ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ମିଳିବନି ଦଉଡ଼ି ! ରଥ କାମ ସରିଗଲାଣି ଅଧା ହେଲେ ତିଆରି ହୋଇପାରିନି ରଥ ଦଉଡ଼ି

58

କନକ ବ୍ୟୁରୋ: ଆଉ ମାତ୍ର କିଛି ଦିନ ପରେ ମହାପ୍ରଭୁଙ୍କ ଘୋଷଯାତ୍ରା। ରଥ ତିଆରି କାମ ଅଧା ସରିଗଲାଣି। କିନ୍ତୁ ଏପର୍ଯ୍ୟନ୍ତ ରଥ ଟାଣିବା ପାଇଁ ଦଉଡ଼ି ତିଆରି ହୋଇପାରିନି । ତିନି ରଥ ପାଇଁ କତାରେ ତିଆରି ୧୪ଟି ଦଉଡ଼ି ଆବଶ୍ୟକ। ହେଲେ ତିଆରି ହୋଇଛି ମାତ୍ର ୫ଟି। ଆହୁରି ୯ଟି ଦଉଡ଼ି ସମେତ କଡର୍ନରେ ବ୍ୟବହୃତ ୧୨ଟି ଦଉଡ଼ି ତିଆରି ହୋଇନାହିଁ। ଘୋଷଯାତ୍ରା ମୁଣ୍ଡ ଉପରେ ଥିବା ବେଳେ ଓଡ଼ିଶା ସମବାୟ କତା ନିଗମ କର୍ମଚାରୀମାନେ ଏବେ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଫଳରେ ସମସ୍ୟାଟି ଜଟିଳ ହୋଇପଡିଛି। ନିଗମରେ ଥିବା ୧୯ ଜଣ ଯାକ କର୍ମଚାରୀ ଏବେ କାମ ବନ୍ଦ କରିଥିବାରୁ ଦଉଡ଼ି ତିଆରି ମଧ୍ୟ ବନ୍ଦ ହୋଇଯାଇଛି। ପୁରୀ ଘୋଷଯାତ୍ରା ପାଇଁ ଏଠାରୁ ୬୭ ମିଟର ଲେଖାଏ ୧୪ଟି କତା ଦଉଡ଼ି ପ୍ରସ୍ତୁତ କରି ପଠାଯାଇଥାଏ। ଗୋଟିଏ ଦଉଡ଼ିର ମୋଟେଇ ୮ ଇଞ୍ଚ ଲେଖାଏ ରୁହେ। ଗତ କିଛି ବର୍ଷ ଧରି ଏହି ସ୍ଥାନରୁ ରଥ ଦଉଡ଼ି ଯାଉଥିବା ବେଳେ ଏଥର ସମସ୍ୟା ଉପୁଜିବାର ଆଶଙ୍କା ପ୍ରକାଶ ପାଇଛି।

କେବଳ ପୁରୀ ନୁହେଁ। କେନ୍ଦ୍ରାପଡ଼ାର ବଳଦେବଜୀଉଙ୍କ ଘୋଷଯାତ୍ରାକୁ ମଧ୍ୟ ଏହିଠାରୁ ଦଉଡି ଯାଇଥାଏ। ବାରିପଦା, ନୀଳଗିରି, ବାଲେଶ୍ୱର, ଭୁବନେଶ୍ୱରର କିଟ୍, ଇସ୍କନ୍, ଖୋର୍ଧା, ନୟାଗଡ଼ର କେତେକ ସ୍ଥାନରେ ରଥ ଟାଣିବା ପାଇଁ ଏଠାରୁ ହିଁ ଦଉଡ଼ି ଯାଏ। ଏ ସବୁ ଦଉଡ଼ି ପ୍ରସ୍ତୁତି କାମ ବି ବନ୍ଦ ହୋଇଯାଇଛି। ତେଣୁ ସେଠାରେ ମଧ୍ୟ ସମସ୍ୟା ଉପୁଜିବ। ଆଉ କୌଣସି ସରକାରୀ ସଂସ୍ଥାରେ କତାରେ ତିଆରି ରଥ ଦଉଡ଼ି ପ୍ରସ୍ତୁତ ହେଉ ନ ଥିବାରୁ ଏଭଳି ଆଶଙ୍କା ପ୍ରକାଶ କରାଯାଉଛି। ତେଣୁ ରଥ କମିଟିଗୁଡ଼ିକ ଏଥର ବାହାର ରାଜ୍ୟରୁ ଚଢ଼ା ମୂଲ୍ୟରେ ଦଉଡ଼ି କିଣିପାରନ୍ତି ।

ଏମଏସଏମଇ ଅଧୀନରେ ଚନ୍ଦନପୁର ଠାରେ ଥିବା ଓଡ଼ିଶା ସମବାୟ କତା ନିଗମର କର୍ମଚାରୀଙ୍କ ଅଭିଯୋଗ ହେଉଛି ଏବେ ମାତ୍ର ୧୯ ଜଣ କର୍ମଚାରୀ ଏହି ନିଗମରେ ରହିଛନ୍ତି। ଏହି କର୍ମଚାରୀମାନେ ୧୯୮୯ରୁ ଲାଗୁ କରାଯାଇଥିବା ବେତନ କମିସନ ସୁପାରିସ ଅନୁଯାୟୀ ଦରମା ପାଉଛନ୍ତି। ୬୪ ପ୍ରତିଶତ ମହଙ୍ଗା ଭତ୍ତା ଯୋଗ କରି କର୍ମଚାରୀମାନେ ସର୍ବନିମ୍ନ ୩ ହଜାର ଟଙ୍କା ଓ ସର୍ବାଧିକ ୭ ହଜାର ଟଙ୍କା ଦରମା ପାଉଛନ୍ତି। ନିଗମ କର୍ମଚାରୀ ସରକାରଙ୍କୁ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନି। ଏମଏସଏମଇ ମନ୍ତ୍ରୀ, ସଚିବଙ୍କୁ ଭେଟିବା ସହ ଉଚ୍ଚ ନ୍ୟାୟଳୟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ନ୍ୟାୟଳୟଙ୍କ ନିର୍ଦେଶ ସତ୍ତ୍ୱେ ଏଥିପ୍ରତି କେହି ବି ଧ୍ୟାନ ଦେଉ ନ ଥିବା ଅଭିଯୋଗ ହୋଇଛି ।