ଜୁଲାଇ ୧୭ରୁ ସଂସଦରେ ବସିପାରେ ମୌସୁମୀ ଅଧିବେଶନ, ସଂସଦୀୟ କମିଟି ବୈଠକରେ ଖୁବଶୀଘ୍ର ହୋଇପାରେ ଘୋଷଣା

127

କନକ ବ୍ୟୁରୋ : ସଂସଦର ମୌସୁମୀ ଅଧିବେଶନ ଜୁଲାଇମାସ ତୃତୀୟ ସପ୍ତାହରୁ ଆରମ୍ଭ ହୋଇପାରେ । ସଂସଦୀୟ ମାମଲାରେ କ୍ୟାବିନେଟ କମିଟି ବୈଠକ ଆଗାମୀ କିଛିଦିନ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠଳରେ ମୌସୁମୀ ଅଧିବେଶନ ନେଇ ତାରିଖ ସ୍ଥିର କରାଯିବ । ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଏହି ବୈଠଳରେ ଅଧ୍ୟକ୍ଷତା କରିବେ ।

ସୂଚନା ମୁତାବକ ୨୦୨୩ର ମୌସୁମୀ ଅଧିବେଶନ ଜୁଲାଇ ୧୭ ତାରିଖରୁ ଆରମ୍ଭ ହୋଇପାରେ । ସଂସଦର ମୌସୁମୀ ଅଧିବେଶନ ପ୍ରତିବର୍ଷ ଜୁଲାଇ ମାସରେ ଆରମ୍ଭ ହୋଇଥାଏ । ୨୦୨୨ ମସିହାରେ ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୧୮ ତାରିଖରୁ ଆରମ୍ଭ ହୋଇଥିଲା ।

ଚଳିତ ବର୍ଷ ମୌସୁମୀ ଅଧିବେଶନ ବେଶ୍ ଗୁରୁତ୍ୱପୂର୍ଣ୍ଣ ହୋଇପାରେ । ଦିଲ୍ଲୀରେ ନିଯୁକ୍ତି ଓ ବଦଳି ମାମଲାରେ କେନ୍ଦ୍ର ସରକାର ଅଧ୍ୟାଦେଶ ମାଧ୍ୟମରେ ଉପରାଜ୍ୟପାଳଙ୍କୁ ଦେଇଥିବା କ୍ଷମତା ବିରୋଧରେ ବିରୋଧୀଦଳମାନେ ସରକାରଙ୍କୁ ଘେରିପାରନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ପ୍ରସଙ୍ଗରେ ରାଜ୍ୟ ରାଜ୍ୟ ବୋଲି ସବୁ ବିରୋଧୀଦଳମାନଙ୍କ ଠାରୁ ସମର୍ଥନ ମାଗିଛନ୍ତି ।

ସେପଟେ ପ୍ରଧାନମନ୍ତ୍ରୀ ମୋଦୀ ସମାନ ନାଗରିକ ସଂହିତା ଉପରେ ସଦ୍ୟ ଦେଇଥିବା ବୟାନକୁ ନେଇ ସଂସଦରେ ବିରୋଧୀମାନେ ହଟ୍ଟଗୋଳ କରିପାରନ୍ତି । ସେପଟେ ନୂଆ ସଂସଦ ଭବନରେ ପ୍ରଥମଥର ପାଇଁ ସଂସଦୀୟ ଅଧିବେଶନ ଅନୁଷ୍ଠିତ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ’୨୮ ତାରିଖରେ ନୂଆ ସଂସଦ ଭବନର ଉଦଘାଟନ କରିଥିଲେ ।