କରୋନା ସମୟର ପରିସ୍ଥିତି ବଦଳାଇଦେଲା ଜୀବନର ଗତିପଥ: ଚାକିରି ଛାଡ଼ି ନିଜ ମାଛ ଚାଷ କରୁଛନ୍ତି ଯୁବ ଇଂଜିନିୟର

396

କନକ ବ୍ୟୁରୋ: କରୋନା ସମୟର ପରିସ୍ଥିତି ବଦଳାଇଦେଲା ଜୀବନର ଗତିପଥ । ଚାକିରି ଛାଡ଼ି ନିଜ ଜନ୍ମମାଟିକୁ ଫେରିଆସିଥିବା ଯୁବ ଇଂଜିନିୟର ଏବେ କରୁଛନ୍ତି ମାଛ ଚାଷ । ଅତ୍ୟାଧୁନିକ ପ୍ରଣାଳୀରେ ବାୟୋଫ୍ଲକ ପଦ୍ଧିତିରେ ମାଛ ଚାଷ କରି ସ୍ଥାନୀୟ ଅଂଚଳରେ ଚର୍ଚ୍ଚାକୁ ଆସିଛନ୍ତି ଛତ୍ରପୁର ନରେନ୍ଦ୍ରପୁର ଗାଁର ପ୍ରଦ୍ୟୁମ୍ନ କୁମାର ଜେନା ।

ଯୁବ ଇଞ୍ଜିନିୟରଙ୍କ ବାୟୋଫ୍ଲକ୍ ପଦ୍ଧତିରେ ମାଛ ଚାଷ । ନିଜସ୍ୱ ଉଦ୍ୟମରେ ମାଛ ଚାଷ କରି ଭଲ ରୋଜଗାର କରୁଛନ୍ତି ଛତ୍ରପୁର ନରେନ୍ଦ୍ରପୁର ଗାଁର ପ୍ରଦ୍ୟୁମ୍ନ କୁମାର ଜେନା । କରୋନା ସମୟରେ ଚାକିରି ଛାଡ଼ି ଜନ୍ମମାଟିକୁ ଚାଲିଆସିଥିଲେ ପ୍ରଦ୍ୟୁମ୍ନ । ରୋଜଗାର କରିବା ପାଇଁ ବାଟ ଖୋଜୁ ଖୋଜୁ ମାଛ ଚାଷ ପ୍ରତି ମନ ବଳାଇଥିଲେ । ବ୍ୟାଙ୍କରୁ କିଛି ରୁଣ ଆଣି ପ୍ରଥମେ ନିଜ ଜମିରେ ଆରମ୍ଭ କରିଥିଲେ ମାଛ ଚାଷ । ବର୍ଷକ ତଳେ ଆରମ୍ଭ ହୋଇଥିବା ଏହି ଚାଷ ଏବେ ବେଶ ଭଲ ଚାଲିଛି । ସିଙ୍ଗି, ଏକଂଟା ଭଳି ମାଛ ସହିତ ଚିଙ୍ଗୁଡ଼ି ଚାଷ ମଧ୍ୟ ସେ କରୁଛନ୍ତି । ଆଗକୁ ଇଲିସ ମାଛ କରିବା ପାଇଁ ସେ ଯୋଜନା ରଖିଛନ୍ତି ।

ମାଛକୁ ଦାନା ଦେବା, ପାଣି ପରୀକ୍ଷା କରିବା ଭଳି ସମସ୍ତ କାମ କରନ୍ତି ପ୍ରଦ୍ୟୁମ୍ନ । ଏହା ସହ ଏହି ଚାଷ କାମରେ ୫ ଜଣ ପିଲାଙ୍କୁ ମଧ୍ୟ ସେ ନିୟୋଜିତ କରିଛନ୍ତି । ଯାହାଦ୍ୱାରା ସେମାନେ ମଧ୍ୟ ଉପକୃତ ହୋଇପାରୁଛନ୍ତି । ପ୍ରଦ୍ୟୁମ୍ନଙ୍କର ଏହି କାମ ଏବେ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ପାଲଟିଛି । କେବଳ ଗଂଜାମ ନୁହେଁ ଓଡ଼ିଶା ବାହାରକୁ ମଧ୍ୟ ମାଛ ରପ୍ତାନୀ କରୁଛନ୍ତି ପ୍ରଦ୍ୟୁମ୍ନ । ଚାକିରି ଛାଡ଼ି ନିଜସ୍ୱ ଉଦ୍ୟମରେ କିଛି ରୋଜଗାର କରିପାରୁଥିବାରୁ ସେ ଖୁସି ପ୍ରକାଶ କରିଛନ୍ତି ।

ନଦୀ ପୋଖରୀରେ ମାଛ ଚାଷ କରିବା ପ୍ରାୟ ଅଧିକାଂଶ ସ୍ଥାନରେ ଦେଖିବାକୁ ମିଳିଥାଏ । କିନ୍ତୁ ବାୟୋଫ୍ଲକ୍ ପଦ୍ଧତି ଭଳି ଉନ୍ନତ ପ୍ରଣାଳୀରେ ମାଛ ଚାଷ କରି ସ୍ଥାନୀୟ ଅଂଚଳରେ ଚର୍ଚ୍ଚାକୁ ଆସିଛନ୍ତି ପ୍ରଦ୍ୟୁମ୍ନ । ପ୍ରଦୁମ୍ନଙ୍କ କହିବା ଅନୁସାରେ ଓଡ଼ିଶାର ପ୍ରୟା ୭୦ ଭାଗ ଲୋକ ଆନ୍ଧ୍ର ମାଛ ଉପରେ ନିର୍ଭର କରନ୍ତି । ଯଦି ପ୍ରତେକ ଗାଁରେ ଯୁବପିଢ଼ି ମାନେ ଏହିପରି ମାଛ ଚାଷ କରିବେ ତେବେ ନିଜେ ଆତ୍ମନିର୍ଭର ହେବା ସହ ରାଜ୍ୟରେ ମାଛର ଅଭାବ ରହିବ ନାହିଁ । ଅନ୍ୟ ରାଜ୍ୟ ଉପରେ ମାଛ ପାଇଁ ନିର୍ଭର କରିବାକୁ ପଡ଼ିବ ନାହିଁ ।