ଯୁଦ୍ଧ ଭିତରେ ଋଷ-ୟୁକ୍ରେନ ମଧ୍ୟରେ ବେଲାରୁସ ସୀମାରେ ଆରମ୍ଭ ହେଲା ଦ୍ୱିତୀୟ ପର୍ଯ୍ୟାୟ ବୈଠକ । ସେପଟେ ଆକ୍ରମଣ ନେଇ ପୁଟିନଙ୍କ କଡା ଆଭିମୁଖ୍ୟ ।

141

କନକ ବ୍ୟୁରୋ: ଋଷ୍-ୟୁକ୍ରେନ ଯୁଦ୍ଧ ଅଷ୍ଟମ ଦିନରେ ପହଞ୍ଚିଥିବା ବେଳେ ଉଭୟ ପକ୍ଷ ମଧ୍ୟରେ ବୈଠକ ବସିଛି । ଋଷ୍ ଓ ୟୁକ୍ରେନ ମଧ୍ୟରେ ଏହା ଦ୍ୱିତୀୟ ବୈଠକ । ବେଲାରଷ୍ ସୀମାରେ ଉଭୟ ଦେଶର ଅଧିକାରୀ ଆଲୋଚନା କରୁଛନ୍ତି । ପୂର୍ବରୁ ଏକ ବୈଠକ ବସିଥିଲେ ବି ସେଥିରୁ କିଛି ସମାଧାନ ବାହାରି ପାରି ନଥଲା । ତେଣୁ ଏହି ବୈଠକ ଉପରେ ସାରା ବିଶ୍ୱର ନଜର ରହିଛ । ଏହି ବୈଠକରୁ କିଛି ସମାଧାନ ବାହାରୁଛି କି ନାହିଁ, କିଛି ଶାନ୍ତିର ସଙ୍କେତ ମିଳିବ କି, ତାକୁ ଅପେକ୍ଷା କରାଯାଉଛି । ଆଲୋଚନା ପୂର୍ବରୁ ଋଷ୍ ବୈଦେଶିକ ମନ୍ତ୍ରାଳୟ କହିଛି ଯେ, ବୈଠକରୁ ଶାନ୍ତିର ରାସ୍ତା ବାହାରିବ ବୋଲି ମସ୍କୋ ଆଶା ରଖିଛି । ଯଦି ଆଲୋଚନା ସଫଳ ହୁଏ, ଡୋନବାସରେ ଶାନ୍ତି ଫେରିବ ଓ ୟୁକ୍ରେନବାସୀ ପୁଣି ସ୍ୱାଭାବିକ ଜୀବନଯାତ୍ରାକୁ ଫେରିବେ ବୋଲି କହିଛି ପୁଟିନ ପ୍ରଶାସନ ।

ସେପଟେ ଅଷ୍ଟମ ଦିନରେ ଋଷ ସେନାକୁ କଡ଼ା ଟକ୍କର ଦେଉଛନ୍ତି ଦେଶପ୍ରେମୀ ୟୁକ୍ରେନ ସେନା ଓ ସାଧାରଣ ଜନତା । ହେଲେ ୠଷର ସାମରିକ ଶକ୍ତି ଆଗରେ ତିଷ୍ଠିବା କଷ୍ଟକର ହୋଇପଡ଼ୁଛି । ଗୋଟିଏ ପରେ ଗୋଟିଏ ସହର ଦଖଲ ଆଡ଼କୁ ଆଗଉଛି ପୁଟିନଙ୍କ ସେନା । ଖେରସନ ସହରକୁ ନିଜ କବଜାକୁ ନେଇଛନ୍ତି ଋଷ୍ ସୈନିକ । ଏହାକୁ ୠଷର ଏକ ବଡ଼ ବିଜୟ ବୋଲି କୁହାଯାଉଛି । କାରଣ ଆକ୍ରମଣ ପରଠାରୁ ପ୍ରଥମ କରି କୌଣସି ସହରକୁ ସମ୍ପୂର୍ଣ୍ଣ ରୂପେ ଦଖଲକୁ ନେଇଛି ଋଷ ସେନା । ସେହିପରି କ୍ରିମିଆ ଓ ଡୋନବାସ୍ ମଧ୍ୟରେ ଥିବା ଗୁରୁତ୍ୱପୂର୍ଣ୍ଣ ମାରିଓପୋଲ ସହରକୁ ଘେରାବନ୍ଦୀ କରିଛନ୍ତି ୠଷ୍ ସୈନିକ । ରାଜଧାନୀ କିଭ୍ ଓ ଖାରକିଭ୍ ସହରରେ ଜୋରଦାର ଆକ୍ରମଣ ହେଉଛି । ୟୁକ୍ରେନ ସେନାର କଡ଼ା ମୁକାବିଲା ଯୋଗୁଁ ଏହି ଦୁଇ ସହରରେ ରୁଷର ଆଗକୁ ବଢ଼ିବା ମନ୍ଥର ହୋଇ ଯାଇଛି । ସେପଟେ ୟୁକ୍ରେନ ସହ ଯୁଦ୍ଧରେ ନିଜ ସୈନ୍ୟ ମରିଥିବା ପ୍ରଥମ କରି ମାନିଛି ଋଷ୍ । ମସ୍କୋ ପକ୍ଷରୁ କହାଯାଇଛି ଯେ, ଏଯାଏଁ ଯୁଦ୍ଧରେ ୪୯୮ ଜଣ ସୈନିକଙ୍କ ଜୀବନ ଯାଇଛି ।