ମାସେ ତଳେ ୧୦ ଆଉ ଏବେ ୩୫ ! ହୁ ହୁ ବଢୁଛି ବିଲାତି ଦର, କିଣିବାକୁ ଅମଙ୍ଗ ଗ୍ରାହକ, ଚିନ୍ତାରେ ଚାଷୀ ।

42

କନକ ବ୍ୟୁରୋ : ମାସେ ତଳେ ଯେଉଁ ଟମାଟୋ ୧୦ଟଙ୍କାରେ ମିଳୁଥିଲା ତାହା ଏବେ ୩୦ରୁ ୩୫ ଟଙ୍କା ଛୁଇଁଛି । ସମ୍ବଲପୁର ବଜାରରେ ହଠାତ୍ ବଢିଯାଇଛି ଟମାଟୋ ଦର । ଯାହା ମଧ୍ୟବିତଙ୍କ ପକେଟ୍ ଉପରେ ପ୍ରଭାବ ପକାଇଛି । ଏବେ ଟମାଟୋ କିଣିବା ପାଇଁ ଗ୍ରାହକ ଅମଙ୍ଗ ହେଉଥିବା ବେଳେ ଠିକ୍ ମାସେ ତଳେ ଟମାଟୋ ବିକ୍ରି କରିବା ପାଇଁ ନାନା ହଇରାଣ ହରକତ ହେଉଥିଲେ ଚାଷୀ ।

ଟମାଟୋ ଦର ଆକାଶ ଛୁଆଁ ! ମାସେ ତଳେ ୧୦ ଆଉ ଏବେ ୩୫ । କିଛି ଦିନ ତଳେ ସମ୍ବଲପୁର ଜିଲ୍ଲାରେ ଟମୋଟୋ ଚାଷୀ ଅଭାବ ବିକ୍ରିର ଶିକାର ହେବା ସହ ଟମାଟୋ ବିକ୍ରି ନବେହାରୁ ବେପାରୀକୁ ଉଧାରି ଦେବାକୁ ପଡ଼ୁଥିଲା । ହେଲେ ଏବେ ସେହି ଟମାଟୋ ହୋଲସେଲରରେ ୩୦ ଟଙ୍କା ଓ ବାହାରେ ୩୫ ଟଙ୍କାରେ ବିକ୍ରି ହେଉଛି । ଯାହା ଦିନ ମଜୁରିଆ ଓ ମଧ୍ୟବିତଙ୍କ ପକେଟରେ ମାଡ କରିଛି । ଚାଷୀ ଟମାଟୋ ଦର ଦେଖି ବଜାରରୁ ଟମାଟୋ କିଣିବାକୁ ଅମଙ୍ଗ ହେଉଥିବା ବେଳେ ଭାଗ୍ୟକୁ ଦୋଷ ଦେବା ଛଡ଼ା ଅନ୍ୟ ଉପାୟ ନାହିଁ ବୋଲି କହୁଛନ୍ତି ।

ଅଚାନକ ଟମାଟୋ ଦର ବୃଦ୍ଧି ଯୋଗୁଁ ମଧ୍ୟବିତ୍ ଓ ଗରିବଙ୍କ ଉପରେ ସିଧାସଳଖ ପ୍ରଭାବ ପଡିଛି । ରାଜ୍ୟ ବାହାରୁ ଟମାଟୋ ଆସୁଥିବା ବେଳେ ବର୍ଷା ଯୋଗୁଁ ଟମାଟୋ ବ୍ୟାପକ ନଷ୍ଟ ହୋଇଛି । ଫଳରେ ଦର ବୃଦ୍ଧି ହେଉଛି । ଆଗକୁ ଆହୁରି ଦର ବୃଦ୍ଧି ହେବାର ସମ୍ଭାବନା ଥିବା କହିଛନ୍ତି ବ୍ୟବସାୟୀ । ରାଜ୍ୟରେ ଶିତଳ ଭଣ୍ଡାରର ଅଭାବର ଏ ହେଉଛି କରୁଣ ପରିଣତି । ତେବେ ଟମାଟୋ ଦର ବଢିବା ଆଗରୁ ସରକାର ପଦକ୍ଷେପ୍ ନେବା ପାଇଁ ସାଧାରଣରେ ଦାବି ହୋଇଛି ।