ପ୍ରଚାର କରୁଛନ୍ତି, ପ୍ରତିଶ୍ରୁତି ଦେଉଛନ୍ତି… କାହାରି ପାଟିରୁ ବାହାରୁନି ପରିବେଶର କଥା । ଏବେ ନୁହେଁ ତ ଆଉ କେବେ ?

110

କନକ ବ୍ୟୁରୋ: ପଞ୍ଚାୟତ ନିର୍ବାଚନ ପାଇଁ ଏବେ ଉଠୁଛି ପଡୁଛି ଗାଁଗଣ୍ଡା । ସରଗରମ ରହିଛି ଗାଁ ରାଜନୀତି, ହଲଚଲ ହେଉଛି ପଞ୍ଚାୟତ ପାଣିପାଗ । କେଉଁଠି କ୍ଷମତା ହାତେଇବାକୁ ଦିନରାତି ରଣନୀତି ପ୍ରସ୍ତୁତ ହେଉଛି ତ କେଉଁଠି ଭୋଟରଙ୍କ ଭରସା ଜିତିବାକୁ ଛକାପଞ୍ଝା ଚାଲିଛି । ପୁଳାପୁଳା ପ୍ରତିଶ୍ରୁତି, ମାଳମାଳ ସ୍ୱପ୍ନ । ଯେଉଁଠି ଦେଖିବ ସେଠି ଦିବାସ୍ୱପ୍ନ ଦେଖାଇବାରେ ବ୍ୟସ୍ତ ଅଛନ୍ତି ନେତା । ପ୍ରଚାର ବେଳେ ଭୋଟ ଖଣ୍ଡେ ପାଇଁ କଥା ତ ଦେଉଛନ୍ତି, ରାଣ ବି ଖାଉଛନ୍ତି । ଆଉ ଲୋକଙ୍କ ମନ ଜିଣିବାକୁ କିଛି ପ୍ରାର୍ଥୀ ଯେମିତି ମିଛ ନାଟକ, କାନ୍ଦ ବୋବାଳିର ବାହାନା କରୁଛନ୍ତି ତାହା ସମସ୍ତଙ୍କୁ ତାଜୁବ କରିଛି ।

ଭୋଟ ପାଇଁ ବିଭିନ୍ନ ପ୍ରାର୍ଥୀ ଭିନ୍ନ ଭିନ୍ନ ସ୍ୱପ୍ନ ଦେଖାଉଛନ୍ତି । କିଏ ରାସ୍ତା କରିଦେବାର ରାଣ ଖାଉଛି ତ କିଏ ନଦୀର ଛାତି ଚିରି ପୋଲ ନିର୍ମାଣ କରିଦେବାର ପ୍ରତିଶ୍ରୁତି ଦେଉଛି । ଶିକ୍ଷିତ, ପାଠୁଆ, ଡାକ୍ତରୀ, ଇଞ୍ଜିନିୟରିଂ ଛାଡି ରାଜନୀତିରେ ପାଦ ଦେଇଥିବା ପ୍ରାର୍ଥୀ ତ ପଞ୍ଚାୟତକୁ ଦୁର୍ନୀତିମୁକ୍ତ କରିବାକୁ ଦମ୍ଭ ଦେଖାଉଛନ୍ତି । ନିଶାମୁକ୍ତ ଗାଁ, ନିଶାମୁକ୍ତ ପଞ୍ଚାୟତ କରିବାକୁ ଚାହୁଁଛନ୍ତି । ଯେଉଁ ଯୁବପିଢିମାନେ ନୂଆକରି ପଞ୍ଚାୟତ ମୈଦାନକୁ ଓହ୍ଲାଇଛନ୍ତି ସେମାନେ ବକାରୀ ସମସ୍ୟାକୁ ମୁଦ୍ଦା କରି ଗାଁରେ କେମିତି ବେକାରୀ ଯୁବକଙ୍କୁ ରୋଜଗାରର ଖୋରାକ ଯୋଗାଇହେବ ତାହା ଘରଘର ବୁଲି, ଗାଁଗାଁ ବୁଲି ଲୋକଙ୍କୁ କହୁଛନ୍ତି ।

ୱାର୍ଡ ମେମ୍ବରଠୁ ସରପଞ୍ଚ, ସମିତିସଭ୍ୟରୁ ଜିଲ୍ଲା ପରିଷଦ ନିଜ ନିଜ ନିର୍ବାଚନୀ ଇସ୍ତାହାରରେ ପଞ୍ଚାୟତର ପରିବର୍ତ୍ତନ ନେଇ ଅନେକ ପ୍ରତିଶ୍ରୁତିର ପୋଷ୍ଟର ବ୍ୟାନର ମାରୁଥିବା ବେଳେ କେହି କହୁ ନାହାନ୍ତି ପରିବେଶର କଥା । କାହା ପ୍ରତିଶ୍ରୁତିରେ ନାହିଁ ପ୍ରକୃତିକୁ ନେଇ କିଛି କରିବାର ମନୋବୃତି । ପଞ୍ଚାୟତରେ ଯାହା ନାହିଁ ତାକୁ କରିବାକୁ ମିଛ ମୁଦ୍ଦା କରି ଭୋଟ ଭିକ୍ଷା କରୁଥିବା ପ୍ରାର୍ଥୀ ପରିବେଶ ଓ ପ୍ରକୃତିର ସୁରକ୍ଷା କେମିତି କରିହେବ, କେମିତି ପ୍ରଦୂଷଣରୁ ପରିବେଶକୁ ସୁରକ୍ଷା ଦେଇହେବ ତାକୁ ମୁଖ୍ୟ ମୁଦ୍ଦା, ମୁଖ୍ୟ ପ୍ରସଙ୍ଗ କରୁନାହାନ୍ତି ନେତା । କିଏ କେତେ କଥା କହୁଛି ହେଲେ କାହା ପାଟିରୁ ବାହାରୁନି ମୁଁ ଜିତିଲେ, କୃତ୍ରିମ ଜଙ୍ଗଲଟେ ଗଢିବି । ମୋ ପଞ୍ଚାୟତ ସବୁଜିମାରେ ଭରିଦେବି କି ଗାଁର ରାସ୍ତାକଡରେ ମାଳ ମାଳ ଗଛର ସମ୍ଭାର କରିବି… ନା କାହାରି ପାଟିରୁ ଏ କଥା ଶୁଣିବାକୁ ମିଳୁନି । ସେ ପୁରୁଣା ହୁଅନ୍ତୁ କି ନୂଆ ଚେହେରା । ପ୍ରକୃତି, ପରିବେଶ ଚିନ୍ତା କାହା ପାଖେ ଦେଖିବାକୁ ମିଳୁନି ।

ସମସ୍ତେ କହୁଛନ୍ତି ଜଙ୍ଗଲ ଆମ ଜୀବନ, ବୃକ୍ଷ ଆମ ବନ୍ଧୁ । ହେଲେ ଏକଥା କେବଳ ଭାଷଣବାଜିରେ ସୀମିତ ହୋଇ ରହିଯାଉଛି । କେହି ବାସ୍ତବତାରେ ପରିଣତ କରୁ ନାହାନ୍ତି କି କାହା ଇସ୍ତାହାରରେ ବି ଜଙ୍ଗଲକୁ କୌଣସି ମୁଦ୍ଦା ରହୁନି । ଏହା ଦୁର୍ଭାଗ୍ୟ କହିଲେ କିଛି କମ ହେବନି । ତେଣୁ ଆସନ୍ତୁ ସମ୍ବାଦ ଡିଜିଟାଲର ଅଭିନବ ଅଭିଯାନ ପୁନଶ୍ଚ ପୃଥିବୀରେ ନିଜକୁ ସାମିଲ କରନ୍ତୁ । ଆପଣଙ୍କ ଚାହିଁଲେ ସବୁକିଛି ସମ୍ଭବ ହୋଇପାରିବ । ଏ ମହତ ଅଭିଯାନ ପ୍ରଥମେ ୱାର୍ଡମେମ୍ବର ପ୍ରାର୍ଥୀଙ୍କଠୁ ଆରମ୍ଭ ହେଉ । ସେ ଚାହିଁଲେ, ନିଜ ଗାଁ ସବୁଜ ହେବ, ତାପରେ ପଞ୍ଚାୟତ ତାପରେ ପୂରା ବ୍ଲକ ବଦଳିଯିବ… ତେଣୁ ଯାଆନ୍ତୁ, ଭୋଟରଙ୍କୁ ଭୋଟ ମାଗିଲା ବେଳେ ପରିବେଶର କଥାଟିଏ କୁହନ୍ତୁ । ଜିତିବା ହାରିବା ତ ଅଲଗା କଥା, ଲୋକଙ୍କୁ ପ୍ରତିଶ୍ରୁତି ଦିଅନ୍ତୁ , ସୁନ୍ଦର ବାର୍ତ୍ତାଟିଏ ଦିଅନ୍ତୁ… ଯେ ମୁଁ ଜିତିଲେ ମୋ ୱାର୍ଡ, ମୋ ପଞ୍ଚାୟତକୁ କରିବି ସବୁଜ ଓ ସୁନ୍ଦର । ମୋ ପଞ୍ଚାୟତ ହେବ ସବୁଜ ପଞ୍ଚାୟତ… ନିଜ ପାଇଁ ନିଜ ଭବିଷ୍ୟତ ପାଇଁ ସବୁ ପ୍ରାର୍ଥୀ ଏ ଶପଥ କରିବା ଦରକାର ।