କାଲିଠୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ୍ । ଟିମ୍ ଇଣ୍ଡିଆରେ ହେବ କି ପରିବର୍ତ୍ତନ? ପଢନ୍ତୁ, କଣ କହିଲେ ରୋହିତ ଶର୍ମା…

208

କନକ ବ୍ୟୁରୋ: ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ଭାରତ-ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ସିରିଜ୍ । ଯାହାକି ଭାରତର ୧୦୦୦ ତମ ଦିନିକିଆ ମ୍ୟାଚ୍ ହେବ । ଏହି ମ୍ୟାଚ୍ ସହ ରୋହିତ ଶର୍ମା ମଧ୍ୟ ଏକ ନୂଆ ଇଂନିସ ଆରମ୍ଭ କରିବାକୁ ଯାଉଛନ୍ତି । ଫୁଲ୍ ଟାଇମ୍ କ୍ୟାପଟେନ୍ ହେବା ପରେ, ପ୍ରଥମ କରି ସେ ଦଳର ନେତୃତ୍ୱ ଭାର ସମ୍ଭାଳିବେ । ତେଣୁ ମ୍ୟାଚ୍ ପୂର୍ବରୁ ଅନୁଷ୍ଠିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସେ ଦଳର ଆଗାମୀ ଗେମ୍ ପ୍ଲାନକୁ ପ୍ରତିକ୍ରିୟା ରଖିଛନ୍ତି ।

ଟିମ୍ ଇଣ୍ଡିଆରେ ହେବ କି ପରିବର୍ତ୍ତନ?

ସାମ୍ବାଦିକଙ୍କ ଏଭଳି ପ୍ରଶ୍ନରେ ଉତ୍ତର ଦେଇ ରୋହିତ କହିଛନ୍ତି, ଦଳରେ ସେଭଳି କୌଣସି ବଡ ପରିବର୍ତ୍ତନର ଆବଶ୍ୟକତା ନାହିଁ । କେବଳ ପରିସ୍ଥିତି ଅନୁସାରେ କିଛି ପରିବର୍ତ୍ତନ ହେବ । ପୂର୍ବରୁ ଆମେ ଭଲ କ୍ରିକେଟ୍ ଖେଳିଛେ, ତେଣୁ ଗୋଟିଏ ସିରିଜ ହାରିବା ପରେ ଦଳରେ ସେଭଳି କୌଣସି ବଡ ପରିବର୍ତ୍ତନ ହେବନାହିଁ । ତେବେ ଦିନିକିଆ କ୍ରିକେଟରେ ଆମର ବିଜୟ ପ୍ରତିଶତ ରହିଛି । ଯଦି ଆଗକୁ ଆମକୁ କିଛି ବି ପରିବର୍ତ୍ତନର ଆବଶ୍ୟକତା ପଡେ, ତେବେ ଦଳରେ ନିଶ୍ଚୟ ପରିବର୍ତ୍ତନ ହେବ ବୋଲି ସେ କହିଛନ୍ତି । ତେବେ ଅନ୍ୟ ଦଳଙ୍କ ଭଳି ଟିମ୍ ଇଣ୍ଡିଆ କେବେ ବି ଖେଳିବନି, ହେଲେ କିଛି ନୂଆ ଓ ଅଲଗା କରିବାକୁ ଦଳ ସବୁବେଳେ ପ୍ରସ୍ତୁତ ବୋଲି ରୋହିତ କହିଛନ୍ତି ।

କୋହଲିଙ୍କର ରହିବ କି ଭୂମିକା?

ଟିମ୍ ଇଣ୍ଡିଆର ଅଧିନାୟକ ପଦରୁ କୋହଲି ହଟିବା ପରେ ଏବେ ସେ ରୋହିତଙ୍କ ନେତୃତ୍ୱ ଅଧୀନରେ ମ୍ୟାଚ୍ ଖେଳିବେ । ତେଣୁ ଏହି ସମୟରେ ତାଙ୍କର ଭୂମିକା କଣ ରହିବ ବୋଲି ରୋହିତଙ୍କୁ ସାମ୍ବାଦିକମାନେ ପ୍ରଶ୍ନ କରିଥିଲେ । ଏହାର ଉତ୍ତର ରଖି ରୋହିତ କହିଥିଲେ, କୋହଲି ଯେଉଁଠାରେ ଛାଡିଛନ୍ତି, ସେ ସେହିଠାରୁ ହିଁ ଆରମ୍ଭ କରିବେ । ସମସ୍ତଙ୍କୁ ନିଜ ନିଜର ଦାୟିତ୍ୱ ଜଣାଅଛି । କେବଳ ଆମକୁ ପରିସ୍ଥିତି ଦେଖି ମ୍ୟାଚ୍ ଖେଳିବାକୁ ପଡିବ ବୋଲି ରୋହିତ କହିଛନ୍ତି ।

ଯୁବ ଖେଳାଳିଙ୍କୁ ମିଳିବ କି ମୌକା?

ଟିମ୍ ଇଣ୍ଡିଆରେ ନିଜ ସ୍ଥାନ ପକ୍କା କରିବା ପାଇଁ ଏବେ ଏକାଧିକ ଖେଳାଳି ରେସରେ ଅଛନ୍ତି । ଏଭଳି ସ୍ଥିତିରେ ଦଳରେ କେଉଁ ଖେଳାଳିଙ୍କୁ ସୁଯୋଗ ମିଳିବ ତାକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ତେଣୁ ରୋହିତ କହିଛନ୍ତି, ଯେଉଁ ଖେଳାଳି ଭଲ ପ୍ରଦର୍ଶନ କରିବ ସେ ଦଳରେ ରହିବ । ଏବେ ଶିଖର ଧାୱନ୍, ଋତୁରାଜ ଗାଏକ୍ୱାଡଙ୍କୁ କରୋନା ହୋଇଛି, ତେଣୁ ତାଙ୍କ ବଦଳରେ ଦଳରେ ଇଶାନ କିଷାନଙ୍କୁ ଦଳରେ ସୁଯୋଗ ମିଳିବ । ସେହିପରି ଦଳରେ ଏବେ ଫିନିସରଙ୍କ ଆବଶ୍ୟକତା ରହିଛି ବୋଲି ରୋହିତ କହିଛନ୍ତି । ସୂଚନାଯୋଗ୍ୟ ଯେ, ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନୋଟି ଦିନିକିଆ ଓ ୩ଟି ଟି-୨୦ ସିରିଜ୍ ଖେଳାଯିବାକୁ ଅଛି । ଏହି ସିରିଜରେ ରୋହିତ ଶର୍ମା ଦଳର ନେତୃତ୍ୱ ନେବେ । ଏହାସହ ପ୍ରଥମ କରି ରୋହିତଙ୍କ ନେତୃତ୍ୱରେ ଖେଳିବେ ବିରାଟ କୋହଲି ।