ଡାଲି ମିଳିବ ଡାକଘରେ ! ପୋଷ୍ଟ ଅଫିସକୁ ସକ୍ରିୟ କରିବାକୁ କେନ୍ଦ୍ର ସରକାରଙ୍କ ପ୍ରୟାସ

127

କନକ ବ୍ୟୁରୋ : ଏଣିକି ଡାକଘରେ ମିଳିବ ଡାଲି । ଖାଉଟିଙ୍କୁ ଡାଲି ବାଟିଂବେ ପୋଷ୍ଟମାଷ୍ଟର । ଡାକ ଘର ଗୁଡିକରେ ଡାଲି ବିକ୍ରି କରିବାକୁ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । ଡାକ ନେଟୱର୍କକୁ ବ୍ୟବହାର କରି ରିହାତି ଦରରେ ଡାଲି ବିକ୍ରି କରିବାକୁ ସରକାର ସ୍ଥିର କରିଛନ୍ତି ।

ଚଳିତ ବର୍ଷ ଡାଲିର ଅମଳ ଭଲ ହୋଇଛି, ଏହା ପ୍ରାୟ ଆବଶ୍ୟକତା ସହ ସମାନ । ଦେଶରେ ୨କୋଟି ୩୦ଲକ୍ଷ ଟନ ଡାଲିର ଆବଶ୍ୟକତା ଥିବାବେଳେ ଅମଳ ହୋଇଛି ୨କୋଟି ୧୦ ଲକ୍ଷ ଟନ୍ । ସେପଟେ ରାଜ୍ୟରେ ଡାଲିର ବାର୍ଷିକ ଆବଶ୍ୟକତା ୯ ଲକ୍ଷ ୩୦ ହଜାର ଟନ ଥିବା ବେଳେ ରାଜ୍ୟରେ ଉତ୍ପାଦନ ହୋଇଥାଏ ପ୍ରାୟ ୨ ଲକ୍ଷ ଟନ । ଅବଶିଷ୍ଟ ଡାଲି ରାଜ୍ୟ ବାହାରୁ ଆମଦାନୀ ହୋଇଥାଏ ।

ସେଥିପାଇଁ ଡାଲିକୁ ସୁଲଭ ମୂଲ୍ୟରେ ଜନସାଧାରଣଙ୍କୁ ଯୋଗାଇବା ପାଇଁ ନିଷ୍ପତି ନିଆଯାଇଛି । ଏହାକୁ ମଧ୍ୟ ସ୍ୱାଗତ କରିଛି ରାଜ୍ୟ ବ୍ୟବସାୟୀ ସଂଘ, କିନ୍ତୁ ଏହାର ବାସ୍ତବିକତା ଉପରେ ଉଠାଇଛି ପ୍ରଶ୍ନ ।

ଦେଶରେ ପ୍ରାୟ ଦେଢଲକ୍ଷରୁ ଅଧିକ ଓ ରାଜ୍ୟରେ ସାତ ହଜାର ପୋଷ୍ଟ ଅଫିସ ରହିଛି, ଯାହାକୁ ଅଧିକ ସକ୍ରିୟ କରିବାକୁ ଚାହୁଁଛନ୍ତି ସରକାର । ଫଳରେ ଡାକ ଘରେ ଡାଲି ବିକ୍ରି ହେଲେ ଗାଁ ସ୍ତରରେ ମଧ୍ୟ ଲୋକେ ସୁବିଧାରେ ଡାଲି ପାଇବା ସହ ପୋଷ୍ଟ ଅଫିସ ଅଧିକ ସକ୍ରିୟ ହେବ ବୋଲି ଆଶା କରାଯାଉଛି ।