ହାତରେ ରେଞ୍ଚି, ପେଚକସ୍ ଧରି ଗାଡି ସଜାଡିଲେ ରାହୁଲ । ଫଟୋକୁ ନେଇ ଚର୍ଚ୍ଚା

3,364

କନକ ବ୍ୟୁରୋ : ଦିନକୁ ଦିନ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତା ବଢିବାରେ ଲାଗିଛି । ଲୋକଙ୍କ ନିକଟତର ହେବା ପାଇଁ ବିଭିନ୍ନ ଉପାୟରେ ପ୍ରୟାସ କରୁଛନ୍ତି ରାହୁଲ୍ ଆଉ ଏହାରି ମଧ୍ୟରେ ରାହୁଲ ଗାନ୍ଧୀଙ୍କ କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫଟୋରେ ରାହୁଲ ଗାନ୍ଧୀଙ୍କୁ ଏକ ଗାଡି ମେକାନିକ୍ ଗ୍ୟାରେଜରେ ଦେଖିବାକୁ ମିଳିଛି ।

ଦିଲ୍ଲୀର କରୋଲବାଗରେ ଏକ ଗାଡି ଗ୍ୟାରେଜରେ ଅଚାନକ ପହଞ୍ଚିଥିଲେ ରାହୁଲ । ସେଠାକେ ଗାଡି କାମ କରୁଥିବା ଲୋକଙ୍କ ସହ କଥା ହେବା ସହ ହାତରେ ପେଚକସ୍ ଏବଂ ରେଞ୍ଚି ଧରି ଗାଡି ସଜଡା ମଧ୍ୟ ଶିଖିଥିବାର ଦେଖିବାକୁ ମିଳିଛି ।

ଅନ୍ୟପଟେ, ରାହୁଲଗାନ୍ଧୀ ଏବଂ ଗ୍ୟାରେଜ୍ ମେକାନିକଙ୍କ କିଛି ଫଟୋକୁ ଟ୍ୱିଟର ପେଜରେ ସେୟାର କରିଛି କଂଗ୍ରେସ । କଂଗ୍ରେସର ଅଫିସିଆଲ ଟ୍ୱିଟର ଆଇଡିରେ ଫଟୋ ସେୟାର କରି କଂଗ୍ରେସ ଲେଖିଛି, ଏହି ହାତ ଭାରତ ତିଆରି କରେ । ଏହି ପୋଷାକରେ ଲାଗିଥିବା କଳା ହେଉଛି ଆମ ଗର୍ବ ଏବଂ ଗୌରବ । କେବଳ ଜଣେ ନେତା ହିଁ ଏପରି ହାତକୁ ଉତ୍ସାହିତ କରିବାର କାର୍ଯ୍ୟ କରନ୍ତି । ଭାରତଯୋଡ ଯାତ୍ରା ପରଠୁ ରାହୁଲ ଗାନ୍ଧୀ ଲଗାତାର ଲୋକଙ୍କ ସହ ଭେଟିଆସୁଛନ୍ତି । ଏହି ପୂର୍ବରୁ ରାହୁଲ ଗାନ୍ଧୀ ଚଣ୍ଡିଗଡ ଗସ୍ତରେ ଥିଲେ । ସେତେବେଳେ ରାହୁଲ ଟ୍ରକରେ ଯାତ୍ରା କରୁଥିବାର ନଜର ଆସିଥିଲେ ।