ସାଂସଦ ପଦରୁ ରାହୁଲ ଅଯୋଗ୍ୟ । ମାନହାନୀ ମାମଲାରେ ଜେଲ୍ ଦଣ୍ଡାଦେଶ ପରେ ଲୋକସଭା ସଚିବାଳୟର ବିଜ୍ଞପ୍ତି । ୨୦୨୪ ଲଢିପାରିବେ ତ ରାହୁଲ?

190

କନକ ବ୍ୟୁରୋ: ମାନହାନୀ ମାମଲାର ରାୟ ଶୁଣାଇ ସୁରଟ କୋର୍ଟ ରାହୁଲ ଗାନ୍ଧୀଙ୍କୁ ୨ ବର୍ଷ ଜେଲ୍ ଦଣ୍ଡାଦେଶ ଦେବା ପରେ ଲୋକସଭା ସଚିବାଳୟର ବିଜ୍ଞପ୍ତି ପ୍ରକାଶ ପାଇଛି । କେରଳର ୱାୟାନାଡ୍ ଲୋକସଭା ସାଂସଦ ପଦରୁ ରାହୁଲ ଅଯୋଗ୍ୟ ହୋଇଛନ୍ତି ବୋଲି ଏଥିରେ ଦର୍ଶାଯାଇଛି । ୧୯୫୧ ଜନପ୍ରତିନିଧି ଆଇନର ଧାରା ୧୦୨(୧)(ଇ) ଅନୁସାରେ ସଦସ୍ୟ ପଦ ରଦ୍ଦ ହୋଇଛି । ଫଳରେ ୱାୟାନାଡ୍ ଲୋକସଭା ଆସନ ଖାଲି ପଡିଛି ।

ତେବେ ନିର୍ବାଚନ କମିସନ ଏହି ଆସନ ପାଇଁ ସାନି ନିର୍ବାଚନ କରିପାରିବେ । ରାହୁଲ ଗାନ୍ଧୀଙ୍କୁ ସରକାରୀ ବଙ୍ଗଳା ଖାଲି କରିବାକୁ ମଧ୍ୟ କୁହାଯାଇପାରିବ । ଲୋକସଭା ସଚିବାଳୟର ବିଜ୍ଞପ୍ତିର କପି ରାହୁଲ ଗାନ୍ଧୀ, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ରାଜ୍ୟସଭା ସଚିବାଳୟ, ନିର୍ବାଚନ କମିସନ, ସବୁ ମନ୍ତ୍ରାଳୟ ଓ କେରଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପଠାଇ ଦିଆଯାଇଛି ।

  • କଂଗ୍ରେସକୁ ବଡ଼ ଝଟକା
  • ସାଂସଦ ପଦରୁ ରାହୁଲ ଅଯୋଗ୍ୟ
  • ସଦସ୍ୟ ପଦ ରଦ୍ଦ ନେଇ ବାହାରିଲା ବିଜ୍ଞପ୍ତି

ରାହୁଲଙ୍କୁ ୨ ବର୍ଷ ଜେଲ୍ ଓ ସାଂସଦ ପଦରୁ ଅଯୋଗ୍ୟ ଘୋଷଣାକୁ ନେଇ ସାରା ଦେଶରେ ରାଜନୈତିକ ହଟଚମଟ ସୃଷ୍ଟି ହୋଇଛି । କଂଗ୍ରେସର ବରିଷ୍ଠ ନେତା ଏହାକୁ କଡ଼ା ସସାଲୋଚନା କରିବା ସହ ପରବର୍ତ୍ତୀ ପଦକ୍ଷେପ ନେଇ ତୁହାକୁ ତୁହା ବୈଠକ କରିଛନ୍ତି । ବିଭିନ୍ନ ସ୍ଥାନରେ କଂଗ୍ରେସ ପକ୍ଷରୁ ଏହ ପ୍ରତିବାଦ କରାଯାଇଛି । ବିଜୟ ଚୌକରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ପଦଯାତ୍ରା କରିଛି କଂଗ୍ରେସ । କୋର୍ଟଙ୍କ ରାୟ ଉପରେ ବିରୋଧୀ ଦଳର ନେତା ପ୍ରଶ୍ନ ଉଠାଇ ଥିବା ବେଳେ ବିଜେପି ଏହାକୁ ସ୍ୱାଗତ କରିଛି ।

ଏପଟେ ବରିଷ୍ଠ ଆଇନଜୀବୀଙ୍କ ମତରେ, ୧୯୫୧ ଜନପ୍ରତିନିଧି ଆଇନର ଧାରା ୮(୩) ଅନୁସାରେ ୨ ବର୍ଷ କିମ୍ବା ତା’ଠାରୁ ଅଧିକ ଦଣ୍ଡାଦେଶ ହେଲେ ସ୍ୱତଃପ୍ରବୃତ୍ତ ଭାବେ ପଦରୁ ଅଯୋଗ୍ୟ ହେବେ ସାଂସଦ । ଉପରକୋର୍ଟରେ ଏହି ରହିତାଦେଶ ଜାରି କିମ୍ବା ଦଣ୍ଡାଦେଶ କୋହଳ ହେଲେ ଫେରିପାଇବେ ସାଂସଦ ପଦ । ତେବେ ତଳକୋର୍ଟଙ୍କ ରାୟ କାଏମ୍ ରହିଲେ ସାଂସଦ ପଦରୁ ଅଯୋଗ୍ୟ ହେବା ସହ ୮ ବର୍ଷ ଧରି ନିର୍ବାଚନ ଲଢ଼ିପାରିବେ ନାହିଁ ରାହୁଲ ।

ସୂଚନାଯୋଗ୍ୟ ଯେ, ୨୦୧୩ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ଯେଉଁ ଅଧ୍ୟାଦେଶ ଆଣିଥିଲେ ମନମୋହନ ସରକାର, ତାକୁ ଚିରି ଦେଇଥିଲେ ରାହୁଲ ଗାନ୍ଧୀ । ତାହା ଆଜି ରାହୁଲଙ୍କ ପାଇଁ ବୁମେରାଂ ସାଜିଛି । ଦଣ୍ଡାଦେଶ ପରେ ପରେ ସାଂସଦରୁ ପଦରୁ ସେ ଅଯୋଗ୍ୟ ହୋଇଛନ୍ତି । ତେବେ ଗତ ୧୦ ବର୍ଷ ମଧ୍ୟରେ ଜେଲ ଦଣ୍ଡାଦେଶ ପରେ ୩୨ ଜଣ ନେତା ଅଯୋଗ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ଲାଲୁପ୍ରସାଦ ଯାଦବ, ଜୟଲଳିତା, ଏ. ରାଜା. ରସିଦ ମାସୁଦ, ଆଜମ୍ ଖାନଙ୍କ ଭଳି ନେତା ।