ବର୍ଷାରେ ଭିଜିପାରେ ନୂଆବର୍ଷ : ପଶ୍ଚିମ ଓଡିଶାରେ ହୋଇପାରେ କୁଆପଥର ବର୍ଷା, ଆଞ୍ଚଳିକ ପାଣିପାଗ ବିଭାଗର ପୂର୍ବାନୁମାନ

1,113

କନକ ବ୍ୟୁରୋ : ନୂଆବର୍ଷକୁ ଭିଜାଇବ ବର୍ଷା । ସକାଳେ ପାଗ କୋହଲା ରହିବ। ଆଉ ଅପରାହ୍ନ ବେଳକୁ ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ପଶ୍ଚିମ ଓଡ଼ିଶାର ଠାଏ ଠାଏ କୁଆପଥର ପଡ଼ିବାର ବି ଆଶଙ୍କା ରହିଛି । ଦକ୍ଷିଣ ଓଡ଼ିଶା ଉପରେ ବର୍ଷାର ପ୍ରଭାବ ଅଧିକ ରହିବ ଏବଂ ରାଜ୍ୟର ବାକି ଅଞ୍ଚଳରେ ଜାନୁଆରି ୩ ତାରିଖ ପର୍ଯ୍ୟନ୍ତ କୋହଲା ପାଗ ସାଙ୍ଗକୁ ହାଲୁକା ବର୍ଷା ହେବ । ନୂଆବର୍ଷକୁ ନେଇ ଭାରତୀୟ ପାଣିପାଗ ବିଭାଗ ଓ ବିଶେଷଜ୍ଞମାନେ ଏଭଳି ଆକଳନ କରିଛନ୍ତି ।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ୨୭ ତାରିଖରେ ଉତ୍ତର ଓଡ଼ିଶାର ଅଧିକାଂଶ ସହର ଓ ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ । ୨୮ ତାରିଖ ପୂର୍ବାହ୍ନ ସୁଦ୍ଧା ଗଞ୍ଜାମ, କୋରାପୁଟ, ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ୨୮ ତାରିଖ ରାତିଠାରୁ ପାଗରେ ହଠାତ୍‌ ପରିବର୍ତନ ଆସିବ । ଅଧିକାଂଶ ସ୍ଥାନରେ ପାରଦ ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ କମିବ । ୩୧ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗିରହିବ । ଥଣ୍ଡା ସହ କୁହୁଡ଼ି ବି ପଡ଼ିବ ।

୨୭ ଓ ୨୮ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ‌ଢେଙ୍କାନାଳ, କଟକ, କନ୍ଧମାଳ, କଳାହାଣ୍ଡି, ପୁରୀ, ମୟୂରଭଞ୍ଜ ଆଦି ଜିଲ୍ଲାରେ ଘନ କୁହୁଡ଼ି ହେବ। ୨୦୦ ମିଟର ପରେ ରାସ୍ତା ଦୃଶ୍ୟମାନ ହେବ ନାହିଁ । ସ୍ଥାନେ ସ୍ଥା‌ନେ ଶହେ ମିଟର ପରେ ବି ରାସ୍ତା ଦେଖାଯିବନି । ତାହାକୁ ଦୃଷ୍ଟିରେ ରଖି ଉକ୍ତ ଜିଲ୍ଲାଗୁଡ଼ିକରେ ପାଣିପାଗ ବିଭାଗ ପକ୍ଷରୁ ‌ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସତର୍କତା ଅବଲମ୍ବନ କରିବାକୁ ‌ପରାମର୍ଶ ଦିଆଯାଇଛି । ଜାନୁଆରି ୨ରୁ ଓଡ଼ିଶା ସମେତ ପୂର୍ବ ଭାରତର ବିଭିନ୍ନ ରାଜ୍ୟରେ ବର୍ଷା ହେବ ବୋଲି ବିଭାଗ ପୂର୍ବାନୁମାନ କରିଛି ।