ଅଗ୍ନିବେଶଙ୍କ ଉପରେ ଆକ୍ରମଣକୁ ନେଇ ରାଜନୀତି : ବିଜେପିକୁ ଟାର୍ଗେଟ କରି ଟ୍ୱିଟ୍ କଲେ କଂଗ୍ରେସ ଅଧ୍ୟକ୍ଷ

20

କନକ ବ୍ୟୁରୋ : ବିଜେପି ସରକାରଙ୍କୁ ଘେରିଲେ କଂଗ୍ରେସ ଅଧ୍ୟକ୍ଷ । ଝାଡଖଣ୍ଡରେ ବିଜେପି ଯୁବ ମୋର୍ଚ୍ଚା କର୍ମୀଙ୍କ ଦ୍ୱାରା ସ୍ୱାମୀ ଅଗ୍ନିବେଶଙ୍କୁ ଆକ୍ରମଣ ଘଟଣା ପରେ ଏହାକୁ ନେଇ ଟ୍ୱିଟ କରିଛନ୍ତି ରାହୁଲ ଗାନ୍ଧୀ । ଟ୍ୱିଟ କରି ସେ ପ୍ରଶ୍ନ କରିଛନ୍ତି ଯେ, ଶାସନରେ ରହିବା ପାଇଁ କିଏ ଭୟ ଓ ଘୃଣା ପରିସ୍ଥିତି ସୃଷ୍ଟି କରୁଛି ।

ସ୍ୱାମୀ ଅଗ୍ନିବେଶଙ୍କୁ ଆକ୍ରମଣ ଘଟଣାରେ ବିଜେପିକୁ ଘେରିଲେ କଂଗ୍ରେସ ଅଧ୍ୟକ୍ଷ । ରାହୁଲ ଗାନ୍ଧୀ ଏକ ଟ୍ୱିଟ୍ କରି ବିଜେପିକୁ ପ୍ରଶ୍ନ କରିଛନ୍ତି । ସେ ଲେଖିଛନ୍ତି ଯେ, ଶାସନରେ ଥିବା ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତିଙ୍କ ସମ୍ମୁଖରେ ମୁଁ ମୁଣ୍ଡ ନୁଆଁଏ । ଜଣେ ବ୍ୟକ୍ତିଙ୍କର ସାମର୍ଥ୍ୟ ଓ ଶାସନରେ ରହିବା ହିଁ ମୋ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ । ଶାସନରେ ରହିବା ପାଇଁ ମୁଁ ଘୃଣା ଓ ଭୟର ପରିସ୍ଥିତି ସୃଷ୍ଟି କରେ ଓ ଦୁର୍ବଳଙ୍କ ଉପରେ ଚାପ ପକାଏ । ସମସ୍ତ ବ୍ୟକ୍ତିବିଶେଷଙ୍କୁ ମୁଁ ମୋର ସୁବିଧା ଅନୁଯାୟୀ ବ୍ୟବହାର କରେ । ମୁଁ କିଏ ?

ବିଶିଷ୍ଟ ସମାଜସେବୀ ସ୍ୱାମୀ ଅଗ୍ନିବେଶଙ୍କୁ ମଙ୍ଗଳବାର ଦିନ ଝାଡଖଣ୍ଡ ପାକୁଡା ଜିଲ୍ଲାରେ ହୋଇଥିବା ଆକ୍ରମଣ ପରେ ଏହି ଟ୍ୱିଟ କରିଛନ୍ତି ରାହୁଲ ଗାନ୍ଧୀ । ଏକ କାର୍ଯ୍ୟକ୍ରମରେ ଯୋଗାଦେଇଥିବା ବେଳେ ବିଜେପି ଯୁବମୋର୍ଚ୍ଚା କର୍ମୀ ସ୍ୱାମୀ ଅଗ୍ନିବେଶଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ଯୁବମୋର୍ଚ୍ଚା କର୍ମୀ ପ୍ରଥମେ ତାଙ୍କୁ ପ୍ରତିବାଦ କରିବା ପରେ ଶୋଭାଯାତ୍ରାରେ ସେ ଯାଉଥିବା ବେଳେ ତାଙ୍କୁ ଠେଲାପେଲା କରିିବା ସହ ମାଡ ମାରିଥିବା ଅଭିଯୋଗ ହୋଇଛି । ସେପଟେ ଏହି ଆକ୍ରମଣରେ ବିଜେପି ଯୁବ ମୋର୍ଚ୍ଚ କର୍ମୀଙ୍କ ସମ୍ପୃକ୍ତି ଅଭିଯୋଗକୁ ଖଣ୍ଡନ କରିଥିଲା ବିଜେପି ।

ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଆକ୍ରମଣକାରୀ ଅଭିଯୋଗ କରିଛନ୍ତି ଯେ, ସ୍ୱାମୀ ଅଗ୍ନିବେଶ ମିଶନାରୀଙ୍କ ଇସାରାରେ କାମ କରୁଛନ୍ତି । ଆକ୍ରମଣ ଖବର ପାଇ ପୁଲିସ ଘଟଣାସ୍ଥଳରେ ପଂହଚି ସ୍ୱାମୀ ଅଗ୍ନବେଶଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲକୁ ନେଇଥିଲେ ।