ରଥଯାତ୍ରା ସମନ୍ୱୟ ବୈଠକ ଶେଷ । ରଥଯାତ୍ରାରେ ଗଡ଼ିବ ୨୦୦ ଅଧିକ ବସ୍, ଫୋକସରେ ଟ୍ରାଫିକ୍ ବ୍ୟବସ୍ଥା ।

154

କନକ ବ୍ୟୁରୋ: ଶେଷ ହେଲା ଘୋଷଯାତ୍ରା ପୂର୍ବର ତୃତୀୟ ସମନ୍ୱୟ କମିଟି ବୈଠକ । ଆସନ୍ତା ରଥଯାତ୍ରା ସମୟରେ ଶ୍ରଦ୍ଧାଳୁଙ୍କ ସମାଗମକୁ ଦେଖି ବ୍ୟାପକ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି । ସେହିଭଳି ରଥ ନିର୍ମାଣ ପାଇଁ କାଠ ସଂଗ୍ରହ ଉପରେ ବୈଠକରେ ଆଲୋଚନା ହୋଇଛି । ରାଜ୍ୟରେ ଜଗନ୍ନାଥ ବନ ପ୍ରକଳ୍ପ ଅଧିନରେ ଜଙ୍ଗଲ ଗୁଡ଼ିକରେ ଥିବା ଫାସି କାଠର ପରିମାଣ ଆକଳନ ହେବ । ଆସନ୍ତା ୩ ମାସ ମଧ୍ୟରେ ଏହାର ସବିଶେଷ ରିପୋର୍ଟ ପ୍ରଦାନ କରିବାକୁ ମୁଖ୍ୟ ବନ ସଂରକ୍ଷକଙ୍କୁ ବୈଠକରେ ନିର୍ଦ୍ଦେଶ ଦିଆଇଛି । ଏହାସହ ପୁରୀରେ ଝାଡ଼ାବାନ୍ତିର ଆଶଙ୍କା ଥିବାରୁ ଆଗୁଆ ସ୍ୱାସ୍ଥ୍ୟ ଟିମ୍ ମହଜୁଦ ରହିବେ ବୋଲି ଆଇନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି ।

ସେହିପରି ବାତ୍ୟା ପରେ ପୁରୀ ରେଳ ଷ୍ଟେସନର ପୁନରୁଦ୍ଧାର ୨୫ ସୁଦ୍ଧା ଶେଷ କରାଯିବ । ଏପରିକି ଚଳିତ ବର୍ଷ ରଥଯାତ୍ରାରେ ପୁରୀକୁ ୧୯୨ଟି ଟ୍ରେନ୍ ଚାଲିବ । ଅନ୍ୟପଟେ ଜୁନ୍ ଶେଷ ସୁଦ୍ଧା ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ମରାମତିକୁ ଶେଷ କରାଯିବ । ଯାହାଫଳରେ ରଥଯାତ୍ରାବେଳେ ପୁରୀକୁ ଅଧିକ ୨୦୦ ବସ୍ ଚାଲିବ । ତେଣୁ ଭୁବନେଶ୍ୱର ଉତ୍ତରା ଛକ ଠାରୁ ବେଆଇନ୍ ଦୋକାନ ହଟାଇବାକୁ ମଧ୍ୟ ବୈଠକ ପରେ ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ୟପଟେ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ହେବ ୧୭ଟି ପାର୍କିଂ ସ୍ଥଳର ବ୍ୟବସ୍ଥା କରାଯିବ । ସେହିପରି ରଥଯାତ୍ରା ସମୟରେ ସ୍ୱାସ୍ଥ୍ୟ ଓ ପରିମଳ ଭଳି ଦିଗ ଉପରେ ଗୁରୁତ୍ୱ ଦେବାକୁ ସମନ୍ୱୟ କମିଟି ବୈଠକରେ ନିଷ୍ପତି ହୋଇଛି । ଏହାସହ ଜୁନ୍ ୩୦ ସୁଦ୍ଧା ପୁରୀ ଜିଲ୍ଲାରେ ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ ହୋଇଯିବ ।