ଗୋବିନ୍ଦଙ୍କ ମୃତ୍ୟୁ ପରେ ତେଜିଲା ରାଜନୀତି । ବିଜେପି କହିଲା, ଚାଲିଛି ସାକ୍ଷୀ ସଫା ଅଭିଯାନ

239

କନକ ବ୍ୟୁରୋ: ଗୋବିନ୍ଦଙ୍କ ଆତ୍ମହତ୍ୟା ପ୍ରସଙ୍ଗରେ ରାଜନୈତିକ ବୟାନବାଜି ବଢ଼ିଚାଲିଛି । ଆତ୍ମହତ୍ୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ଯେ, ହାଇକୋର୍ଟ ତତ୍ୱାବଧାନରେ ଏସଆଇଟି ତଦନ୍ତ କରାଯାଉ । ଅନ୍ୟପଟେ ବିଜେପି କହିଛି, ଗୋବିନ୍ଦଙ୍କ ମୃତ୍ୟୁ ଆତ୍ମହତ୍ୟା ନୁହେଁ, ବରଂ ଏକ ହତ୍ୟାକାଣ୍ଡ । ଆଉ ଏହାର ଜବାବରେ ବିଜେଡି କହିଛି, ଆଇନ୍ ତା ବାଟରେ ଯାଉଛି ।

ତେବେ ଗୋଟିଏ ଘଟଣା, ଆଉ ଗୋଟିଏ ଘଟଣାକୁ କେମିତି ପ୍ରଭାବିତ କରିପାରେ ତାହା ପୁଣି ଥରେ ଦେଖିବାକୁ ମିଳିଛି । ଯେତେବେଳେ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା ପରେ ଅର୍ଚ୍ଚନା ନାଗଙ୍କ ସୁରକ୍ଷା ନେଇ ପ୍ରଶ୍ନଚିହ୍ନ ଛିଡ଼ା କରିଛନ୍ତି ବିରୋଧୀ । ଯଦିଓ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା ଏବଂ ଅର୍ଚ୍ଚନା ନାଗଙ୍କ ଗିରଫଦାରୀ ଭିତରେ ସିଧାସଳଖ କୌଣସି ସମ୍ପର୍କ ନାହିଁ, ତଥାପି ଉଭୟ ଘଟଣାରେ ବଡ଼ ବଡ଼ ନେତା ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସଂପୃକ୍ତ ଥିବା ଅଭିଯୋଗ ରହିଛି । ଯାହାକି ବିରୋଧୀ କଂଗ୍ରେସଙ୍କୁ ପ୍ରଶ୍ନ ଉଠାଇବାରେ ଖୋରାକ୍ ଯୋଗାଇ ଦେଇଛି ।

  • ‘ଅର୍ଚ୍ଚନା ନାଗଙ୍କ ପ୍ରତି ରହିଛି ବିପଦ’
  • କଂଗ୍ରେସ ନେତାଙ୍କ ସାଂଘାତିକ ଅଭିଯୋଗ
  • ‘ଜେଲ ଭିତରେ ସୁରକ୍ଷିତ ନୁହେଁ କଏଦୀ’

କଂଗ୍ରେସର ଏଭଳି ପ୍ରଶ୍ନଠାରୁ ଆଉ ଦୁଇପାଦ ଆଗକୁ ବଢ଼ିଯାଇ ବିଜେପି ଆଣିଛି ସାକ୍ଷୀ ସଫା ଅଭିଯାନ ଅଭିଯୋଗ । ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା ଘଟଣା ସହ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା, ମାହାଙ୍ଗା ମର୍ଡର ମାମଲାରେ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କ ଦୁର୍ଘଟଣାରେ ମୃତ୍ୟୁ, ଇତିଶ୍ରୀ ମୃତ୍ୟୁ ମାମଲାର ମୁଖ୍ୟ ଆସାମୀ ନେତ୍ରାନନ୍ଦ ଦଣ୍ଡସେନାଙ୍କ ମୃତ୍ୟୁ ଘଟଣାକୁ ଯୋଡ଼ି ଦେଇଛି ବିଜେପି । ଏମିତି କି ସାକ୍ଷୀ ସଫା ଅଭିଯାନ ବିରୋଧରେ ଦଳ ପ୍ରତିବାଦ କରିବ ବୋଲି କହିଛି ବିଜେପି । ଏପଟେ ଉଭୟ ବିଜେଡି ଓ ବିଜେପିକୁ କାଉଣ୍ଟର କରିବାକୁ ଉଦ୍ୟମ କରିଛି ବିଜେଡି ।

ଜେଲ ଭିତରେ ଗୋବନ୍ଦ ସାହୁଙ୍କ ମୃତ୍ୟୁ ପ୍ରସଙ୍ଗକୁ ନେଇ କେବଳ ଯେ, ରାଜନୈତିକ ଦଳଙ୍କ ମନରେ ସନ୍ଦେହ ଆସୁଛି ତାହା ନୁହେଁ । ସମାନ ଢ଼ଙ୍ଗରେ ଆଶଙ୍କା ସୃଷ୍ଟି କରୁଛନ୍ତି, ମମିତା ମେହେର ହତ୍ୟାକାଣ୍ଡରେ ଗିରଫ ହୋଇଥିବା ରାଧେ ଚଣ୍ଡିଙ୍କ ପରିବାର । ରାଧେ ଚଣ୍ଡି, ମମିତା ଘଟଣାରେ ଗୋବିନ୍ଦଙ୍କୁ ସହଯୋଗ କରିଥିଲେ । ତେବେ ରାଧେ ଚଣ୍ଡିଙ୍କ ସ୍ତ୍ରୀ ଏବଂ ବାପା, ମଧ୍ୟ ଜେଲର ସୁରକ୍ଷା ବ୍ୟବସ୍ଥାକୁ ନେଇ ଭୟଭୀତ ଥିବା କହିଛନ୍ତି । ଏସବୁ ଭିତରେ ଦେଖିବାର କଥା ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ହେଉଥିବା ବୟାନବାଜୀ ଓ ରାଜନୀତି ଆଗକୁ କେଉଁ ଢ଼ଙ୍ଗରେ ସାମ୍ନାକୁ ଆସୁଛି ।