ଆମେ କଣ ଚୁପ ବସିବୁ ? ମାଆ ଭଉଣୀଙ୍କ ଇଜ୍ଜତ ଯିବ, ଆଉ ଆମେ ହାତ ବାନ୍ଧି ବସିବୁ? ନ୍ୟାୟ ନମିଳିଲେ ନକ୍ସଲ ହେବାକୁ ପ୍ରସ୍ତୁତ…

603

କନକ ବ୍ୟୁରୋ: ମୁଁ ନକ୍ସଲ ହେବି… ମାଆ ଭଉଣୀଙ୍କୁ ନ୍ୟାୟ ନମିଳିଲେ ନକ୍ସଲ ହେବାକୁ ପ୍ରସ୍ତୁତ… ସେମାନଙ୍କୁ ଦୁଷ୍କର୍ମ କରାଯିବ, ହତ୍ୟା କରାଯିବ ଆଉ ଆମେ ଚୁପ ହୋଇ ବସିଥିବୁ ନା କଣ… ଯଦି ସେମାନଙ୍କୁ ନ୍ୟାୟ ନମିଳେ ତେବେ ଆମେ ନକ୍ସଲ ହେବାକୁ ପ୍ରସ୍ତୁତ ବୋଲି ଖୁଲମଖୁଲା କହିଛନ୍ତି କଂଗ୍ରେସ ନେତା ପ୍ରଦୀପ ମାଝୀ ।

ନବରଙ୍ଗପୁର ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ପୋଲିସର ନିଷ୍କ୍ରିୟତାକୁ ବିରୋଧ କରି ଏଭଳି ବୟାନ ରଖିଛନ୍ତି ପ୍ରଦୀପ ମାଝୀ । ଦୀର୍ଘ ୧୩ ଦିନ ହେବ ନାବାଳିକାର ପୋଷ୍ଟମର୍ଟମ ପାଇଁ ଆମେ ଅପେକ୍ଷା କରିଛୁ । ହେଲେ ପୋଲିସ ରିପୋର୍ଟ ଦେଉନି କି ଏ ବିଷୟରେ ମୁହଁ ଖୋଲୁନି । ଦୋଷୀକୁ ନଧରି ଖାଲି ହାତରେ ବସିଛି ପୋଲିସ । ତେବେ ପୋଲିସ, ପ୍ରଶାସନ ଆଉ ଏକ କୁନ୍ଦୁଲି ଘଟଣାର ପୁନରାବୃତ୍ତି କରିବାକୁ ଚାହୁଁଛନ୍ତି । କୁନ୍ଦୁଲି ଭଳି ଏ ଘଟଣାରେ ବି ପୋଲିସ କଥାକୁ ଚାପି ଦେବାକୁ ଚାହୁଁଛି ତେଣୁ ଆମେ ନ୍ୟାୟ ପାଇଁ ନିଆଁ ଜାଳିଛୁ ବୋଲି ପ୍ରଦୀପ କହିଛନ୍ତି ।

ତେବେ ନବରଙ୍ଗପୁର କୋଷାଗୁମୁଡା ଥାନା ଗୁମଣ୍ଡଳୀ ଗାଁର ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିଲା । ଅଭିଯୁକ୍ତକୁ ଗିରଫ କରିବାରେ ପୋଲିସ ନିଷ୍କ୍ରିୟତା ପ୍ରତିବାଦ କରି ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲା । ଆମ୍ବେଦକର ଛକ ନିକଟରେ ଥିବା ଅବ୍ୟବହୃତ କାରରେ ନିଆଁ ଲଗାଇ ଦେଇଥିଲେ ଉତ୍ୟକ୍ତ ଆନ୍ଦୋଳନକାରୀ । ଏହା ସହ ନିଆଁକୁ ଆହୁରି ଜୋରରେ ଜାଳିବାକୁ ବିଦ୍ରୋହକୁ ତୀବ୍ରତର କରିବାକୁ ଉସୁକାଇଥିଲେ ନେତା ପ୍ରଦୀପ । ପେଟ୍ରୋଲ, ଡିଜେଲ ରେଡ୍ଡୀ କରି ରଖ ନିର୍ଦ୍ଦେଶ ମିଳିଲେ ନିଆଁ ଜାଳିବ ବୋଲି ମଧ୍ୟ ପ୍ରଦୀପ ମାଝୀ ଫୋନରେ ଆନ୍ଦୋଳନକାରୀଙ୍କୁ କହିଥିଲେ । ତେବେ ସେସବୁ ନ୍ୟାୟ ପାଇଁ କହିଥିବା ପ୍ରଦୀପ ମିଡିଆ ଆଗରେ ମାନିଛନ୍ତି ।

ତେବେ ୧୩ ତାରିଖ ରାତିରେ ଦିଆଳି ପର୍ବରେ ଗୁମଣ୍ଡଳୀ ଗାଁ ଲୋକ ମସଗୁଲ ଥିବା ବେଳେ ପରିସ୍ରା କରିବାକୁ ଯାଇଥିବା ଜଣେ ନାବାଳିକା ନିଖୋଜ ହୋଇ ଯାଇଥିଲେ । ପରଦିନ ସକାଳୁ ଘର ଠାରୁ ମାତ୍ର ୫୦୦ ମିଟର ଦୂରରୁ ଉଦ୍ଧାର ହୋଇଥିଲା ନାବାଳିକାର କ୍ଷତବିକ୍ଷତ ମୃତଦେହ । ମୃତଦେହ ନିକଟରୁ ଜିନ୍ସ ପ୍ୟାଂଟ ଜବତ କରିଥିଲା ପୋଲିସ । ଘଟଣା ପରଦିନ କୋରାପୁଟ କୋଟପାଡ଼ ବାଟକୁହୁଡ଼ି ଗାଁର ୨ ଜଣଙ୍କୁ ଉଠାଇ ଆଣିଥିଲା ପୋଲିସ । ହେଲେ ଏହାପରେ ତଦନ୍ତ ଯେଉଁଠି ଥିଲା, ସେଇଠି ଅଟକି ରହିଛି । ନା, ପୋଲିସ କିଛି କହୁଛି, ନା ପ୍ରଶାସନ ମୁହଁ ଖୋଲୁଛି । ଆଉ ଆଜି ତାର ବିରୋଧ କରିଥିଲା କଂଗ୍ରେସ ।