ବଡ ମ୍ୟାଚ୍ ପୂର୍ବରୁ ଆରସିବିକୁ ବଡ ଝଟକା । କେକେଆର ବିପକ୍ଷରେ ଖେଳିନପାରନ୍ତି ମ୍ୟାକ୍ସୱେଲ, ଜାଣନ୍ତୁ କାରଣ କଣ?

197

କନକ ବ୍ୟୁରୋ : କୋଲକାତା ବିପକ୍ଷ ମ୍ୟାଚ୍ ପୂର୍ବରୁ ଆରସିବିକୁ ବଡ ଝଟକା । ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ମ୍ୟାଚ୍ ଖେଳିନଥିବା ଗ୍ଲେନ ମ୍ୟାକ୍ସୱେଲଙ୍କୁ କେକେଆର ବିପକ୍ଷରେ ମଧ୍ୟ ଦେଖିବାକୁ ମିଳିନପାରେ । କାରଣ ଏବେ ପର୍ଯ୍ୟନ୍ତ ମ୍ୟାକ୍ସୱେଲ ଫିଟ୍ ହୋଇନାହାନ୍ତି । ମ୍ୟାକ୍ସୱେଲ ଫିଟ୍ ହୋଇନଥିବାରୁ ଆରସିବିର ଚିନ୍ତା ବଢିଛି । କାରଣ ଟୁର୍ଣ୍ଣାମେଣ୍ଟରେ ତିଷ୍ଠି ରହିବାକୁ ହେଲେ ଆରସିବି ପାଇଁ ପରବର୍ତ୍ତୀ ସମସ୍ତ ମ୍ୟାଚ୍ କର ବା ମର ମ୍ୟାଚ୍ ସଦୃଶ ପାଲଟିଛି । ଏଭଳି ସ୍ଥିତିରେ ମ୍ୟାକ୍ସୱେଲ ମ୍ୟାଚରୁ ଦୂରେଇ ରହିବା ଆରସିବି ପାଇଁ ଅଡୁଆ ସୃଷ୍ଟି କରିଛି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏପ୍ରିଲ ୨୧ରେ କୋଲକାତା ବିପକ୍ଷରେ ହେବାକୁ ଥିବା ମ୍ୟାଚରୁ ବାଦ୍ ପଡିପାରନ୍ତି ମ୍ୟାକ୍ସୱେଲ । ମ୍ୟାଚ୍ ପାଇଁ ଫିଟ୍ ହେବାକୁ ଆଉ କିଛି ଦିନ ଲାଗିବ । ଏବେ ଟ୍ରେନିଂ ପିରିୟଡରେ ରହିଛନ୍ତି ମ୍ୟାକ୍ସୱେଲ । କିନ୍ତୁ ଖୁବଶୀଘ୍ର କିପରି କିଭଳି ଫିଟ୍ ହେବି ସେନେଇ ଚେଷ୍ଟା କରୁଛି ।

ଚଳିତ ଆଇପିଏଲରେ ମ୍ୟାକ୍ସୱେଲ ଉଭୟ ବୋଲିଂ ଓ ବ୍ୟାଟିଂରେ ସେଭଳି ଦମଦାର ପ୍ରଦର୍ଶନ କରିବାରେ ବିଫଳ ହୋଇଛି । ଚେନ୍ନାଇ ବିପକ୍ଷରେ ଖାତା ଖୋଲିପାରିନଥିବା ମ୍ୟାକ୍ସୱେଲ ପଞ୍ଜାବ କିଙ୍ଗସ ବିପକ୍ଷରେ ୩ ରନ୍, କୋଲକାତା ବିପକ୍ଷରେ ୨୮ ରନ୍ କରିଥିଲେ । ଲକ୍ଷ୍ନୌ ଓ ମୁମ୍ବାଇ ବିପକ୍ଷରେ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ଫେରିଥିଲେ ମ୍ୟାକ୍ସୱେଲ । ରାଜସ୍ଥାନ ବିପକ୍ଷରେ ୧ ରନ୍ କରିଥିବା ମ୍ୟାକ୍ସୱେଲ ହାଇଦ୍ରାବାଦ ବିପକ୍ଷରେ ଖେଳିନଥିଲେ । ମ୍ୟାକ୍ସୱେଲଙ୍କ ଭଳି ଚଳିତ ସିଜିନରେ ଆରସିବିର ପ୍ରଦର୍ଶନ ମଧ୍ୟ ନିରାଶଜନକ ରହିଛି । ଆରସିବି ଏବେ ପର୍ଯ୍ୟନ୍ତ ୭ଟି ମ୍ୟାଚରୁ ଗୋଟିଏ ବିଜୟ ଓ ୬ଟିରେ ପରାଜୟ ସହ ପଏଣ୍ଟ ଟେବୁଲର ଶେଷରେ ରହିଛି ।