ମାନହାନୀ ମାମଲାରେ ରାହୁଲ ସାଂସଦ ପଦରୁ ଅଯୋଗ୍ୟ । ଦେଶବ୍ୟାପୀ କଂଗ୍ରେସ କରିବ ପ୍ରତିବାଦ । ରାହୁଲ କହିଲେ, ଦେଶର ସ୍ୱର ସାଜିବା ପାଇଁ ଜାରି ରହିବ ଲଢ଼େଇ

115

କନକ ବ୍ୟୁରୋ: ରାହୁଲଙ୍କ ସଭ୍ୟ ପଦ ଯିବା ପରେ, ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । କଂଗ୍ରେସର ଶୀର୍ଷ ନେତୃତ୍ୱ ତୁହାକୁ ତୁହା ବୈଠକ କରି ଆଗାମୀ ରଣନୀତି ପ୍ରସ୍ତୁତ କରୁଥିବାବେଳେ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଛନ୍ତି କଂଗ୍ରେସ କର୍ମୀ । ମୋଦୀ ସରକାର ବିରୋଧରେ ବିକ୍ଷୋଭ କରିଛନ୍ତି । କିନ୍ତୁ ରାହୁଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ଐତିହାସିକ କହିବା ସହ ସ୍ୱାଗତ କରିଛି ବିଜେପି ।

ଆଦାନୀ ମାମଲାର ଜେପିସି ତଦନ୍ତ ଦାବି, କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ସଂସଦରେ କହିବାକୁ ଅନୁମତି ଭଳି ଦାବି ନେଇ ରାସ୍ତାକୁ ଓହ୍ଲାଇଛି କଂଗ୍ରେସ । ସଂସଦ ଭବନରୁ ବିଜୟ ଚୌକ ଯାଏଁ ବରିଷ୍ଠ କଂଗ୍ରେସ ନେତା ଓ ଏକାଧିକ ବିରୋଧୀ ଦଳର ନେତା ବିରୋଧ ପ୍ରଦର୍ଶନ କରିଛନ୍ତି । ଏହାର କିଛି ସମୟ ପରେ ସାଂସଦ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ଖବର ଆସିଥିଲା । ଆଉ କଂଗ୍ରେସର ସର୍ବୋଚ୍ଚ ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନର ପ୍ରତିବାଦ ଦେଶର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି । ମୁମ୍ବାଇ, ରାୟପୁର, ଲକ୍ଷେ୍ନø, ପାଟନାରେ କଂଗ୍ରେସ କର୍ମୀ ରାହୁଲଙ୍କ ସଦସ୍ୟତା ରଦ୍ଦକୁ ନେଇ ବିଜେପି ବିରୋଧରେ ଜୋରଦାର ବିରୋଧ ପ୍ରଦର୍ଶନ କରିଛନ୍ତି ।

  • କେନ୍ଦ୍ର ଉପରେ ବର୍ଷିଲେ କଂଗ୍ରେସ ନେତା
  • ଆଇନଗତ ଓ ରାଜନୈତିକ ଲଢେଇ କରିବ ଦଳ

ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ନେଇ ଲୋକସଭା ସଚିବାଳୟର ବିଜ୍ଞପ୍ତି ପରେ ଜାତୀୟ ରାଜନୀତିରେ ହଲଚଲ ଦେଖା ଦେଇଛି । ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ଉପରେ ବର୍ଷିଛନ୍ତି କଂଗ୍ରେସ ନେତା । ଆଗକୁ ବିଜେପିର ଷଡଯନ୍ତ୍ର ବିରୋଧରେ ଆଇନଗତ ଓ ରାଜନୈତିକ ଲଢେଇ ଲଢିବା ପାଇଁ ପ୍ରସ୍ତୁତ ବୋଲି କଂଗ୍ରେସ ନେତା ଅଭିଷେକ ମନୁସିଂଘଭୀ ଓ ଜୟରାମ ରମେଶ କହିଛନ୍ତି । ତେବେ ବିଜେପି ନେତା ରାହୁଲଙ୍କ ସଦସ୍ୟତା ରଦ୍ଦକୁ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ କହୁଥିବା ବେଳେ ରାଜନୈତିକ ପ୍ରତିଶୋଧ ବୋଲି କଂଗ୍ରେସ କହିଛି । ହେଲେ ସବୁଠୁ ବଡ ପ୍ରଶ୍ନ ହେଉଛି ଏବେ ରାହୁଲଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ? ଆଇନଜୀବୀ କହୁଛନ୍ତି…

  • ସସନ କୋର୍ଟଙ୍କ ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିବାକୁ ହେବ
  • ରାୟ ଉପରେ ରହିତାଦେଶ ମିଳିଲେ ରାହୁଲ ଫେରି ପାଇବେ ପଦ
  • ହାଇକୋର୍ଟ ରାୟକୁ ରଦ୍ଦ ନ କଲେ ରାହୁଲଙ୍କୁ ଅଡୁଆ
  • ୮ବର୍ଷ ନିର୍ବାଚନ ଲଢିପାରିବେନି ରାହୁଲ ଗାନ୍ଧୀ
  • ୱାୟନାଡରେ ଶୀଘ୍ର ଉପନିର୍ବାଚନ ସମ୍ଭାବନା ରହିଛି