ୍ଧୁକ ପାଇଁ ଆବେଦକ କରିଛନ୍ତି । ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସାକ୍ଷୀ ଧୋନି ବନ୍ଧୁକ ରଖିବା ଲାଇସେନସ ପାଇଁ ଆବେଦନ କରିଥିବା ଜଣାପଡ଼ିଛି । ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ସ୍ତ୍ରୀ ସାକ୍ଷୀ ପ୍ରାୟ ସମୟ ଘରେ ଏକା ରହୁଥିବାରୁ ତାଙ୍କୁ ପିସ୍ତଲ ହେଉ ବା ୦.୩୨ ବୋର୍ ରିଭଲଭର ରଖିବାର ଲାଇସେନସ ଦିଆଯାଉ ବୋଲି ସେ ଅନୁମତି ମାଗିଛନ୍ତି । ଆବେଦନ ପତ୍ରରେ ସାକ୍ଷୀ ନିଜ ବ୍ୟକ୍ତଗତ କାମ ପାଇଁ ଏକା ବାହାରକୁ ଯାଉଥିବା ଉଲ୍ଲେଖ କରିଛନ୍ତି । ଏକା ବାହାରକୁ ଯାଉଥିବା ବେଳେ ତାଙ୍କୁ ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ନିଜର ସୁରକ୍ଷା ଲାଗି ତାଙ୍କୁ ବନ୍ଧୁକ ରଖିବାର ଲାଇସେନସ ଦିଆଯାଉ ବୋଲି ସେ ଲେଖିଛନ୍ତି । ସାକ୍ଷୀଙ୍କ ଏହି ଚିଠିକୁ ରାଞ୍ଚିର ଜିଲ୍ଲା ମାଜିଷ୍ଟ୍ରେଟ୍ କାର୍ୟ୍ୟାଳୟକୁ ଦିଆଯିବା ପରେ ଏହାକୁ ଅରଗୋରା ପୁଲିସ ଷ୍ଟେସନକୁ ପଠା ଯାଇଥିଲା ।

ଏହି ଆବେଦନ ପତ୍ର ପାଇବା ପରେ ସାକ୍ଷୀଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ଅଛି କି ନାହଁ ତାହା ଯାଞ୍ଚ କରିଥିଲା ଅରଗୋରା ପୁଲିସ । ପୂର୍ବରୁ କୌଣସି ଅପରାଧିକ ମାମଲା ନଥିବାରୁ ଅରଗୋରା ପୁଲିସ ସାକ୍ଷୀଙ୍କ ଆବେଦନ ପତ୍ରକୁ ହାତିଆ ଉପ ପୁଲିସ ଅଧ୍ୟୀକ୍ଷକ ବିକାଶ ପାଣ୍ଡେଙ୍କୁ ପଠାଇ ଦେଇଥିଲେ । ଏହା ପରେ ଉପପୁଲିସ ଅଧ୍ୟୀକ୍ଷକ ବିକାଶ ପାଣ୍ଡେ ସାକ୍ଷୀଙ୍କ ପତ୍ରକୁ ବରିଷ୍ଠ ପୁଲିସ ଅଧ୍ୟୀକ୍ଷକଙ୍କୁ ପଠାଇଥିବା ଜଣା ପଡ଼ିଛି ।

ଏହା ପୂର୍ବରୁ ମହେନ୍ଦ୍ର ସିଂ ଧୋନିଙ୍କୁ ମଧ୍ୟ ଲାଇସେନ୍ସପ୍ରାପ୍ତ ବନ୍ଧୁକ ମିଳିଥିଲା । ବନ୍ଧୁକଚାଳନା ମାହିର ଥିବା ଧୋନି ୯ ବର୍ଷ ପୂର୍ବେ ଏହି ଲାଇସେନ୍ସପ୍ରାପ୍ତ ପିସ୍ତଲ କିଣିଥିଲେ । ସେତେବେଳେ ଏହି ଲାଇସେନ୍ସପ୍ରାପ୍ତ ବନ୍ଧୁକ ପାଇବା ପାଇଁ ଧୋନିଙ୍କୁ ବହୁତ ପରିଶ୍ରମ କରିବାକୁ ପଡ଼ିଥିଲା । ୨୦୦୮ ମସିହାରେ ଧୋନିଙ୍କୁ ଅଜ୍ଞାତ ବ୍ୟକ୍ତି ୫୦ ଲକ୍ଷ ଟଙ୍କା ବଟି ମାଗିବା ସହ ଧମକ ଦେଇଥିଲେ । ସେବେ ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଧୋନି ଲାଇସେନ୍ସପ୍ରାପ୍ତ ବନ୍ଧୁକ ପାଇଁ ଆବେଦନ କରିଥିଲେ ।