ଅଶ୍ୱିନୀ ଦେଲେ ଆଇଡିଆ, ରୋହିତ କଲେ ସମର୍ଥନ । ଦିନିକିଆ ବିଶ୍ୱକପରେ ଆଇସିସି ଲାଗୁ କରିବ କି ଏହି ବ୍ୟବସ୍ଥା ।

455

କନକ ବ୍ୟୁରୋ : ଘରୋଇ ମାଟିରେ ଶ୍ରୀଲଙ୍କାକୁ ମାତ୍ ଦେବା ପରେ ଏବେ ନ୍ୟୁଜିଲାଣ୍ଡ ବିପକ୍ଷରେ ସିରିଜ୍ କବଜା କରିବାକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ବୁଧବାର ସିରିଜର ପ୍ରଥମ ଦିନିକିଆ ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ଏହାପୂର୍ବରୁ ଅଧିନାୟକ ରୋହିତ ଶର୍ମା ବଡ ବୟାନ ଦେଇଛନ୍ତି । ଆଗକୁ ହେବାକୁ ଥିବା ଦିନିକିଆ କ୍ରିକେଟ ବିଶ୍ୱକପକୁ ନେଇ ଅଶ୍ୱିନୀଙ୍କ ପରାମର୍ଶକୁ ପସନ୍ଦ କରିଛନ୍ତି ରୋହିତ । ଦିନିକିଆ ବିଶ୍ୱକପ୍ ଦୁଇ ଘଣ୍ଟା ପୂର୍ବରୁ ଆରମ୍ଭ କରିବାକୁ ପରାମର୍ଶ ଦେଇଥିଲେ ଅଶ୍ୱିନୀ ।

ସାଧାରଣତଃ ଭାରତରେ ଦିନିକିଆ ଦିବାରାତ୍ର ମ୍ୟାଚ୍ ଅପରାହ୍ନ ୧.୩୦ରୁ ଆରମ୍ଭ ହୁଏ । ତେଣୁ ଦ୍ୱିତୀୟ ଇନିଂସରେ କାକର ପଡିବା କାରଣରୁ ବୋଲିଂ କରୁଥିବା ଟିମ ଅସୁବିଧାର ସମ୍ମୁଖୀନ ହୋଇଥାଏ । ଯାହାଦ୍ୱାରା ବ୍ୟାଟିଂ କରୁଥିବା ଟିମକୁ ଟାର୍ଗେଟ ହାସଲ କରିବା ସହଜ ହୋଇଥାଏ । ଯାହାକୁ ନେଇ ଅଶ୍ୱିନୀ କହିଥିଲେ ଆଇସିସି ଭଲ ଭାବେ ଜାଣିଛି ମ୍ୟାଚ୍ ବିଳମ୍ବିତ ହେଲେ କାକର ପଡିବ । ତେଣୁ ଯଦି ମ୍ୟାଚକୁ ୨ ଘଣ୍ଟା ପୂର୍ବରୁ ଆରମ୍ଭ କରାଯାଏ ତେବେ ମ୍ୟାଚରେ କାକରର ପ୍ରଭାବ ରହିବ ନାହିଁ । କ୍ରିକେଟ ପ୍ରଶଂସକ ମଧ୍ୟ ଭଲ ମ୍ୟାଚ୍ ଦେଖିବାକୁ ପାଇବେ ।

ଅଶ୍ୱିନୀଙ୍କ ଏହି ବୟାନକୁ ସମର୍ଥନ କରିଛନ୍ତି ରୋହିତ । ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ରୋହିତ କହିଛନ୍ତି, ଏହା ନିଶ୍ଚିତ ଭାବେ ଭଲ ଆଇଡିଆ । ଯେହେତୁ ବିଶ୍ୱକପ ଖେଳାଯିବ ତେଣୁ ଏଥିରେ ଟସ୍ ବଡ ଭୂମିକାରେ ଅବତୀର୍ଣ୍ଣ ନହେଉ । ଶୀଘ୍ର ମ୍ୟାଚ୍ ଆରମ୍ଭ ହେଉ ଏହା ନିଶ୍ଚିତ ଭାବେ ଭଲ ଆଇଡିଆ । କିନ୍ତୁ ଜଣାନାହିଁ ଏହା ସମ୍ଭବପର ହେବ କି ନାହିଁ । ବାସ୍ତବିକ କୌଣସି ଟିମକୁ କାକରର ଫାଇଦା ମିଳୁ ଏହା କୌଣସି ଖେଳାଳି ଚାହିଁବେ ନାହିଁ । ତେଣୁ ଅଶ୍ୱିନୀଙ୍କ ଆଇଡିଆକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।