କପଡ଼ା ସିଲେଇ କରି ପରିବାର ସମ୍ଭାଳୁଛନ୍ତି ବାଙ୍କିର ରୀନା ମହାରାଣା: ନିଜେ ରୋଜଗାର କରିବା ସହ ଅନ୍ୟ ମହିଳାଙ୍କ ପାଇଁ ପାଲଟିଛନ୍ତି ଉଦାହରଣ

316

କନକ ବ୍ୟୁରୋ: ବେଳେବେଳେ କଠିନ ପରିସ୍ଥିତି ମଣିଷକୁ ସଠିକ୍ ରାସ୍ତା ଦେଖାଇଥାଏ । ଆଉ ଜୀବନ ଜିଇବାର ମାଧ୍ୟମ ପାଲଟିଯାଏ ଏହି ରାସ୍ତା । ସେହିଭଳି ଜଣେ ମହିଳା ହେଉଛନ୍ତି ବାଙ୍କି ଅଂଚଳର ରୀନା ମହାରଣା । ପିଲାଦିନୁ ଅଭାବ ଅନଟନରେ ବଢ଼ିଥିବା ରୀନା କିଛି ରୋଜଗାର ଆଶାରେ ସିଲେଇ ଶିଖିବା ପାଇଁ ନିଷ୍ପତି ନେଇଥିଲେ । ଏବେ ଜଣେ ପ୍ରଶିକ୍ଷକ ଭାବେ ଅନେକଙ୍କୁ ତାଲିମ ଦେବା ସହ ଏଥିରୁ ଭଲ ରୋଜଗାର କରୁଛନ୍ତି । ଅନେକ ମହିଳାଙ୍କୁ ରୋଜଗାରର ବାଟ ଦେଖାଇଛନ୍ତି ।

ପରିବାର ଚଳାଉଛି ସିଲେଇ ମେସିନ୍ । ନିଜେ ଆତ୍ମନିର୍ଭର ହେବା ସହ ସ୍ଥାନୀୟ ଅଂଚଳର ଅନ୍ୟ ମହିଳା ମାନଙ୍କୁ ରୋଜଗାରର ରାସ୍ତା ଦେଖାଇଛନ୍ତି ବାଙ୍କି ବରହମପୁରା ଗାଁର ରିନା ମହାରଣା । ପିଲାଦିନୁ ଅଭାବ ଅନାଟନ ଭିତରେ ଚଳି ଆସିଥିବା ରିନା ପରିବାରର ଆର୍ଥିକ ସ୍ଥିତି ସୁଧାରିବା ପାଇଁ ନିଷ୍ପତି ନେଇଥିଲେ । ଅଧାରୁ ପାଠପଢ଼ା ଛାଡ଼ିବା ପରେ ଟେଲରିଂ କାମ ଶିଖିବା ପାଇଁ କଟକ ଚାଲିଆସିଥିଲେ । ସେଠାରେ କିଛି ମାସ କାମ ଶିଖିବା ପରେ ରିନା ଗାଁକୁ ଫେରିଆସି ମାତ୍ର ୬୦୦ ଟଙ୍କାରେ ଏକ ପୁରୁଣା ସିଲେଇ ମେସିନ୍ କିଣି କାମ ଆରମ୍ଭ କରିଥିଲେ । ଭଲ କାମ କରୁଥିବାରୁ ଲୋକମାନେ ଧିରେ ଧିରେ ତାଙ୍କୁ କାମ ଦେଇଥିଲେ । ବ୍ୟବସାୟରେ ଉନ୍ନତି ଆସିବାରୁ ପରିବାରର ମଧ୍ୟ ଉନ୍ନତି ହୋଇଥିଲା । ଆଉ ଏବେ ସ୍ଥାନୀୟ ଅଂଚଳର ଅନ୍ୟ ମହିଳା ମାନେ ତାଙ୍କ ପାଖରେ କାମ କରିବା ସହ ସିଲେଇ ଶିଖିବା ପାଇଁ ଭିଡ଼ ଜମାଇଛନ୍ତି ।

ଏହି ବ୍ୟବସାୟରୁ ସେ କିଛି କିଛି ପଇସା ସଂଚୟ କରି ଭଉଣୀ ବାହାଘର ମଧ୍ୟ କରିଛନ୍ତି । ବ୍ୟବସାୟ ବୃଦ୍ଧି କରିବା ଲକ୍ଷ୍ୟରେ ୨୦୧୯ରେ ଓରମାସ ପକ୍ଷରୁ କିଛି ସିଲେଇ ମେସିନ୍ ଆଣି ନିଜ ଗାଁରେ ଏକ ଦୋକାନ ଖୋଲି କିଛି ମହିଳାଙ୍କୁ ଏଥିରେ ନିୟୋଜିତ କରିଛନ୍ତି । ଆଉ ସେବେଠାରୁ ସେ ଜଣେ ସଫଳ ମହିଳା ଉଦ୍ୟୋଗୀ ଭାବେ ସ୍ଥାନୀୟ ଅଂଚଳରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।

ଧିରେ ଧିରେ ବ୍ୟବସାୟ ବଢ଼ିବା ସହିତ ନୂଆ ନୂଆ ଡିଜାଇନର ଲେଡ଼ିଜ କଷ୍ଟ୍ୟୁମ୍ ତିଆରି କରି ସ୍ଥାନୀୟ ଅଂଚଳରେ ବେଶ ନାଁ କରିଛନ୍ତି ରୀନା । କେବଳ ସେତିକି ନୁହେଁ ଯେଉଁ ମହିଳା କିମ୍ବା ଯୁବତୀ ସିଲେଇ ଶିଖିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ତାଙ୍କୁ ମଧ୍ୟ ସେ ଏହି କାର୍ଯ୍ୟରେ ସୁଯୋଗ ଦେଇଛନ୍ତି । ଫଳରେ ତାଙ୍କ ପାଖରେ ଏବେ ୧୪ ଜଣ ମହିଳା ଏବଂ ଯୁବତୀ କାମ ଶିଖଉଛନ୍ତି । ଅନେକ ଯୁବତୀ ମଧ୍ୟ ରୋଜଗାରକ୍ଷମ ହୋଇପାରିଛନ୍ତି ।

ସମୟ ସବୁବେଳେ ସମାନ ନଥାଏ । ଯାହା ରୀନାଙ୍କ ଜୀବନରେ ପ୍ରତିଫଳିତ ହୋଇଛି । ଦିନେ ଅର୍ଥିକ ଅନଟନରେ ଗତିକରୁଥିବା ରୀନା ଏବେ ଅନେକ ମହିଳାଙ୍କ ପାଇଁ ପ୍ରେରଣାର ପାତ୍ର ହୋଇପାରିଛନ୍ତି । କରୋନା ମହାମାରୀ ସମୟରେ ମାସ୍କ ତିଆରି କରି ଲୋକ ମାନଙ୍କୁ ଯୋଗାଇଥିଲା ରୀନାଙ୍କ ସିଲେଇ ଶିକ୍ଷା କେନ୍ଦ୍ର ।