ରେଳବାଇ ପକ୍ଷରୁ ଜାରି ହେଲା ସର୍ଭେ ରିପୋର୍ଟ ! ଦୁରନ୍ତ ସବୁଠାରୁ ଅପରିଷ୍କାର, ଶତାଦ୍ଦୀ ଅଧିକ ପରିଷ୍କାର
ମୋଦୀ ସରକାରଙ୍କ ସ୍ବଚ୍ଛ ଭାରତ ଅଭିଯାନକୁ ଫଳପ୍ରଦ କରିବ
କନକ ବ୍ୟୁରୋ : ମୋଦୀ ସରକାରଙ୍କ ସ୍ବଚ୍ଛ ଭାରତ ଅଭିଯାନକୁ ଫଳପ୍ରଦ କରିବା ପାଇଁ ରେଳବାଇ ବ୍ୟାପକ ପଦକ୍ଷେପ ଗ୍ରହଣ କରିଥିବା ବେଳେ ଟ୍ରେନ୍ଗୁଡ଼ିକର ସଫେଇ ସ୍ଥିତି ନେଇ ରେଳବାଇର ଏକ ସର୍ଭେ ସଂପନ୍ନ ହୋଇଛି। ଦେଶର ୭୭ଟି ପ୍ରିମିୟମ ଟ୍ରେନ୍ ମଧ୍ୟରୁ ପୁନେ-ସିକନ୍ଦରାବାଦ ତଥା ହାୱଡ଼ା-ରାଞ୍ଚି ସହିତ ୩ଟି ଶତାବ୍ଦୀ ଟ୍ରେନ୍ ସବୁଠାରୁ ଅଧିକ ସ୍ବଚ୍ଛ ଏବଂ ୩ଟି ଦୂରନ୍ତ ଟ୍ରେନ୍ ସବୁଠାରୁ ଅପରିଷ୍କାର ବୋଲି ରେଳବାଇ ସର୍ଭେରୁ ଜଣାପଡ଼ିଛି। ୨୩ଟି ରାଜଧାନୀ ଏକ୍ସପ୍ରେସ୍ ମଧ୍ୟରୁ ମୁମ୍ବାଇ-ନୂଆଦିଲ୍ଲୀ ରାଜଧାନୀ ସବୁଠାରୁ ଅଧିକ ସ୍ବଚ୍ଛ ବୋଲି ରିପୋର୍ଟରେ କୁହାଯାଇଛି। ଅନ୍ୟପକ୍ଷରେ ନୂଆଦିଲ୍ଲୀ-ଦିବ୍ରୁଗଡ଼ ସବୁଠାରୁ ଅଧିକ ମଇଳା ବୋଲି ଜଣାପଡ଼ିଛି।
Kanak News is now on WhatsApp
Join and get latest news updates delivered to you via WhatsApp
ଗତବର୍ଷ କରାଯାଇଥିବା ‘ଟ୍ରେନ୍ ସ୍ବଚ୍ଛତା ସର୍ଭେ-୨୦୧୮’ରେ ୨୧୦ଟି ଟ୍ରେନ୍କୁ ନେଇ ଏହି ସର୍ଭେ ସଂପନ୍ନ କରାଯାଇଥିଲା ଏବଂ ଏଥିରେ ୧୫ ହଜାର ଯାତ୍ରୀଙ୍କ ମତାମତ ମଧ୍ୟ ନିଆଯାଇଛି। ଟଏଲେଟ୍ ଏବଂ କୋଚ୍ଗୁଡ଼ିକର ସଫେଇ ମାନଦଣ୍ଡ ଆଧାରରେ ରେଟିଂ କରାଯାଇଥିଲା। ଟ୍ରେନ୍ଗୁଡ଼ିକୁ ପ୍ରିମିୟମ ଏବଂ ଅଣ ପ୍ରିମିୟମ ଶ୍ରେଣୀରେ ବିଭକ୍ତ କରାଯାଇ ଏହି ସର୍ଭେକ୍ଷଣ ହୋଇଥିଲା। ଏହି ସର୍ଭେ ରିପୋର୍ଟକୁ ଖୁବଶୀଘ୍ର ସାର୍ବଜନୀନ କରାଯିବ ବୋଲି ଜଣାପଡ଼ିଛି। ସ୍ବଚ୍ଛତା ମାନଦଣ୍ଡ ଆଧାରରେ ରେଳ ଷ୍ଟେସନଗୁଡ଼ିକର ସର୍ଭେ ରିପୋର୍ଟକୁ ପୂର୍ବରୁ ସରକାର ସାର୍ବଜନୀନ କରିସାରିଛନ୍ତି। ରେଳବାଇର ପରିବେଶ ଏବଂ ରକ୍ଷଣାବେକ୍ଷଣ ପରିଚାଳନା ଶାଖା ଦ୍ବାରା ଏହି ସର୍ଭେ କରାଯାଇଥିଲା। ଏହି ରିପୋର୍ଟ ଆଧାରରେ ସଫେଇ କାର୍ଯ୍ୟକୁ ଅଧିକ ଗୁରୁତ୍ବ ଦେଇ ସମସ୍ୟା ଦୂର କରାଯିବ ଏବଂ ଏଥିପାଇଁ ଯାତ୍ରୀଙ୍କ ସମର୍ଥନ ମଧ୍ୟ ଜରୁରୀ ବୋଲି କୁହାଯାଇଛି ।