ରିଙ୍କୁଙ୍କୁ ମିଳିଲା ଟିମ୍ ଇଣ୍ଡିଆ ଟିକେଟ । କେକେଆର ଲେଖିଲା, ଭାରତର ନିଜର ପୁଅ ।

636

କନକ ବ୍ୟୁରୋ : ଟିମ୍ ଇଣ୍ଡିଆରୁ ଆସିଲା ଡାକରା । ଆଇପିଏଲ ଦମଦାର ପ୍ରଦର୍ଶନ ରିଙ୍କୁଙ୍କୁ ଦେଲା ଟିମ୍ ଇଣ୍ଡିଆର ଟିକେଟ । ଏସିଆନ୍ ଗେମ୍ସ ପାଇଁ ରିଙ୍କୁଙ୍କୁ ୧୫ ଜଣିଆ ଭାରତୀୟ ଟିମରେ ସ୍ଥାନ ମିଳିଛି । ପ୍ରଥମ ଥର ପାଇଁ ରିଙ୍କୁ ଭାରତୀୟ ଟିମରେ ସାମିଲ କରାଯାଇଛି । ଯାହାକୁ ନେଇ କ୍ରିକେଟ ପ୍ରେମୀ ନିଜର ଖୁସିବ୍ୟକ୍ତ କରିଛନ୍ତି । ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜରେ ରିଙ୍କୁଙ୍କୁ ସୁଯୋଗ ମିଳିନଥିବା ବେଳେ କ୍ରିକେଟପ୍ରେମୀ ଏହାକୁ ନେଇ ପ୍ରଶ୍ନ କରିଥିଲେ । ପରେ ବିସିସିଆଇ ଏସିଆନ୍ସ ଗେମ୍ସ ପାଇଁ ଦଳରେ ରିଙ୍କୁଙ୍କୁ ସାମିଲ କରିଛନ୍ତି । ଋତୁରାଜ ଗାଏକ୍ୱାଡଙ୍କ ଅଧିନାୟକତ୍ୱରେ ଚୀନ୍ ଅଭିମୁଖେ ଯାତ୍ରା କରିବ ଭାରତୀୟ ଦଳ ।

ରିଙ୍କୁ ଭାରତୀୟ ଟିମର ଆଗାମୀ ଭବିଷ୍ୟତ । ଯାହାଙ୍କୁ ଆଇପିଏଲରେ ଯୁବରାଜଙ୍କ ଭଳି ଫିନିସର ଭୂମିକାରେ ଦେଖିବାକୁ ମିଳିଥିଲା । ଖାସକରି ଗୁଜୁରାଟ ବିପକ୍ଷରେ ଗୋଟିଏ ଓଭରରେ ୫ ଛକା ମାରି କୋଲକାତାକୁ ବଡ ବିଜୟ ଭେଟି ଦେଇଥିଲେ । ଏପରିକି କୋଲକାତା ପାଇଁ ନୂଆ ତାରକା ସାଜି ଉଭା ହୋଇଥିଲେ ରିଙ୍କୁ । ତେଣୁ ଟିମ୍ ଇଣ୍ଡିଆରେ ସାମିଲ ହେବା ପରେ ରିଙ୍କୁଙ୍କୁ ନିଆରା ଢଙ୍ଗରେ ଶୁଭେଚ୍ଛା ଜଣାଇଛି କେକେଆର । ସୋସିଆଲ ମିଡ଼ିଆରେ ରିଙ୍କୁଙ୍କ ଫଟୋ ସେୟାର କରି କେକେଆର ଲେଖିଛି ରିଙ୍କୁ, ଟିମ୍ ଇଣ୍ଡିଆର ନିଜର ପିଲା । ଏସିଆନ ଗେମ୍ସ ପୂର୍ବରୁ ରିଙ୍କୁ ଆର୍ୟଲାଣ୍ଡ ଗସ୍ତରେ ମଧ୍ୟ ଯାଇପାରନ୍ତି । ଆର୍ୟଲାଣ୍ଡ ବିପକ୍ଷରେ ୩ଟି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ଖେଳିବ ଟିମ୍ ଇଣ୍ଡିଆ । କିନ୍ତୁ ଏଯାବତ ଆର୍ୟଲାଣ୍ଡ ଗସ୍ତ ପାଇଁ ଟିମ୍ ଘୋଷଣା କରିନି ବିସିସିଆଇ ।

ପ୍ରଥମ ଥର ପାଇଁ ଏସିଆନ୍ ଗେମ୍ସରେ ଭାଗ ନେଉଛି ଟିମ୍ ଇଣ୍ଡିଆ । ଏହାପୂର୍ବରୁ ୨୦୧୦ ଓ ୨୦୧୪ରେ ଏସିଆନ୍ ଗେମ୍ସରେ କ୍ରିକେଟ ସାମିଲ କରାଯାଇଥିଲେ ମଧ୍ୟ ବିସିସିଆଇ ଏଥିରେ ଭାଗ ନେଇନଥିଲା । ତେବେ ଚଳିତଥର ପ୍ରଥମଥର ପାଇଁ ଏସିଆନ୍ ଗେମ୍ସରେ ଖେଳିବ ଟିମ୍ ଇଣ୍ଡିଆ । ରିଙ୍କୁ ସିଂଙ୍କ ସମେତ ଜିତେଶ ଶର୍ମା ଓ ପ୍ରଭାସିମରନ ସିଂଙ୍କୁ ମଧ୍ୟ ଟିମ୍ ଇଣ୍ଡିଆରୁ ପ୍ରଥମ ଥର ପାଇଁ ଡାକରା ଆସିଛି । ଯୁବ ଖେଳାଳୀଙ୍କୁ ନେଇ ଏସିଆନ ଗେମ୍ସ ଖେଳିବାକୁ ଚୀନ୍ ଯିବ ଟିମ୍ ଇଣ୍ଡିଆ ।