ନବୀନଙ୍କ ବଢିବ ଟେନସନ ! ବିଜେପୁର ପରେ ରାଜ୍ୟସଭା ନିର୍ବାଚନ । ଆସନ ୩, ଆଶାୟୀ ଅନେକ ! ଧର୍ମେନ୍ଦ୍ରଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ ମାର୍ଚ୍ଚ ୨୩ରେ

32

କନକ ବ୍ୟୁରୋ : ମାର୍ଚ୍ଚ ୨୩ରେ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନ ରାଜ୍ୟ ରାଜନୀତିରେ ଏକ ବଡ ଧରଣର ଛାପ ଛାଡିବା ଅନୁମାନ କରାଯାଉଛି । ଖାଲି ପଡୁଥିବା ତିନୋଟି ଆସନ ବିଜେଡି ଦଖଲକୁ ଯିବା ସ୍ପଷ୍ଟ ଥିବା ବେଳେ ପ୍ରାର୍ଥୀ କିଏ ହେବେ ତାକୁ ନେଇ ଉଷ୍ମତା ଧୀରେ ଧୀରେ ବଢୁଛି । ନବୀନ କାହାକୁ ଭରସିବେ, କାହାକୁ ଛାଡିବେ, ୨୦୧୯ ପୂର୍ବରୁ କିଛି ମାଷ୍ଟରଷ୍ଟ୍ରୋକ ମାରିବେ କି ତାକୁ ନେଇ ସମୀକ୍ଷା ଚାଲିଛି । ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ କାର୍ଯ୍ୟକାଳ ମଧ୍ୟ ସରୁଥିବାରୁ ତାଙ୍କୁ କେଉଁ ସ୍ଥାନରୁ ଦିଲ୍ଲୀ ନିଆଯିବ ନା ଧର୍ମେନ୍ଦ୍ରଙ୍କୁ ମିଶନ ୧୨୦ର ମଙ୍ଗୁଆଳ ସଜାଇ ଓଡିଶା ପଠାଯିବ, ସେନେଇ ସମୀକ୍ଷା ମଧ୍ୟ ଆରମ୍ଭ ହୋଇଛି ।

ରାଜ୍ୟରେ ଖାଲି ପଡୁଥିବା ତିନି ରାଜ୍ୟସଭା ଆସନ ପାଇଁ କିଏ ଜିତିବ ନବୀନଙ୍କ ଆସ୍ଥା । ବିଜେପୁରର ହାଇଭୋଲଟେଜ ଡ୍ରାମା ସରିବା ପରେ ଏବେ ରାଜନୀତିର ଆଉ ଏକ ଅଧ୍ୟାୟ । ଦିଲ୍ଲୀପ ତିର୍କୀ, ଅନଙ୍ଗ ଉଦୟ ସିଂହଦେଓ ଏବଂ ଏଭି ସ୍ୱାମୀଙ୍କ ସ୍ଥାନରେ ନବୀନ କାହାକୁ ପଠାଇବେ ଦିଲ୍ଲୀ ଦରବାର, ତାକୁ ନେଇ ପାୱାର କରିଡରରେ ତାତି ଧୀରେ ଧୀରେ ବଢୁଛି । ୨୦୧୯ ନିର୍ବାଚନ ପୂର୍ବରୁ ବିଭିନ୍ନ ବାଧ୍ୟବାଧ୍ୟକତା ନବୀନଙ୍କ ସାମ୍ନାରେ ଆହ୍ୱାନ ତିଆରି କରିବ । କିଭଳି କାହାକୁ ସନ୍ତୁଷ୍ଟ କରାଯିବ, କେଉଁ ଅଂଚଳରୁ କେଉଁ ନେତାଙ୍କୁ ମୁଖିଆ ବାଛିବେ ଆଉ ସନ୍ତୁଳନ ରକ୍ଷା କରିବା ପାଇଁ ଗଣିତ କଷାଯିବା ଅନୁମାନ କରାଯାଉଛି ।

ସଂଖ୍ୟା ଦୃଷ୍ଟିରୁ ତିନୋଟି ଯାକ ଆସନରେ ବିଜେଡି ବାଜିମାତ୍ କରିବ । ତେବେ ଆଶାୟୀଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ଥିବାରୁ ଚିନ୍ତା ବଢିପାରେ । ଗୁରୁତ୍ୱପୁର୍ଣ୍ଣ କଥା ହେଉଛି ଯେଉଁମାନଙ୍କର କାର୍ଯ୍ୟକାଳ ସରୁଛି ସେମାନଙ୍କ ଭିତରେ ଅଛନ୍ତି ରାଜନେତା, କ୍ରୀଡାବିତ୍ ଓ ସମାଜସେବୀ । ଏପରିକି ପଶ୍ଚିମ ଓଡିଶାର ପଲ୍ଲା ଭାରି ରହିଛି । ତେଣୁ ନବୀନ କଣ ମାଷ୍ଟରଷ୍ଟ୍ରୋକ ମାରିବେ ତା ଉପରେ ନଜର । ବିଷ୍ଣୁ ଦାସଙ୍କୁ ରାଜ୍ୟସଭାରୁ ହଟାଇ ପ୍ରତାପ ଦେବଙ୍କୁ ଟିକେଟ ଦେଇଥିବା ନବୀନଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଥିଲା । ତେଣୁ ଅନୁସୁଚିତ ବର୍ଗର ନେତାଙ୍କୁ ନବୀନ ପ୍ରାଥମିକତା ଦେଇପାରନ୍ତି । ସେହିଭଳି ସମାଜସେବା କିମ୍ବା ଅନ୍ୟ କ୍ଷେତ୍ର ସହ ଜଡିତ ତଥା ରାଜନୈତିକ ବ୍ୟକ୍ତିଙ୍କୁ ନବୀନ ବାଛିବାର ଅନୁମାନ କରାଯାଉଛି ।

୨୩ ମାର୍ଚ୍ଚରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ଧର୍ମେନ୍ଦ୍ରଙ୍କ ଭାଗ୍ୟ ମଧ୍ୟ ନିର୍ଦ୍ଧାରଣ କରିବ । ବିହାରରୁ ରାଜ୍ୟସଭା ଯାଇଥିବା ଏହି କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟକାଳ ମଧ୍ୟ ସରୁଛି । ମୋଦି ଅମିତ ଶାହା ଯୋଡି ଧର୍ମେନ୍ଦ୍ରଙ୍କୁ କେଉଁ ରାଜ୍ୟରୁ ଦିଲ୍ଲୀ ନେବେ, ତାକୁ ନେଇ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚା । ରାଜ୍ୟ ବିଜେପି ପାଇଁ ଏହି ନିର୍ବାଚନର ଯଥେଷ୍ଟ ପ୍ରଭାବ ରହିବ । କେନ୍ଦ୍ରମନ୍ତ୍ରୀ ଭାବେ ରାଜ୍ୟରେ ନବୀନଙ୍କ ମୁକାବିଲା କରୁଥିବା ଧର୍ମେନ୍ଦ୍ରଙ୍କୁ କେଉଁ ଭୁମିକାରେ ଦିଲ୍ଲୀ ଦେଖିବାକୁ ଚାହୁଁଛି, ତାର ବାର୍ତ୍ତା ମିଳିବ । ରାଜ୍ୟରେ ମଙ୍ଗ ଧରିବାକୁ ପଠାଇବେ ନା ମୋଦିଙ୍କ ବିଶ୍ୱସ୍ତ ହୋଇ ଦିଲ୍ଲୀରେ ରହିବେ, ତାର ଫୈସଲା ହେବ ।