ଏନଜିଟି ନୋଟିସ ନେଇ ପ୍ରତିକ୍ରିୟା: ଶ୍ରୀମନ୍ଦିର ପ୍ରଶାସନ କହିଲା, କାହିଁକି ଜରିମାନା ଦେବେ ଜଗନ୍ନାଥ?

152

କନକ ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ନିଜିଗଡ ତାପଙ୍ଗ ଅଂଚଳରୁ ବେଆଇନ ମାଙ୍କଡା ପଥର ଖଣି ଖନନ ଓ ଜଙ୍ଗଲ ନଷ୍ଟକୁ ନେଇ ଶ୍ରୀମନ୍ଦିର ଉପରେ ୧୨କୋଟି ଟଙ୍କାର ଜରିମାନା କଷିଛି ନେସନାଲ ଗ୍ରୀନ ଟ୍ରିବ୍ୟୁନାଲ । ଅର୍ଥାତ୍ ମହାପ୍ରୁଭୁ ଜଗନ୍ନାଥଙ୍କୁ ଜରିମାନା କରାଯାଇଛି । ଟଙ୍କା ପୈଠ ପାଇଁ ଶ୍ରୀମନ୍ଦିରକୁ କୁହାଯାଇଛି । ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଲୋଚନା ହୋଇଛି ।

ପରିଚାଳନା କମିଟି ବୈଠକ ପରେ ଏନଜିଟି ଛାଟକୁ ନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା ପ୍ରତିକ୍ରିୟା ଦେଇଛନ୍ତି । କହିଛନ୍ତି ଏହା ବିରୋଧରେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲର ହାୟରଫୋରମରେ ଅପିଲ କରିବା ପାଇଁ ନିଷ୍ପତି ନିଆଯାଇଛି । ଦରକାର ପଡିଲେ ଷ୍ଟେ ପାଇଁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିବ ଶ୍ରୀମନ୍ଦିର ପ୍ରଶାସନ । ଏଥିସହ ଉନ୍ନୟନ ପ୍ରଶାସକ କହିଛନ୍ତି ଶ୍ରୀଜଗନ୍ନାଥ କାହିଁକି ଜରିମାନା ଦେବେ? ଯିଏ ଜଗନ୍ନାଥଙ୍କ ଜମିକୁ ବ୍ୟବହାର କରିଛି ସେ ଜରିମାନା ଦେଉ । ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏହି ଜରିମାନା ଦାଖଲ କରିବା ପାଇଁ ପୂର୍ବରୁ ସରକାରଙ୍କୁ ଜଣାଇ ଦିଆଯାଇଥିଲେ । ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ନହେଲେ ସରକାର ଏହି କ୍ଷତି ଭରଣା କରନ୍ତୁ ବୋଲି କହିଛି ଶ୍ରୀମନ୍ଦିର ପ୍ରଶାସନ ।

ଖୋର୍ଦ୍ଧା ଜିଲ୍ଲା ନିଜିଗଡ ତାପଙ୍ଗ ପଂଚାୟତରେ ଶ୍ରୀଜଗନ୍ନାଥଙ୍କ ମାଲିକାନାରେ ଥିବା ପାଖାପାଖି ୫ଶହ ଏକର ଜମିରୁ ବେଆଇନ ମାଙ୍କଡା ପଥର ଖନନ କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ କୋଲକାତା ସ୍ଥିତ ଏନଜିଟି ଇଷ୍ଟ ଜୋନ ବେଂଚ ମାମଲାର ଶୁଣାଣି କରି ଶ୍ରୀମନ୍ଦିର ପ୍ରଶାସନକୁ ୧୨ କୋଟି ଟଙ୍କାର ଜରିମାନା କରିଛନ୍ତି । ଆଗକୁ ଏସଂପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ କରି ପରବର୍ତି ପଦକ୍ଷେପ ନିଆଯିବ ବୋଲି କହିଛି ଶ୍ରୀମନ୍ଦିର ପରିଚାଳନା କମିଟି ।