ଲିଙ୍ଗରାଜ ମନ୍ଦିରରେ ରାଷ୍ଟ୍ରପତିଙ୍କ ପୂଜାର୍ଚ୍ଚନା। ବିଶ୍ୱବାସୀଙ୍କ ମଙ୍ଗଳ ପାଇଁ କଲେ ପ୍ରାର୍ଥନା।

88

କନକ ବ୍ୟୁରୋ: ପଦବୀ ଯେତେ ବଡ଼ ହେଉ, ଭଗବାନଙ୍କ ନିକଟରେ ସମସ୍ତେ ସମାନ । ସେଠାରେ କେବଳ ଲୋଡ଼ା ସମର୍ପଣ ଭାବ । ଲିଙ୍ଗରାଜ ମନ୍ଦିରରେ ପୂଜାର୍ଚ୍ଚନା କରିବା ବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସେହି ସମର୍ପଣ ଭାବ ଦେଖିବାକୁ ମିଳିଥିଲା । କଡା ସୁରକ୍ଷା ଭିତରେ ବାବା ଲିଙ୍ଗରାଜଙ୍କ ମନ୍ଦିରରେ ପହଞ୍ଚିଥିଲେ ରାଷ୍ଟ୍ରପତି । ଆଦିବାସୀ ନୃତ୍ୟଗୀତରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରାଯାଇଥିଲା । ତେବେ ପୂଜା କରିବା ପୂର୍ବରୁ ବିନ୍ଦୁ ସାଗରରେ ପାଦ ଧୋଇ ଖାଲି ପାଦରେ ଚାଲି ଚାଲି ମନ୍ଦିରରେ ପ୍ରବେଶ କରିଥିଲେ ରାଷ୍ଟ୍ରପତି । ପ୍ରଥମେ ସିଦ୍ଧିବିନାୟକଙ୍କ ନିକଟରେ ପୂଜା କରିବା ପରେ ଗର୍ଭଗୃହରେ ଲିଙ୍ଗରାଜଙ୍କ ନିକଟରେ ଜଳାଭିଷେକ, ବେଲପତ୍ର ଓ ଫୁଲ ବରଣ କରି ପ୍ରାୟ ୪୦ ମିନିଟ୍ ଧରି ପୂଜାର୍ଚ୍ଚନା କରିଥିଲେ ଦ୍ରୌପଦୀ ମୁର୍ମୁ ।

ଗର୍ଭଗୃହରେ ପୂଜାର୍ଚ୍ଚନା ପରେ ପାର୍ବତୀ ମନ୍ଦିର ଯାଇ ଦର୍ଶନ କରିଥିଲେ ଦ୍ରୌପଦୀ ମୁର୍ମୁ । ଏହାପରେ ଭୁବନେଶ୍ୱରୀ ଓ ନନ୍ଦୀ ଦର୍ଶନ କରିବା ସହ ଅରୁଣ ସ୍ତମ୍ଭ ନିକଟରେ ସେବାୟତଙ୍କୁ ଉତ୍ତରୀୟ ବସ୍ତ୍ର ଦେଇଛନ୍ତି ରାଷ୍ଟ୍ରପତି । ଲିଙ୍ଗରାଜ ମନ୍ଦିରର ବଡୁ ନିଯୋଗ ଭିଭିଆଇପି ବୁକରେ ନିଜ ମତ ରଖିଛନ୍ତି ରାଷ୍ଟ୍ରପତି । ଶାନ୍ତସ୍ନିଗ୍ଧ ପରିବେଶରେ ଲିଙ୍ଗରାଜଙ୍କ ଦର୍ଶନ କରି ଦିବ୍ୟ ଅନୁଭବ କରିବା ସହ ଦେଶବାସୀ ତଥା ବିଶ୍ୱ କଲ୍ୟାଣ ପାଇଁ ପ୍ରାର୍ଥନା କରିଥିବା କଥା ଲେଖିଛନ୍ତି ରାଷ୍ଟ୍ରପତି ।

ଏହି ଅବସରରେ ରାଷ୍ଟ୍ରପତିଙ୍କୁ ଦିଆଯାଇଛି ପ୍ରଭୁ ଲିଙ୍ଗରାଜଙ୍କ ବିଶ୍ୱପ୍ରସିଦ୍ଧ କୋରାଖଇ । ପୂଜାର୍ଚ୍ଚନା ସାରି ମନ୍ଦିର ବାହରକୁ ବାହାରିଥିଲେ ଦ୍ରୌପଦୀ ମୁର୍ମୁ । ସୁରକ୍ଷା ପ୍ରୋଟୋକଲ ଭାଙ୍ଗି ମୟୂରଭଞ୍ଜରୁ ଆସିଥିବା କଳାକାରମାନଙ୍କୁ ଭେଟି ସେମାନଙ୍କ କିଛି ସମୟ ବିତାଇଥିଲେ ରାଷ୍ଟ୍ରପତି । ଏନେଇ ବେଶ ଖୁସି ଜାହିର କରିଛନ୍ତି ମୟୂରଭଞ୍ଜରୁ ଆସିଥିବା କଳାକାର ।

ଓଡ଼ିଶା ଗସ୍ତ ଅବସରରେ କଟକ ବିଦ୍ୟାଧରପୁର ସ୍ଥିତ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନର ଦ୍ୱିତୀୟ ଭାରତୀୟ ରାଇସ କଂଗ୍ରେସକୁ ଉଦଘାଟନ କରିଛନ୍ତି ରାଷ୍ଟପତି ଦ୍ରୌପଦୀ ମୁର୍ମୁ । ସେ କହିଛନ୍ତି ଚାଉଳ ଉତ୍ପାଦନ ଦେଶର ଅର୍ଥନୀତିକୁ ସମୃଦ୍ଧ କରିଛି । ସେହିପରି ଧାନ ଅମଳ ପାଇଁ ଅଧିକ ସାର ବଦଳରେ ଇକୋ ଫ୍ରେଣ୍ଡଲି ଚାଷକୁ ଗୁରୁତ୍ୱ ଦେଇଛନ୍ତି ରାଷ୍ଟ୍ରପତି । ରାଜ୍ୟପାଳ ଗଣେଶୀ ଲାଲଙ୍କ ସହ ଦ୍ୱିତୀୟ ଭାରତୀୟ ରାଇସ କଂଗ୍ରେସରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ ।