ମେସିନ୍ ଯୁଗରେ ବି କମିନି ବୁଣାକାରଙ୍କ ହାତ ବୁଣା ଶାଢ଼ିର ଚାହିଦା: କେନ୍ଦ୍ରାପଡ଼ା ଡିହସାହିରେ ରହୁଥିବା ୩୦୦ ପରିବାର ତିଆରି କରୁଛନ୍ତି ଦେହବାନ୍ଧ ଶାଢ଼ି

353

କନକ ବ୍ୟୁରୋ: ମେସିିନ୍ ତିଆରି ଯୁଗରେ ବି କମିନି ବୁଣାକାରଙ୍କ ହାତ ବୁଣା ଶାଢ଼ିର ଚାହିଦା । କେନ୍ଦ୍ରାପଡ଼ା ଡିହସାହିରେ ରହୁଥିବା ୩୦୦ ପରିବାର ତିଆରି କରୁଛନ୍ତି ଦେହବାନ୍ଧ ଶାଢ଼ି । କଟକ, ଭୁବନେଶ୍ୱର, ବାଲେଶ୍ୱର ଓ ବ୍ରହ୍ମପୁର ଭଳି ସହରରେ ବିକ୍ରି କରୁଛନ୍ତି ବ୍ୟବସାୟୀ ।

ଶାଢ଼ି ତିଆରି କଲେ ଚଳୁଛି ପରିବାର । ସୁନ୍ଦର ସୁନ୍ଦର ଡିଜାଇନ୍ ସାଙ୍ଗକୁ ବୁଣାକାରଙ୍କ ନିଖୁଣ କାରିଗରି ସେମାନଙ୍କୁ ଦେଇଛି ସ୍ୱତନ୍ତ୍ର ପରିଚୟ । ପିଢ଼ି ପରେ ପିଢ଼ି ଏହି ହସ୍ତତନ୍ତ କଳାକୁ ବଂଚାଇ ରଖିବା ସହିତ ଏହାକୁ ବିକ୍ରି କରି ପରିବାର ପ୍ରତିପୋଷଣ କରୁଛନ୍ତି କେନ୍ଦ୍ରାପଡ଼ା ଗରଦପୁର ଡିହସାହିରେ ରହୁଥିବା ବୁଣାକାର । ଏହି ଗାଁରେ ରୁହନ୍ତି ପ୍ରାୟ ୩୦୦ରୁ ଅଧିକ ବୁଣାକାର ପରିବାର । ଘରେ ଘରେ ତନ୍ତ ବସାଇ ଲୁଗା ବୁଣୁଛନ୍ତି ଉଭୟ ପୁରୁଷ ଓ ମହିଳା । କାରଣ ପରିବାରର ସମସ୍ତ ସଦସ୍ୟ ନଲାଗିଲେ ଦିନକର ମଜୁରି ଉଠିବ ନାହିଁ । ତେଣୁ ପରିବାର ଚଳାଇବା ପାଇଁ ଏହି କାମରେ ଲାଗିଛନ୍ତି କାରିଗର । ବୁଣାକାର ମାନେ ତିଆରି କରୁଥିବା ଏହି ଶାଢ଼ିର ନାଁ ହେଉଛି ଦେହବାନ୍ଧ ଶାଢ଼ି । ବଜାରରେ ଏହି ଶାଢ଼ିର ଚାହିଦା ମଧ୍ୟ ବେଶ ଭଲ ରହିଛି । ହେଲେ କଂଚାମାଲ ଅଭାବ ଯୋଗୁଁ ସମସ୍ୟା ଭୋଗୁଛନ୍ତି କାରିଗର ।

ଏହି ଗାଁରେ ତିଆରି ହେଉଥିବା ଦେହବାନ୍ଧ ଶାଢ଼ି କେବଳ କେନ୍ଦ୍ରାପଡ଼ା ନୁହେଁ କଟକ, ଭୁବନେଶ୍ୱର, ବାଲେଶ୍ୱର ଓ ବ୍ରହ୍ମପୁରରେ ବି ବିକ୍ରି କରାଯାଉଛି । ଶାଢ଼ି ପାଇଁ ଆବଶ୍ୟକ ହେଉଥିବା କଂଚାମାଲ ଯଥା ସୁତା, ରଙ୍ଗ ଭଳି ଅନ୍ୟାନ୍ୟ ସାମଗ୍ରୀ ମାଣିଆବନ୍ଧ ଓ ବରଗଡ଼ରୁ ଆଣିବାକୁ ପଡ଼ିଥାଏ । ବ୍ୟବସାୟୀ ମାନେ କଂଚାମାଲ ଆଣି କାରିଗର ମାନଙ୍କୁ ଯୋଗାଇଥାଆନ୍ତି । ଏହା ବଦଳରେ ବୁଣାକାର ମାନେ ଶାଢ଼ି ବୁଣି ବ୍ୟବସାୟୀମାନଙ୍କୁ ଦେଇଥାଆନ୍ତି । ବ୍ୟବସାୟୀ ମାନେ ଗୋଟିଏ ଗୋଟିଏ ଶାଢ଼ି ପିଛା ୪୦୦ ରୁ ୫୦୦ ଟଙ୍କା ପାରିଶ୍ରମିକ ପାଇଥାଆନ୍ତି । ଗୋଟିଏ ଗୋଟିଏ ଲୁଗା ବୁଣିବା ପାଇଁ ଦିନଟିଏ ଲାଗୁଥିବା ବେଳେ ଏଥିରେ ଦୁଇ ତିନି ଜଣ କାମ କରିବାକୁ ପଡ଼ିଥାଏ । ସେହି ଅନୁସାରେ କାରିଗର ମାନଙ୍କୁ ସେମାନଙ୍କ ପାରିଶ୍ରମିକ ମିଳୁନଥିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଦିନକୁ ଦିନକୁ ଦିନ ମେସିନ ତିଆରି ଶାଢ଼ି ବଜାରକୁ ଆସୁଥିଲେ ବି ହାତି ତିଆରି ଶାଢ଼ିର ଚାହିଦା କମିନି । ଅନଲାଇନ୍ ଓ ଅଫଲାଇନରେ ବ୍ୟବସାୟୀଙ୍କ ଠାରୁ କିଣି ନେଉଛନ୍ତି ଗ୍ରାହକ । ଏଥିରେ ବ୍ୟବସାୟୀ ମାନେ ଲାଭବାନ ହେଉଥିବା ବେଳେ ବୁଣାକାରଙ୍କୁ ମିଳୁନି ଉଚିତ୍ ପାରିଶ୍ରମିକ ।

ହସ୍ତତନ୍ତ କଳାର ବିକାଶ ଓ ବୁଣାକାରଙ୍କୁ ଉନ୍ନତି ପାଇଁ ସରକାର ଅନେକ ଯୋଜନା କରୁଛନ୍ତି । ହେଲେ ଏହି ସବୁ ଯୋଜନାରୁ ଯେମିତି ଏମାନଙ୍କ ପାଇଁ ସାତ ସପନ ପାଲଟିଛି । ଉପଯୁକ୍ତ ବଜାର ବ୍ୟବସ୍ଥା ଓ ସୁବିଧାରେ କଂଚାମାଲ ମିଳିଲେ ସେମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆସିପାରନ୍ତା ବୋଲି କହିଛନ୍ତି ବୁଣାକର ।