କେବେ ପରଦାରେ ଥିଲେ ହିଟ ହିରୋଇନ ! ହେଲେ ଏବେ କେମିତି ଜିଉଁଛନ୍ତି ଜୀବନ

81

କନକ ବ୍ୟୁରୋ : ପରଦାରେ ତାଙ୍କୁ ଦେଖିଲେ ଦର୍ଶକେ ତାଳି ମାରୁଥିଲେ । ତାଙ୍କ ନାଚ ଦେଖିଲେ ପାଦ ଉଠୁଥିଲା । ଆଉ ତାଙ୍କର ଜୀବନ୍ତ ଅଭିନୟ ଦେଖିଲେ ଦେହରେ ଶୀହରଣ ଖେଳୁଥିଲା । ହେଲେ ଆଜି ସେ ଆଉ ପରଦାରେ ଦିଶୁ ନାହାଁନ୍ତି । ସିନେମା ଦୁନିଆ ଠାରୁ ଅନେକ ଦୁରରେ ଜୀବନ ଜିଉଁଛନ୍ତି ସେହି ଅଭିନେତ୍ରୀ ଜଣକ । ସେ ହେଉଛନ୍ତି ରାମ ତେରୀ ଗଙ୍ଗା ମୈଲୀ ସିନେମାର ନାୟିକା ମନ୍ଦାକିନୀ ।

ରାମ ତେରୀ ଗଙ୍ଗା ମୈଲୀ । ୧୯୮୫ରେ ବଲିଉଡ ଆକାଶର ଏହି ନାଁଟି ଆଜି ବି ସମସ୍ତଙ୍କ ହୃଦୟରେ ରହିଛି । ଦର୍ଶକେ ଆଜି ବି ମନେ ରଖିଛନ୍ତି ସେହି ସିନେମାର କାହାଣୀ ଆଉ ଚରିତ୍ରମାନଙ୍କୁ । ଅଭିନେତା ତଥା ନିର୍ଦ୍ଦେଶକ ରାଜ କପୁରଙ୍କର ଏହି ସିନେମାଟି ବଲିଉଡ ଜଗତର ଏକ ମାଇଲଷ୍ଟୋନ । ୧୯୮୫ରେ ଧମାଲ ମଚାଇଥିବା ଏହି ବ୍ଲକବଷ୍ଟର ମୁଭି ଟି ରାଜ କପୁରଙ୍କର ଶେଷ ଚଳଚ୍ଚିତ୍ର ଥିଲା । ଆଉ ବେଶ ସଫଳତା ଓ ସମ୍ମାନ ବି ପାଇଥିଲା । ଏଥିରେ ମୁଖ୍ୟ ଭୁମିକାରେ ଥିଲେ ରାଜୀବ କପୁର ଓ ନାୟିକା ଥିଲେ ନବାଗତା ମନ୍ଦାକିନୀ ।

ମନ୍ଦାକିନୀ ମାତ୍ର ୨୨ ବର୍ଷ ବୟସରେ ସିନେମାରେ ପାଦ ଥାପି ନିଜ ଅଭିନୟର ଯାଦୁରେ ମତୁଆଲା କରିଥିଲେ ସମସ୍ତଙ୍କୁ । ଗଙ୍ଗା ଭୁମିକାରେ ଜୀବନ୍ତ ଅଭିନୟ ପାଇଁ ଦର୍ଶକେ ବେଶ ତାରିଫ କରିଥିଲେ । ଚାରିଆଡୁ ସମ୍ମାନ ପରେ ସମ୍ମାନ ମିଳିଥିଲା ମନ୍ଦାକିନୀଙ୍କୁ । ଶ୍ରେଷ୍ଠ ନାୟିକା ଭାବେ ଫିଲ୍ମଫେୟାର ଆୱାର୍ଡ ବି ପାଇଥିଲେ ସେ । ୧୯୮୫ରେ ଏହି ସିନେମା ବି ପାଇଥିଲା ଶ୍ରେଷ୍ଠ ଚଳଚ୍ଚିତ୍ର, ଶ୍ରେଷ୍ଠ କଳା ନିର୍ଦ୍ଦେଶକ, ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ସମ୍ପାଦନା ଏବଂ ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶନାର ଫିଲ୍ମ ଫେୟାର ଆୱାର୍ଡ ।

ଏତେ ଆୱାର୍ଡ, ସମ୍ମାନ, ପୁରସ୍କାର ପାଇଥିବା ମନ୍ଦାକିନୀ କିନ୍ତୁ ଆଜି ସିନେ ପରଦାରୁ ଅନେକ ଦୂରରେ । ଧଳା ସିନ୍ଥେଟିକ ଶାଢ଼ୀରେ ଝରଣାରେ ଗାଧୋଉଥିବାର ଦୃଶ୍ୟ ତାଙ୍କୁ ଅନେକ ଦିନ ଯାଏ ଚର୍ଚ୍ଚାରେ ରଖିଥିଲା । ରାମ ତେରୀ ଗଙ୍ଗା ମୈଲୀର ସଫଳତାର ସୁଅରେ କିଛି ସିନେମାରେ ବି ଅଭିନୟ କଲେ ମନ୍ଦାକିନୀ । ଯାହା ମଧ୍ୟରେ ରହିଛି ମିଥୁନ ଚକ୍ରବର୍ତ୍ତୀଙ୍କ ସହ ଡ୍ୟାନ୍ସ ଡ୍ୟାନ୍ସ, ଆଦିତ୍ୟ ପାଞ୍ଚୋଲିଙ୍କ ସହ କାହାଁ ହୈ କାନୁନ ଏବଂ ଗୋବିନ୍ଦାଙ୍କ ସହ ପ୍ୟାର କରକେ ଦେଖୋ । ହେଲେ ଏହା ଭିତରୁ କେଉଁ ଗୋଟିଏ ବି ଫିଲ୍ମ ପ୍ରଥମ ଫିଲ୍ମର ସଫଳତା ଦେଇପାରିନି ତାଙ୍କୁ । ଯେଉଁଥିପାଇଁ ସେ ଧିରେ ଧିରେ ଦୂରେଇ ଗଲେ ସିନେ ଦୁନିଆରୁ ।

ଅନେକ ଦିନ ପରେ ପୁଣି ଥରେ ଚର୍ଚ୍ଚାକୁ ଆସିଥିଲେ ମନ୍ଦାକିନୀ । ଅଣ୍ଡର ୱାର୍ଲଡ ଡନ ଦାଉଦ ଇବ୍ରାହିମ ସହ ତାଙ୍କର କିଛି ଫଟୋ ୧୯୯୪ରେ ଭାଇରାଲ ହେବା ପରେ ଦାଉଦ କନେକ୍ସନ ନେଇ ସେ କିଛିଦିନ ଚର୍ଚ୍ଚାରେ ରହିଲେ । ବି-ଟାଉନରେ ତ ଏକଥା ବି ଭାଇରାଲ ହେଲା ଯେ, ମନ୍ଦାକିନୀଙ୍କୁ ନାୟିକା ଭାବେ ନେଇ ଚଳଚ୍ଚିତ୍ର ନିର୍ମାଣ କରିବାକୁ ରିଷି କପୁରଙ୍କୁ ଚାପ ପକାଇଥିଲା ଦାଉଦ । କୁଆଡେ ନିଜ ସ୍ତ୍ରୀ ବୋଲି ବି କହିବାକୁ ପଛାଇ ନଥିଲା । ହେଲେ ମନ୍ଦାକିନୀ ଏସବୁକୁ ଖଣ୍ଡନ କରିଥିଲେ ।

ଦିନେ ସିନେ ପରଦାର ଏହି ହିଟ ହିରୋଇନ କିନ୍ତୁ ଆଜି ଜଣେ ସାଧାରଣ ଗୃହିଣୀ । ଧାଁ ଧପଡ ଭିତରୁ ନିଜକୁ ବେଶ ଦୁରେଇ ସ୍ୱାମୀ ଓ ପିଲାଙ୍କ ସହ ସେ ରହୁଛନ୍ତି ମୁମ୍ବାଇରେ । ତିବ୍ଦତିୟ ଯୋଗ ଶିଖାଉଛନ୍ତିି ମନ୍ଦାକିନୀ ଓ ଦଲାଇ ଲାମାଙ୍କ ପ୍ରଚାରକ ଭାବେ କାର୍ଯ୍ୟ କରୁଛନ୍ତି । ଏହାସହ ତିବ୍ଦତିୟ ମେଡିସିନ ସେଣ୍ଟର ବି ଖୋଲିଛନ୍ତି ସେ । ହେଲେ ଅଭିନୟ ଜଗତକୁ ଆଉ ଫେରି ଚାହିଁ ନାହାଁନ୍ତି ମନ୍ଦାକିନୀ । ଏବେ ମନ୍ଦାକିନୀ ଜଣେ ସାଧାରଣ ଗୃହିଣୀ ।