ଜନ୍ମମାଟି ଢ଼େଙ୍କାନାଳ ଅଭିମୁଖେ ସହିଦ ଅଜିତ୍ ସାହୁଙ୍କ ମରଶରୀର: କାମାକ୍ଷାନଗରରେ ଆଜି ହେବ ଅନ୍ତିମ ସଂସ୍କାର

ଭୁବନେଶ୍ୱରସ୍ଥିତ ୧୨୦ ବାଟାଲିଆନ ପରିସରରେ ଶ୍ରଦ୍ଧାଞ୍ଜଳି ଦେଲେ ରାଜ୍ୟପାଳ

202

କନକ ବ୍ୟୁରୋ: ଜନ୍ମମାଟି ଢ଼େଙ୍କାନାଳ ଅଭିମୁଖେ ବାହାରିଲା ସହିଦ ଅଜିତ୍ ସାହୁଙ୍କ ମରଶରୀର । ଭୁବନେଶ୍ୱରସ୍ଥିତ ୧୨୦ ବାଟାଲିଆନ ପରିସରରେ ଶ୍ରଦ୍ଧାଞ୍ଜଳି ଦିଆଯିବା ପରେ ସ୍ୱତନ୍ତ୍ର ଗାଡିରେ ଜନ୍ମମାଟିକୁ ନିଆଯାଉଛି । ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ବିଳମ୍ବିତ ରାତ୍ରିରେ ଭୁବନେଶ୍ୱର ବିମାନବନ୍ଦରରେ ଅଜିତଙ୍କ ପ୍ରାର୍ଥୀବ ଶରୀର ପହଁଚିବା ପରେ ତାଙ୍କୁ ୧୨୦ ବାଟାଲିଆନ ପରିସରକୁ ନିଆଯାଇଥିଲା । ସେଠାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସମେତ ବହୁ ମନ୍ତ୍ରୀ ଓ ନେତା ଅଜିତଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ତାପରେ ସେଠାରୁ ତାଙ୍କ ମରଶରୀରକୁ ଜନ୍ମମାଟି କାମାକ୍ଷାନଗରର ବଡସୁଆଳ ଗାଁକୁ ନିଆଯାଇଛି ।

ଆତଙ୍କବାଦୀଙ୍କ ଆକ୍ରମଣରେ ଜମ୍ମୁକଶ୍ମୀରର ପୁଲୱାମାରେ ସହିଦ୍ ହୋଇଛନ୍ତି ଢ଼େଙ୍କାନାଳ ବଡ଼ସୁଆଳ ଗାଁର ଅଜିତ ସାହୁ । ସୋମବାର ସନ୍ଧ୍ୟାରେ ଯବାନଙ୍କ ଗାଡି ଉପରକୁ ଆକ୍ରମଣ ସହ ବିସ୍ପୋରଣ କରି ଉଡାଇଦେଇଥିଲେ ଆତଙ୍କବାଦୀ । ଯେଉଁଥିରେ ସହିଦ୍ ହୋଇଛନ୍ତି ଅଜିତ । ବଡସୁଆଁଳ ଗାଁର ସନ୍ତୋଷ ସାହୁଙ୍କ ସାନ ପୁଅ ଅଜିତ୍ ମାତ୍ର ୪ବର୍ଷ ତଳେ ୨୦୧୫ରେ ଭାରତୀୟ ସୈନ୍ୟବାହିନୀରେ ଯୋଗ ଦେଇଥିଲେ । ତାଲିମ ଶେଷ ପରେ କୋଲକାତାରେ ୨ବର୍ଷ କାର୍ଯ୍ୟ କରିଥିଲେ । ସେଠାରୁ ତାଙ୍କର ଜମ୍ମୁକଶ୍ମୀରକୁ ବଦଳି ହୋଇଥିଲା ।

ସୋମବାର ସନ୍ଧ୍ୟାରେ ଅନନ୍ତନାଗ ଅଂଚଳରେ ସେନାଗାଡିକୁ ଟାର୍ଗେଟ କରି ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଏହି ଗାଡିରେ ଅନ୍ୟମାନଙ୍କ ସହ ଯାଉଥିବା ଅଜିତ୍ ଗୁରୁତର ଭାବେ ଆହତ ହୋଇଥିଲେ । ସ୍ଥାନୀୟ ଡାକ୍ତରଖାନାରେ ସୋମବାର ରାତି ପ୍ରାୟ ୨ଟାବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ଏନେଇ ମଙ୍ଗଳବାର ସକାଳୁ ଅଜିତଙ୍କ ବାପାଙ୍କୁ ଫୋନ ଯୋଗେ ସୂଚନା ଦିଆଯାଇଥିଲା । ଏହି ଖବର ପ୍ରଚାରିତ ହେବା ପରେ କାମାକ୍ଷାନଗର ଅଂଚଳରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି । କାନ୍ଦବୋବାଳିରେ ଫାଟି ପଡୁଛି ଜନ୍ମମାଟି ।