ଗଣମାଧ୍ୟମର ଖବରକୁ କେନ୍ଦ୍ର ଗୃହମନ୍ତ୍ରଣାଳୟର ଖଣ୍ଡନ, ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ଘର ମିଳିବା ଉପରେ କହିଲେ ଏଭଳି କଥା

133

କନକ ବ୍ୟୁରୋ : ରାଜଧାନୀ ଦିଲ୍ଲୀରେ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ଘର ଯୋଗାଇଦେବା ପ୍ରସଙ୍ଗରେ ମିଡିଆରେ ଚାଲିଥିବା ଖବରକୁ ଆଜି କେନ୍ଦ୍ର ଗୃହମନ୍ତ୍ରଣାଳୟ ଖଣ୍ଡନ କରିଛନ୍ତି । ଗୃହମନ୍ତ୍ରଣାଳୟ ସ୍ପଷ୍ଟ କରିଛି କି, ଦିଲ୍ଲୀର ବକ୍କରବାଲାରେ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ଇଡବ୍ଲ୍ୟୁଲସ ଫ୍ଲାଟ ପ୍ରଦାନ ପାଇଁ କୌଣସି ନିର୍ଦ୍ଦେଶ ଦିଆଯାଇ ନାହିଁ ।

କହିରଖୁ କି ଦିଲ୍ଲୀର କେଜ୍ରିୱାଲ ସରକାରଙ୍କ ପକ୍ଷରୁ ରୋହିଙ୍ଗ୍ୟାଙ୍କୁ ଏକ ନୂଆ ସ୍ଥାନକୁ ସ୍ଥାନାନ୍ତରିତ କରିବାକୁ ଏକ ପ୍ରସ୍ତାବ ରଖିଥିଲେ । ଏହା ପରେ ଗୃହମନ୍ତ୍ରଣାଳୟ ଦିଲ୍ଲୀ ସରକାରଙ୍କୁ ଚିଠି ଲେଖି କହିଥିଲେ କି ରୋହିଙ୍ଗ୍ୟା ଶରଣାର୍ଥୀମାନେ ଯେଉଁଠି ଅଛନ୍ତି ଏବେ ସେଇଠି ରହିବେ । ଏହାର କାରଣ ଦର୍ଶା ଯାଇଥିଲା କି ବିଦେଶ ମନ୍ତ୍ରଣାଳୟ ସହାୟତାରେ ଶରଣାର୍ଥୀଙ୍କ ଦେଶସହ ଆଲୋଚନା ଜାରି ରହିଛି । ଶରଣାର୍ଥୀଙ୍କୁ କିଭଳି ସେମାନଙ୍କ ଦେଶକୁ ପଠାଇ ଦିଆଯିବ ତା ଉପରେ ଆଲୋଚନା ଚାଲିଛି ।

ଗୃହମନ୍ତ୍ରଣାଳୟ କହିଛି କି ଅବୈଦ୍ଧ ବିଦେଶୀମାନଙ୍କୁ ଆଇନ ମୁତାବକ ସେମାନଙ୍କ ଦେଶକୁ ଫେରାଇଦେବା ପର୍ଯ୍ୟନ୍ତ ସେମାନଙ୍କୁ ଡିଟେନସନ ସେଣ୍ଟରରେ ରଖାଯିବ । ହେଲେ ସେମାନେ ଏବେ ଯେଉଁ ସ୍ଥାନରେ ରହିଛନ୍ତି ଦିଲ୍ଲୀ ସରକାର ସେହି ସ୍ଥାନକୁ ଡିଟେନସନ ସେଣ୍ଟର ଭାବେ ଘୋଷଣା କରି ନାହାଁନ୍ତି । ଏଣୁ ଗୃହମନ୍ତ୍ରଣାୟ ସେହି ସ୍ଥାନକୁ ତୁରନ୍ତ ଡିଟେନସନ୍ ସେଣ୍ଟର ଭାବେ ଘୋଷିତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା କଥା କେନ୍ଦ୍ର ଗୃହମନ୍ତ୍ରଣାଳୟ କହିଛି ।