ଗ୍ୟାଙ୍ଗଷ୍ଟରର ଔକାତ ୫୦ ପଇସା । ମୋଷ୍ଟ ୱାଣ୍ଟେଡ୍ ଅପରାଧୀର ମୁଣ୍ଡ ଉପରେ ୫୦ ପଇସା ପୁରସ୍କାର ରଖିଲା ପୋଲିସ ।

187

କନକ ବ୍ୟୁରୋ: ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟର ଉପରେ ପୋଲିସ୍ ସବୁବେଳେ ଲୋଭନୀୟ ପୁରସ୍କାର ରାଶି ରଖିଥାଏ । ଅପରାଧୀକୁ ଗିରଫ କରିବା ପାଇଁ ହଜାର ହଜାର ବା ଲକ୍ଷ ଲକ୍ଷ ଟଙ୍କା ଗ୍ୟାଙ୍ଗଷ୍ଟରର ମୁଣ୍ଡ ଉପରେ ରଖିଥାଏ ପୋଲିସ । କିନ୍ତୁ ରାଜସ୍ଥାନ ପୋଲିସ ଜଣେ ଗ୍ୟାଙ୍ଗଷ୍ଟରକୁ ଗିରଫ କରିବା ପାଇଁ ମାତ୍ର ୫୦ ପଇସା ପୁରସ୍କାର ରାଶି ରଖିବା ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ମୁତାବକ ଅସ୍ତ୍ରଶସ୍ତ୍ର ଅଧିନିୟମ ଅନୁଯାୟୀ ଯୋଗେଶ ସିଂଘାନା ନାମକ ଜଣେ ଫେରାର ଅପରାଧୀକୁ ଧରିବା ପାଇଁ ଏମିତି କିଛି ଚକିତ କଲାଭଳି ପୁରସ୍କାର ରାଶି ରଖିଛି ରାଜସ୍ଥାନ ଜୟପୁର ପୋଲିସ । ଏସପି ଦେବେନ୍ଦ୍ର ବିଷ୍ଣୋଇ କହିଛନ୍ତି କି, ଯେଉଁମାନେ ଆଇନ ଭାଙ୍ଗନ୍ତି କିମ୍ବା ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଦୁଷ୍କକର୍ମ କରନ୍ତି ସେମାନେ ନିଜକୁ ଡନ୍ ବୋଲି ନଭାବନ୍ତୁ । ତେଣୁ ଏଭଳି ଅପରାଧୀ ମାନଙ୍କ ମୁଣ୍ଡ ଉପରେ ଅଧିକ ପୁରସ୍କାର ରାଶି ରଖିବାର କିଛି ଆବଶ୍ୟକତା ନାହିଁ । ବେଳେ ବେଳେ ଅପରାଧୀ ମାନେ ନିଜକୁ ଦାଦା ବୋଲି ଭାବି ସୋସିଆଲ ମିଡ଼ିଆରେ କାଣ୍ଡ ଭିଆଇବାକୁ ପଛାଉନାହାନ୍ତି ସେତିକିବେଳେ ତାଙ୍କ ଔକାତ କ’ଣ ତାଙ୍କୁ ଜଣେଇବା ପୋଲିସ ଓ ସାଧାରଣ ଜନତାଙ୍କ କର୍ତ୍ତବ୍ୟ ।

ଅପରାଧୀର ମୁଣ୍ଡ ଉପରେ କମ୍ ପୁରସ୍କାର ରାଶି ହେଉ କିମ୍ବା ଅଧିକ । ଅନେକ ସମୟରେ କିଛି ଲୋକ ମନରେ ଭୟ ରଖି ଅପରାଧୀଙ୍କ ନାଁ ଆମକୁ କୁହନ୍ତି ନାହିଁ କିମ୍ବା କେହି ଅପରାଧୀ ବିଷୟରେ କିଛି ତଥ୍ୟ ଦେବାକୁ ଚାହୁନାହାନ୍ତି । ତେଣୁ ଜଣେ ଅପରାଧୀ ଉପରେ ପୁରସ୍କାର ରାଶି ରଖିବା ବ୍ୟର୍ଥ କହିଲେ ଅତ୍ୟୁକ୍ତି ହେବନି । ତେଣୁ ଆମ ପୋଲିସ ପ୍ରଶାସନ ଏଭଳି କିଛି ଅପରାଧୀଙ୍କୁ ଧରିବା ପାଇଁ ମାତ୍ର ୫୦ ପଇସା ପୁରସ୍କାର ରାଶି ରଖିଲେ ହିଁ ତାଙ୍କ ଗର୍ବ ଅହଙ୍କାର ଭାଙ୍ଗିବ । ନିଜକୁ ଗ୍ୟାଙ୍ଗଷ୍ଟର କହିବା ପୂର୍ବରୁ ଥରେ ଦୁଇ ଥର ଭାବିବେ ନିଶ୍ଚିତ ।

ଏପଟେ ସୋସିଆଲ ମିଡ଼ିଆରେ ଏଭଳି ଖବର ହଇଚଇ ସୃଷ୍ଟି କରିଛି । କିଛି ଲୋକ ପୋଲିସର ପ୍ରଶଂସା କରୁଥିବାବେଳେ ଆଉ କିଛି ସେ ୫୦ ପଇସିଆ ଗ୍ୟାଙ୍ଗଷ୍ଟରକୁ ଟ୍ରୋଲ୍ କରିବାରେ ଲାଗିପଡ଼ିଛନ୍ତି । କେହି କେହି ତାଙ୍କ କ୍ୟା ଗୁଣ୍ଡା ବନେଗା ରେ ତୁ କହୁଛନ୍ତି ତ କିଏ ୨ ଟଙ୍କିଆ ଡନ୍ ବୋଲି ମଜାକ୍ ଉଡାଉଛନ୍ତି ।

ତେବେ ରାଜସ୍ଥାନ ଜୟପୁର ଏସପିଙ୍କ ଏଭଳି ଉଦ୍ୟମକୁ ସୋସିଆଲ ମିଡ଼ିଆରେ ଭୂରି ଭୁରି ପ୍ରଶଂସା କରାଯାଉଛି । ଅପରାଧମୁକ୍ତ ସମାଜ ଗଢ଼ିବାକୁ ଏଭଳି ଉଦ୍ୟମ ପ୍ରଶଂସନୀୟ । ଅପରାଧୀର ମହିମା ଗାଇବା ବଦଳରେ ତାକୁ ପୋଲସକୁ ଧରାଇବା ଜଣେ ଜଣେ ସଚେତନ ନାଗରିକଙ୍କ ଦାୟିତ୍ୱ । ଆଜିର ଯୁବ ସମାଜ ଏହାକୁ ବୁଝିପାରିଲେ ଆମ ସମାଜ ଅପରାଧମୁକ୍ତ ସମାଜ ହୋଇପାରିବ ।