ମୋଦିଙ୍କ ଶକ୍ତି ପରୀକ୍ଷା : ବିରୋଧୀଙ୍କ ଅନାସ୍ତା ପ୍ରସ୍ତାବକୁ ଗ୍ରହଣ କଲେ ବାଚସ୍ପତି, ସଂଖ୍ୟାଖେଳରେ ସହଜ ସ୍ଥିତିରେ ବିଜେପି

38

କନକ ବ୍ୟୁରୋ : ଶୁକ୍ରବାର ସଂସଦରେ ବଡ ପରୀକ୍ଷା ଦେବାକୁ ଯାଉଛନ୍ତି ମୋଦି ସରକାର । କାରଣ ଏନଡିଏ ସରକାର ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କରିନେଇଛନ୍ତି ବାଚସ୍ପତି ସୁମିତ୍ରା ମହାଜନ୍ । ଆଉ ଶୁକ୍ରବାର ଏନେଇ ଗୃହରେ ଆଲୋଚନା ଓ ଭୋଟିଂ କରିବାକୁ ସ୍ଥିର କରିଥିବା ଜାତୀୟ ଗଣମାଧ୍ୟମ ଗୁଡିକରେ ଚର୍ଚ୍ଚା ହୋଇଛି । ତେବେ ସଂଖ୍ୟା ଦୃଷ୍ଟିରୁ ବେଶ ସହଜ ସ୍ଥିତିରେ ଥିବା ବିଜେପି ପାଇଁ ଏହି ଆସ୍ଥାଭୋଟ ଜିତିବା କଷ୍ଟକର ହେବନାହିଁ । କିନ୍ତୁ ନିର୍ବାଚନୀ ବର୍ଷରେ ମେଂଟ ସହଯୋଗୀଙ୍କ ବିଶ୍ୱାସର ପରୀକ୍ଷା ହେବାକୁ ଯାଉଛି ଏହି ଅନାସ୍ଥା ଭୋଟ୍ । ଆଉ ବିଜେପି ଓ ବିରୋଧୀ ମେଂଟରୁ ଦୂରେଇ ରହୁଥିବା ବିଜେଡିର ଆଭିମୁଖ୍ୟ ମଧ୍ୟ ଜଣାପଡିବାକୁ ଯାଉଛି ।

ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କ ଏହି ଘୋଷଣା ସହ ଗୃହିତ ହୋଇଥିଲା ମୋଦି ସରକାରଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ । ସଂସଦର ବଜେଟ ଅଧିବେସନ ବେଳେ ଯେଉଁ ଅନାସ୍ଥା ପ୍ରସ୍ତାବକୁ ନେଇ ପ୍ରବଳ ହଙ୍ଗାମା ହୋଇଥିଲା ତାକୁ ମୌସୁମୀ ଅଧିବେସନ ଆରମ୍ଭରୁ ଗ୍ରହଣ କରିନେଇଛନ୍ତି ସୁମିତ୍ରା ମହାଜନ୍ । କଂଗ୍ରେସ ଓ ଟିଡିପି ସମେତ ଅନ୍ୟ କେତେକ ବିରୋଧୀଦଳ ଏନେଇ ପ୍ରସ୍ତାବ ଆଣିଥିବାବେଳେ ଟିଡିପି ସାଂସଦ କେସିନେନି ଶ୍ରୀନିବାସଙ୍କ ପ୍ରସ୍ତାବକୁ ଗ୍ରହଣ କରିଥିଲେ ବାଚସ୍ପତି । ଯାହା ଲଟେରି ଜରିଆରେ ଚୟନ କରାଯାଇଥିଲା । ତେବେ ବିରୋଧୀ ଦଳଗୁଡିକର ଗୋଟିଗୋଟି କରି ନାଁ ପଢିଥିଲେ ବାଚସ୍ପତି ସୁମିତ୍ରା ମହାଜନ୍ ।

ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି କରି ଗତ ମାର୍ଚ୍ଚ ମାସରେ ଏନଡିଏରୁ ଓହରି ଯାଇଥିଲା ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି । ଆଉ ଆଜି ମୌସୁମୀ ଅଧିବେସନ ଆରମ୍ଭରୁ ହିଁ ଶୂନ୍ୟକାଳରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲା ଦଳ । ବାଚସ୍ପତି ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କରିବା କ୍ଷଣି ସଂସଦୀୟ ବ୍ୟାପାରମନ୍ତ୍ରୀ ଗୃହରେ ଦାବି କରିଥିଲେ ଯେ, ଏହି ଅନାସ୍ଥା ପରୀକ୍ଷାକୁ ମୋଦି ସରକାର ଅତି ସହଜରେ ପାର କରିଯିବେ । କାରଣ ସଂସଦରେ ବିଜେପି ଓ ଏହାର ସହଯୋଗୀ ଦଳଙ୍କର ଦୁଇ ତୃତୀୟାଂଶ ସଦସ୍ୟ ଅଛନ୍ତି । ଶୁକ୍ରବାର ପ୍ରଶ୍ନକାଳକୁ ବାତିଲ କରି ଦିନ ତମାମ ଆସ୍ଥା ଭୋଟ ଉପରେ ଚର୍ଚ୍ଚା ହେବ ଏବଂ ଭୋଟିଂ ମଧ୍ୟ କରାଇ ପାରନ୍ତି ବାଚସ୍ପତି ସୁମିତ୍ରା ମହାଜନ୍ । ଏବେ ଆସନ୍ତୁ ଜାଣିବା ସଂଖ୍ୟା ଗଣିତ ଉପରେ ।
ଲୋକସଭା
ମୋଟ୍ ସଦସ୍ୟ ସଂଖ୍ୟା- ୫୪୫
ଆସ୍ଥାଭୋଟ୍ ଜିତିବାକୁ ଦରକାର- ୨୭୨
ବିଜେପି- ୨୭୨
ଅନ୍ୟ ସହଯୋଗୀ ଦଳ- ୩୯
କଂଗ୍ରେସ- ୪୮
ଏଆଇଏଡିଏମକେ- ୩୭
ଟିଏମସି- ୩୪
ବିଜେଡି- ୨୦
ଅନ୍ୟାନ୍ୟ- ୮୯
ମନୋନୀତ ସଦସ୍ୟ- ୨
ଖାଲି ପଡିଛି- ୪

ଅର୍ଥାତ ଆସ୍ଥା ଭୋଟରେ ଜିତିବା ପାଇଁ କେବଳ ବିଜେପି ନିକଟରେ ଥିବା ସଂଖ୍ୟା ହିଁ ଯଥେଷ୍ଟ । ହେଲେ ଏ ପରୀକ୍ଷା ଦଳ ଭିତରେ ଅସନ୍ତୁଷ୍ଟ ଓ ମେଂଟ ସହଯୋଗୀଙ୍କ ବିଶ୍ୱାସର ପରୀକ୍ଷା ହେବାକୁ ଯାଉଛି ।

ମୋଦି ସରକାରଙ୍କ ଏକଚାଟିଆ ନୀତିରେ ମେଂଟ ସହଯୋଗୀ ଖୁସି ନଥିବା ଚର୍ଚ୍ଚା ହେଉଛି । ଆଉ ଏପଟେ ଉଭୟ ବିଜେପି ଓ ବିରୋଧୀ ମେଂଟରୁ ଦୂରତା ରଖିଆସୁଥିବା ବିଜେଡି ଭଳି ଦଳର ଆଭିମୁଖ୍ୟ କଣ ରହୁଛି ତାହା ଜଣାପଡିଯିବ । ଏଥିପାଇଁ ଗୁରୁବାର ବିଜେଡି ସଂସଦୀୟ ଦଳ ବୈଠକ ବସୁଛି, ଯେଉଁଠି ଦଳ ତାର ଆଭିମୁଖ୍ୟ ନେଇ ନିଷ୍ପତ୍ତି କରିବ । ଗୋଟିଏ ପଟେ ବିରୋଧୀ ଏକାଠି ହେବା ପାଇଁ ବଳ ଗୋଟାଉ ଥିବାବେଳେ ନିର୍ବାଚନୀ ବର୍ଷରେ ମୋଦିଙ୍କ ପାଇଁ ଏସିଡ ଟେଷ୍ଟ ହେବାକୁ ଯାଉଛି ଆସ୍ଥା ଭୋଟର ପରୀକ୍ଷା । ଯେଉଁଥିପାଇଁ ଶୁକ୍ରବାର ସମସ୍ତ ସଦସ୍ୟ ଉପସ୍ଥିତ ରହିବାକୁ ଦଳ ପକ୍ଷରୁ ହ୍ୱିପ ଜାରି କରିଦିଆଯାଇଛି ।